କୋଭିଡ୍‌ ଟିକା ନୁହେଁ ହୃଦଘାତ,ଆକସ୍ମିକ ମୃତ୍ୟୁର କାରଣ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ

ସାରା ଦେଶରେ ଗତ କିଛି ଦିନରେ କରୋନା ଟିକା ପାଇଁ ହୃଦଘାତର ମାମଲା ଯୁବପୀଢି ନିକଟରେ ବୃଦ୍ଧି ପାଉଛି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ୪୦ ଦିନରେ ୨୨ ଜଣଙ୍କ ହୃଦଘାତରେ ଜୀବନ ଯାଇଥିଲା । ଯାହା କୋଭିଡ ଟିକାର ପାର୍ଶ୍ବ ପ୍ରତିକ୍ରିୟା ବୋଲି ଅଭିଯୋଗ କରିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା । କିନ୍ତୁ ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରିବା ସହ କୋଭିଡ ଟିକାର ହୃଦଘାତ ସହିତ କୌଣସି ସମ୍ବନ୍ଧ ନାହିଁ ବୋଲି କୁହାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର କହିବାନୁଯାୟୀ, ହୃଦଘାତ ଓ ଆକସ୍ମିକ ମୃତ୍ୟୁର କାରଣ ଜାଣିବା ପାଇଁ ଆଇସିଏମଆର ଓ ଏନସିଡିସି ଉଭୟ ମିଶି ୨ଟି ଭିନ୍ନ ଭିନ୍ନ ଅଧ୍ୟୟନ କରିଛନ୍ତି ।

ଆଇସିଏମଆର ଜାତୀୟ ମହାମାରୀ ବିଜ୍ଞାନ ସଂସ୍ଥାନ (ଏନଆଇଇ) ମେ’-ଅଗଷ୍ଟ ୨୦୨୩ ମଧ୍ୟରେ କରିଥିବା ଅଧ୍ୟୟନ ଅନୁଯାୟୀ, ୧୯ ରାଜ୍ୟ ସମେତ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ପ୍ରାୟ ୪୭ଟି ନାମୀଦାମି ହସ୍ପିଟାଲରୁ ତଥ୍ୟ ନେଇଥିଲେ । ଅଧ୍ୟୟନରେ ୧୮-୪୫ ବର୍ଷ ପର୍ଯ୍ୟନ୍ତ ସେହି ସମସ୍ତ ବ୍ୟକ୍ତି ବିଶେଷଙ୍କୁ ସାମିଲ କରିଥିଲା । ଯେଉଁମାନେ ପୂର୍ବରୁ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ, ମାତ୍ର ଅକ୍ଟୋବର ୨୦୨୧ ମାର୍ଚ୍ଚ ୨୦୨୩ ମଧ୍ୟରେ ହଠାତ୍‌ ସେମାନଙ୍କ ମୃତ୍ୟୁ ଘଟିଛି । ମାତ୍ର ଅଧ୍ୟୟନରୁ ଜଣାପଡିଛି ଯେ କୋଭିଡ୍‌ ୧୯ର ଟିକା ନେବା ଦ୍ୱାରା ହଠାତ୍‌ ମୃତ୍ୟୁ ବୃଦ୍ଧି ପାଇ ନାହିଁ । ତେବେ ଆଇସିଏମଆର ଏବଂ ଏମ୍ସ ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଏହା ଜଣାପଡିଛି ।କୋଭିଡ ଟିକା ସହ ହୃଦଘାତର କୌଣସି ସମ୍ପର୍କ ନାହିଁ ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଛି ।

You might also like