ଶ୍ରୀମନ୍ଦିର ସେବାୟତଙ୍କୁ ଆକ୍ରମଣ ଘଟଣା: ପନ୍ତି ବଡୁ ସେବକ ନିଲମ୍ବିତ

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ସିନିଅର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରା ନିଲମ୍ବିତ ହୋଇଛନ୍ତି।। ଶ୍ରୀମନ୍ଦିର ପରିସର କିମ୍ବା ରୋଷ ଘରେ ପ୍ରବେଶ କରିବାକୁ ନିଷିଦ୍ଧ କରାଯାଇଛି। ସେପଟେ ଏହି ଘଟଣାକୁ ନେଇ ମୁଖ୍ୟ ପ୍ରଶାସକ କହିଛନ୍ତି ଶ୍ରୀମନ୍ଦିରରେ କୌଣସି ପ୍ରକାର ବିଶୃଙ୍ଖଳା ବରଦାସ୍ତ କରାଯିବନି। ସୂଚନା ମୂତାବକ ଶୁକ୍ରବାର ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଦୁର୍ବୃତ୍ତଙ୍କ ଭୁଜାଲି ଚୋଟରେ ଜଣେ ବରିଷ୍ଠ ସେବାୟତ ତଥା ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ କାର୍ଯ୍ୟରତ ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀ ଗୁରୁତର ଆହତ ହୋଇଥିଲେ। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାରଯାଇଥିଲା ।

ଆନନ୍ଦ ବଜାରରେ ଅଣ ସେବାୟତଙ୍କ ପ୍ରାଦୁର୍ଭାବର ପ୍ରତିବାଦ କରିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି।ଆକ୍ରମଣର ଶିକାର ହୋଇଥିବା ପ୍ରତିହାରୀ କହିଛନ୍ତି, ଶ୍ରୀମନ୍ଦିର ଆନନ୍ଦ ବଜାରରେ ଅଣସେବାୟତଙ୍କ ପ୍ରବେଶ ଓ ବାହାର ଜିନିଷ ବିକ୍ରି ଉପରେ କଟକଣା ଲାଗୁ କରାଯାଇଛି। ଫଳରେ ଆନନ୍ଦ ବଜାରରେ ବସି ରାବିଡ଼ି ଏବଂ ଅନ୍ୟାନ୍ୟ ଜିନିଷ ବିକ୍ରି କରୁଥିବା ବ୍ୟକ୍ତିମାନଙ୍କୁ ହଟାଇ ଦିଆଯାଇଥିଲା। ଆନନ୍ଦବଜାରରେ ରାବିଡ଼ି ବିକ୍ରି କରୁଥିବା ଜଣେ ବ୍ୟକ୍ତି ସେହି ରାଗ ରଖି ତାଙ୍କୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ତାଙ୍କ ଡାହାଣ ହାତ ସମେତ ଶରୀରର କେତେକ ସ୍ଥାନରେ ଗୁରୁତର ଆଘାତ ଲାଗିଛି।