ଦମ୍ ଦେଖାଇଲା ହାର୍ପି, ଇସ୍ରାଏଲଠାରୁ ଆଣିଥିଲା ଭାରତ

ଭାରତ ଗୁରୁବାର ଅପରେସନ ‘ସିନ୍ଦୂର’ର ୨ୟ ଦିନରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ପାକିସ୍ତାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାଯୁକ୍ତ ରାଡାର ଏଚକ୍ୟୁ-୯କୁ ଭାରତ ଧ୍ବଂସ କରିଦେଇଛି। ତେବେ ଏହି ରାଡାରକୁ ଧ୍ବଂସ କରିଛି ଏକ ଡ୍ରୋନ। ଯାହାର ନାଁ ହେଉଛି ହାର୍ପି।ଇସ୍ରାଏଲ୍ ଦ୍ୱାରା ନିର୍ମିତ ଦୁନିଆର ଘାତକ ଡ୍ରୋନ୍ ମଧ୍ୟରେ ସାମିଲ ହାର୍ପି ପାକିସ୍ତାନରେ ତାଣ୍ଡବ ରଚିଛି ।ଇସ୍ରାଏଲ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍ ଏହାକୁ ବିକଶିତ କରିଛି । ଏହା ଏକ ଲାଇଟରିଂ ମ୍ୟୁନିସନ । ମୁଖ୍ୟତଃ ଶତ୍ରୁପକ୍ଷର ରାଡାର ସିଷ୍ଟମ ଏବଂ ବାୟୁ ପ୍ରତିରକ୍ଷା ସିଷ୍ଟମକୁ ନଷ୍ଟ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହି ଡ୍ରୋନ୍ ନିରୀକ୍ଷଣ ଏବଂ ସଠିକ୍ ଆକ୍ରମଣ ଉଭୟ କରିବାରେ ସକ୍ଷମ । ହାର୍ପି ଡ୍ରୋନକୁ ଫାୟାର ଆଣ୍ଡ ଫରଗେଟ୍ ମିସାଇଲ ମଧ୍ୟ କୁହାଯାଏ । କାରଣ ଆକ୍ରମଣ କରିବା ପରେ ଏହି ଡ୍ରୋନ୍ ନଷ୍ଟ ହୋଇଯାଏ । ଭାରତ ୨୦୦୦ ମସିହାରେ ଇସ୍ରାଏଲଠାରୁ ଏହି ଡ୍ରୋନ୍ କିଣିଥିଲା ।ଏହି ଡ୍ରୋନ୍ ଘଣ୍ଟା ପ୍ରତି ସର୍ବାଧିକ ୧୮୫ କି.ମି. (୧୧୫ ମାଇଲ ପ୍ରତି ଘଣ୍ଟା) ବେଗରେ ଗତି କରିପାରିବ । ୫୦୦ରୁ ୧୦୦୦ କିଲୋମିଟର ଦୂରତା ଯାଏ ଏହା ଯାତ୍ରା କରିପାରିବ । ଆକାଶରେ ଉଡ଼ିବା ପରେ, ପ୍ରାୟ ଛଅରୁ ନଅ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ରହିପାରିବେ । ଏହି ଡ୍ରୋନଗୁଡ଼ିକ ନିଜ ସହ ୩୨ କିଲୋଗ୍ରାମ ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର ନେଇପାରିବେ । ଏଚକ୍ୟୁ-୯ ଚୀନ ଦ୍ଵାରା ନିର୍ମିତ ଉନ୍ନତ ରାଡାର। ଭାରତ ଏହାକୁ ଧ୍ବଂସ କରିବା ପରେ ପାକିସ୍ତାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ବଡ଼ ଝଟକା ଲାଗିଛି। ପାକିସ୍ତାନୀ ସେନା ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ କହିଛନ୍ତି ଯେ, ଏହି ଆକ୍ରମଣରେ ୪ ସୈନିକ ଆହତ ହୋଇଛନ୍ତି।

You might also like