ଲଘୁଚାପ ପ୍ରଭାବରେ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବ

ଓଡ଼ିଶା ଉପକୂଳ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଏହା ସମୁଦ୍ରରେ ରହି ବଳ ଗୋଟାଉଛି । ଦୁଇ ଦିନ ସମୁଦ୍ରରେ ରହିବା ପରେ ୯ ତାରିଖରେ ଏହା ଅବପାତର ରୂପ ନେବ । ପରେ ଛତିଶଗଡ ଆଡ଼କୁ ମୁହାଁଇବ । ଏହା ଡିପ୍‌ ଡିପ୍ରେସନ୍‌ ବା ଗଭୀର ଅବପାତର ରୂପ ନେଇପାରେ ।କେନ୍ଦ୍ରୀୟ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ୯ ଏବଂ ୧୦ ତାରିଖରେ ଭାରି ବର୍ଷା ହେବ । ଭୁବନେଶ୍ୱର ସମେତ ବାକି ଉପକୂଳ ଜିଲ୍ଲାରେ ୯ ତାରିଖରେ ଭାରି ବର୍ଷା ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

ଏହି ଲଘୁଚାପ କେନ୍ଦ୍ରସ୍ଥଳରେ ବାୟୁର ଚାପ ୯୮୯ ମିଲି ବାର୍‌କୁ ଖସି ଏହା ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ଯୋଗୁ ମହାନଦୀ, ଋଷିକୂଲ୍ୟା, ବଂଶଧାରା, ନାଗାବଳୀ ସମେତ ମହାନଦୀର ସମସ୍ତ ଉପନଦୀ ଫୁଲିପାରେ । ବ୍ରାହ୍ମଣୀ ଓ ବୈତରଣୀର ଜଳସ୍ତର ମଧ୍ୟ ବଢ଼ିବ ବୋଲି ସେ ସତର୍କ କରାଇଛନ୍ତି ।୯ରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଭୀଷଣ ବର୍ଷା ହୋଇପାରେ ।

ବରଗଡ଼, ସମ୍ବଲପୁର, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଅତି ଭୀଷଣ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ସୋନପୁର ଜିଲ୍ଲାରେ ଭାରୀ ବର୍ଷା ହେବ ।୧୦ରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼ରେ ଅତି ପ୍ରବଳ ବର୍ଷା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବାକି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷିବ ବୋଲି ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି ।