ଆମ୍ବୁଲାନ୍ସକୁ ଧକ୍କା ଦେଲା ମାଲବାହୀ ଟ୍ରେନ
ଭୟଙ୍କର ଦୁର୍ଘଟଣା କିନ୍ତୁ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରାୟଗଡା ଠାରୁ କୋରାପୁଟ ଯାଉଥିବା କେଆର ରେଳ ଲାଇନରେ ଅନନ୍ତ ଚକ୍ଷୁ ଚିକିତ୍ସାଳୟର ଆମ୍ବୁଲାନ୍ସକୁ ଧକ୍କା ଦେଇଛି ମାଲବାହୀ ଟ୍ରେନ୍। ସୋମବାର ଆଖି ଅପରେସନ କରିବା ପାଇଁ କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର କାଣିପାଇ, କଞ୍ଜ।ମ ଯୋଡି ,ଝାକୁଡୁ, ବେତଲାଙ୍ଗ ଓ ଚକ୍ରକଲାଙ୍ଗ ଗ୍ରାମର ଲୋକଙ୍କୁ ଆମ୍ବୁଲାନ୍ସରେ ଅଣାଯାଉଥିଲା। ଏହି ସମୟରେ ହଠାତ୍ ଘଟିଥିଲା ଅଘଟଣ।ଆମ୍ବୁଲାନ୍ସ ଯାଉଥିବାବେଳେ କଞ୍ଜାମଯୋଡି ନିକଟରେ ହଠାତ ଏକ ମାଲବାହୀ ଟ୍ରେନ ଆସି ଗାଡିକୁ ୧୦୦ମିଟର ପର୍ଯ୍ୟନ୍ତ ଘୋଷାରି ନେଇ ଯାଇଥିଲା।କିନ୍ତୁ ଆମ୍ବୁଲାନ୍ସରେ ଥିବା ଚାଳକ ସମେତ ଜଣେ ଆଶା ଦିଦି ଓ ୮ଜଣ ରୋଗୀ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି । ମାଲବାହୀ ଟ୍ରେନଟି ବ୍ରେକ ମାରିବାରୁ ଆମ୍ବୁଲାନ୍ସରେ ଥିବା ଲୋକଙ୍କ ପ୍ରାଣ ଅଳ୍ପକେ ବଞ୍ଚିଯାଇଛି ।ସୂଚନା ଅନୁସାରେ ଯେଉଁଠାରେ ଦୁର୍ଘଟଣା ଘଟିଛି ସେଠାରେ ରେଳପଥର ଏକ ଆନୁଷ୍ଠାନିକ କ୍ରସିଂ ନ ଥିଲା। ତେବେ ଲୋକେ ଏହି ସ୍ଥାନକୁ ରାସ୍ତା ପାର ହେବା ପାଇଁ ବ୍ୟବହାର କରନ୍ତି ଏବଂ ସ୍ଥାନୀୟ ଲୋକମାନେ ନିର୍ଦ୍ଦିଷ୍ଟ ରାସ୍ତାରେ ଉପଯୁକ୍ତ କ୍ରସିଂ ପାଇଁ ଦାବି କରିଆସୁଛନ୍ତି କାରଣ ଏହା ଅନେକ ଗ୍ରାମ ସହିତ ସଂଯୋଗ କରିଥାଏ। ଗ୍ରାମବାସୀମାନେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ସେମାନଙ୍କର ଅଭିଯୋଗ ଉଠାଇଥିବା ଦାବି କରିଥିଲେ, କିନ୍ତୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।
