ଗାଜାରେ ଇସ୍ରାଏଲୀ ସେନାର ଆକ୍ରମଣରେ ହମାସ୍‌ର ଶୀର୍ଷନେତା ୟାହୟା ସିନ୍‌ଓ୍ବରଙ୍କ ମୃତ୍ୟୁ

ଗାଜାରେ ଇସ୍ରାଏଲୀ ସେନାର ଆକ୍ରମଣରେ ହମାସ୍‌ର ଶୀର୍ଷନେତା ୟାହୟା ସିନ୍‌ଓ୍ବରଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ୍‌ କର୍ତ୍ତୃପକ୍ଷ ଏନେଇ ଗୁରୁବାର ରାତିରେ ସ୍ପଷ୍ଟ କରିଛନ୍ତି। ହମାସ ମୁଖ୍ୟ ୟାହୟା ସିନଓ୍ୱାର ନିହତ ହୋଇଥିବା ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଛନ୍ତି।ଇସ୍ରାଏଲ୍‌ ସେନାର ସୂଚନା ଅନୁଯାୟୀ, ଗାଜା ଆକ୍ରମଣ ସମୟରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ସିନ୍‌ଓ୍ବର ଥିବା ନେଇ ସନ୍ଦେହ କରାଯାଉଥିଲା। ଡିଏନ୍‌ଏ ପରୀକ୍ଷାରୁ ଜଣେ ମୃତକ ହମାସ୍‌ ନେତା ସିନ୍‌ଓ୍ବର ବୋଲି ସ୍ପଷ୍ଟ ହୋଇଛି। ତେବେ ଶୀର୍ଷ ନେତାଙ୍କ ମୃତ୍ୟୁ ନେଇ ହମାସ୍‌ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ।ସାମ୍ବାଦିକ ସମ୍ମିଳନୀ କରି ନେତାନ୍ୟାହୁ କହିଛନ୍ତି, ଅକ୍ଟୋବର ୭ ତାରିଖର ଆମ ଲୋକଙ୍କ ସହ ନରସଂହାର ଘଟାଇଥିବା ବ୍ୟକ୍ତିଙ୍କ ଠାରୁ ଆମେ ପ୍ରତିଶୋଧ ନେଇଛୁ। ଗାଜାରେ ହମାସ ବନ୍ଧକଙ୍କ ଘରକୁ ଫେରିବା ସଂଗ୍ରାମରେ ହାମାସ ନେତା ୟାହୟା ସିନୱାରଙ୍କ ହତ୍ୟା ଏକ ମହତ୍ତ୍ୱପୂର୍ଣ୍ଣ ମୁହୂର୍ତ୍ତ। ତେବେ ଏହା ଯୁଦ୍ଧର ଶେଷ ନୁହେଁ, ଏହା ଶେଷର ଆରମ୍ଭ।