ଚଳିତ ବର୍ଷ ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା
ଚଳିତ ବର୍ଷ ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ଆରମ୍ଭ କରିଛି। କିଭଳି ଭାବରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ସେନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘନଘନ ଉଚ୍ଚ ସ୍ତରୀୟ ବୈଠକ ବସୁଛି। ଯାହା ସ୍ବାସ୍ଥ୍ୟ ବିଭାଗ ଅନ୍ତର୍ଗତ ବିଭିନ୍ନ ନିର୍ଦ୍ଦେଶାଳୟ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କରାଯାଇଥିବା ପ୍ରାକ୍ ପ୍ରସ୍ତୁତିର ସମୀକ୍ଷା କରି ମହାପ୍ରଭୁଙ୍କ ଯାତ୍ରା ସମୟରେ ସେବାୟତ,ଭକ୍ତ,ପର୍ଯ୍ୟଟକଙ୍କ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଉଛି। ତେବେ ମହାପ୍ରଭୁଙ୍କ ଯାତ୍ରା ସମୟରେ ସେବାୟତ, ଭକ୍ତ, ପର୍ଯ୍ୟଟକ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା, ଔଷଧ ଓ ମାନବ ସମ୍ବଳ ଆଗୁଆ ପୁରୀରେ ପ୍ରସ୍ତୁତ ରଖିବା ପାଇଁ ଶ୍ରୀମତୀ ଅଶ୍ବତୀ ସ୍ବାସ୍ଥ୍ୟ ବିଭାଗ ଅଧିନସ୍ଥ ସବୁ ନିର୍ଦ୍ଦେଶାଳୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଚଳିତ ବର୍ଷ ଅଧିକ ସଂଖ୍ୟକ ଫାଷ୍ଟ୍-ଏଡ କେନ୍ଦ୍ର ଖୋଲିବା ପାଇଁ ସ୍ଥିର କରାଯାଇଥିଲା। ଏହି କେନ୍ଦ୍ରଗୁଡ଼ିକ ୩ଟି ସିଫ୍ଟରେ ୨୪ ଘଣ୍ଟା ଭିତ୍ତିରେ କାର୍ଯ୍ୟ କରିବେ । ପ୍ରତି ସିଫ୍ଟରେ ଜଣେ ଡାକ୍ତର, ଜଣେ ଫାର୍ମାସିଷ୍ଟ, ଜଣେ ବହୁ ମୁଖି ସ୍ବାସ୍ଥ୍ୟ ସେବକ ଓ ଜଣେ ସହାୟକ ନିୟୋଜିତ ରହିବେ। ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ୧୨ଟି, ସମୁଦ୍ରକୂଳରେ ୩ଟି, ତାଳବଣିଆ ବସ ଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ୩ଟି, ପୁରୀ-ଭୁବନେଶ୍ବର ରାସ୍ତାରେ ୯ଟି, ପୁରୀ-କୋଣାର୍କ ରାସ୍ତାରେ ୪ଟି, ପୁରୀ-ସାତପଡ଼ା ରାସ୍ତାରେ ୨ଟି ଏହିପରି ୩୩ଟି ଫାଷ୍ଟ୍-ଏଡ କେନ୍ଦ୍ର ଖୋଲିବା ପାଇଁ ପ୍ରାଥମିକ ସ୍ତରରେ ନିଷ୍ପତ୍ତି ହୋଇଛି।ସେହିପରି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସମୁଦ୍ରକୂଳ, ସହର ଭିତର, ପୁରୀ-ଭୁବନେଶ୍ବର ରାସ୍ତା, ପୁରୀ-କୋଣାର୍କ ରାସ୍ତା ଓ ପୁରୀ-ସାତପଡ଼ା ରାସ୍ତାର ବିଭିନ୍ନ ସ୍ଥାନରେ ଅଧିକ ୩୧ଟି ଆମ୍ବୁଲାନ୍ସ ନିୟୋଜନ କରାଯିବ। ଅତିରିକ୍ତ ୭ଟି ୧୦୮-ଆମ୍ବୁଲାନ୍ସ ୨୦୩ ଜାତୀୟ ରାଜପଥର ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ନିୟୋଜିତ ହେବା ନେଇ ବୈଠକ ରେ ନିଷ୍ପତ୍ତି ହୋଇଛି।
