ସୁଜାତାଙ୍କ ଛୁଟି ବୃଦ୍ଧି ଆବେଦନ ଅଗ୍ରାହ୍ୟ ।

ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ସୁଜାତା ଆର୍‌ କାର୍ତ୍ତିକେୟନ୍‌ଙ୍କୁ ରାଜ୍ୟ ସରକାର ଆସନ୍ତାକାଲି (୨୦୨୪ ନଭେମ୍ବର ୨୭) ଚାକିରିରେ ଯୋଗ ଦେବାକୁ ପରାମର୍ଶ ଦେଇଛନ୍ତି। ଏଥି ସହିତ ରାଜ୍ୟ ସରକାର ଶ୍ରୀମତୀ କାର୍ତ୍ତିକେୟନଙ୍କ ଆଉ ୬ ମାସ ଛୁଟି ଆବେଦନକୁ ଅଗ୍ରାହ୍ୟ କରି‌ ଦେଇଛନ୍ତି। ୨୭ ତାରିଖ ଅର୍ଥାତ ବୁଧବାରଠାରୁ ତାଙ୍କୁ କାର୍ଯ୍ୟରେ ଯୋଗ ଦେବକୁ ଥିବା ବେଳେ ସୁଜାତା ଲୋକସେବା ଭବନରେ କେଉଁଠି ବସିବେ ? ଗୁରୁତ୍ୱପୂଣ୍ଣ ନା ଗୌଣ ବିଭାଗ ମିଳବ ? ଏଭଳି କେତେକ ପ୍ରଶ୍ନକୁ ନେଇ ପାଓ୍ୱାର କରିଡରରେ ଆଲୋଚନା ହେଉଛି । ଆଇଏଏସ୍‌ କାର୍ତ୍ତିକେୟନ ମେ ୩୧ରୁ ଛୁଟିରେ ଯାଇଥିବା ବେଳେ ଆଉ ୬ ମାସ ଛୁଟିରେ ରହିବାକୁ ଚାହୁଁଥିଲେ। ତେବେ ତାଙ୍କ ଛୁଟିକୁ ମୋହନ ସରକାର ନାଁ କରିଦେବା ସହ ତାଙ୍କୁ ବୁଧବାର କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି।ବିଜେଡି ସରକାରର ପ୍ରଶାସନରେ ସୁଜାତାଙ୍କ ବେଶ ଦବଦବା ରହିଥିଲା। କିନ୍ତୁ ଚଳିତ ବର୍ଷ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ନିଜ ପଦର ଦୁରୁପଯୋଗକରି ମିଶନ ଶକ୍ତି ଜରିଆରେ ମହିଳା ଭୋଟରଙ୍କୁ ବିଜେଡିରେ ଭୋଟ୍ ଦେବା ପାଇଁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଥିଲା।

ଏହା ପରେ ନିର୍ବାଚନ କମିଶନଙ୍କ ଛାଟ ତାଙ୍କ ଉପରେ ପଡିଥିଲା। ଆଉ ତାଙ୍କୁ ମିଶନ୍ତ ଶକ୍ତି ବିଭାଗରୁ ବଦଳି କରି ଦିଆ ଯାଇଥିଲା। ଏହା ପରେ ନିର୍ବାଚନରେ ବିଜେଡିର ପରାଜୟ ହେବା ଏବଂ ବିଜେପି ସରକାରକୁ ଆସିବା ପରେ ସୁଜାତା ତୁରନ୍ତ ଛଅ ମାସ ଛୁଟିରେ ଯିବାକୁ ଜୁନ ୬ ତାରିଖରେ ଆବେଦନ କରିଥିଲେ। ପିଲାଙ୍କ ଯତ୍ନ ପାଇଁ ସେ ଛୁଟି ଚାହୁଁଥିବା ଆବେଦନରେ ଦର୍ଶାଇଥିଲେ। ପିଛିଲା ଭାବେ ମେ ୩୧ରୁ ନଭେମ୍ବର ୨୬ ପର୍ଯ୍ୟନ୍ତ ତାଙ୍କ ଛୁଟିକୁ ମଞ୍ଜୁରୀ ଦେଇଥିଲେ ତତ୍କାଳୀନ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା। ଆଉ ଆଜି ସୁଜାତାଙ୍କ ଛଅ ମାସର ଛୁଟି ଅବଧି ପୂରା ହୋଇଛି। ପୁଣି ଆଉ ଛଅ ମାସ ଛୁଟି ଦେବାକୁ ସେ ସାଧାରଣ ପ୍ରଶାସନ ବିଭାଗରେ ଆବେଦନ କରିଥିଲେ, ଯାହାକୁ ଖାରଜ କରି ଦିଆଯାଇଛି।

You might also like