ଭୁବନେଶ୍ୱରରେ ଚାଲିବ ହାଇଡ୍ରୋଜେନ ବସ ।
ଏବେ ଭୁବନେଶ୍ୱରରେ ପ୍ରାରମ୍ଭିକ ଭାବେ ୩ଟି ହାଇଡ୍ରୋଜେନ୍ ବସ ଚାଲିବ। ଏ ନେଇ ଏମଓୟୁ ସରିଛି । ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଭୁବନେଶ୍ବରରେ ଜନଗହଳିପୂର୍ଣ୍ଣ ଟ୍ରାଫିକ ଥିବା ସ୍ଥାନରେ ନିର୍ମାଣ ହେବ ଓଭରବ୍ରିଜ । ପୂର୍ତ୍ତ ବିଭାଗ ସହିତ ଏ ନେଇ ଆଲୋଚନା ସରିଛି । ମୁଖ୍ୟମନ୍ତ୍ରୀ ଏ ନେଇ ବୈଠକ କରିଛନ୍ତି । ପ୍ରାରମ୍ଭିକ ଭାବେ ନନ୍ଦନକାନନ ରୋଡ ଓ କଳ୍ପନା ରୋଡରେ ଓଭରବ୍ରିଜ ନିର୍ମାଣ ହେବ । ଡିପିଆର ପ୍ରସ୍ତୁତ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ସୂଚନା ଯୋଗ୍ୟ ଗତବର୍ଷ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ପ୍ରାଥମିକ ଭାବେ ହାଇଡ୍ରୋଜେନ ବସ ପ୍ରୋଜେକ୍ଟ ଭୁବନେଶ୍ୱର, ପୁରୀ, କଟକ ଯୋଡ଼ିବାକୁ ଲକ୍ଷ୍ୟ ରହିଛି । ପ୍ରଥମେ 3 ଟି ହାଇଡ୍ରୋଜେନ ବସ ଏନଟିପିସି ଦ୍ୱାରା ଚାଲିବ । ସର୍ବସାଧାରଣରେ ଏକ ସ୍ଥାୟୀ ବିକଳ୍ପ ଯୋଗାଇ ଡିଜେଲ ବସ ବଦଳାଇବା ପାଇଁ ଏହି ବସର ଡିଜାଇନ କରାଯାଇଛି । ଏକ କିଲୋଗ୍ରାମ ହାଇଡ୍ରୋଜେନ ପ୍ରତି ବସରେ 12 କିଲୋମିଟର ମାଇଲେଜ ପ୍ରଦାନ କରିବ । ବସ ଗଡିଲେ 50-55 ଟଙ୍କା ପ୍ରତି କିଲୋମିଟର ଖର୍ଚ୍ଚ ହେବ । ଯାହାକି ଦିଲ୍ଲୀ, ଲଦାଖଠୁ ବହୁତ କମ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ହାଇଡ୍ରୋଜେନ ପ୍ରସ୍ତୁତ ପାଇଁ ସ୍ୱେରେଜ ୱାଟର ବ୍ୟବହାର ହେବ । ପୂର୍ବ ଭାରତରେ ଏଭଳି ପ୍ରୋଜେକ୍ଟ ଆରମ୍ଭ କରିବାରେ ଓଡ଼ିଶା ପ୍ରଥମ ହେବ ।
