ଆସନ୍ତୁ ଜାଣିବା ସେହି ମହାନ ବ୍ୟକ୍ତିଙ୍କୁ ଯିଏ ଆମ ଜାତୀୟ ପତାକା ତିଆରି କରିଥିଲେ।

୧୪୨ ବର୍ଷ ପୂର୍ବର କଥା, ୧୮୭୬ ଅଗଷ୍ଟ ୨ ତାରିଖରେ ଆନ୍ଧ୍ରପ୍ରଦେଶର ମଛଲିପତ୍ତନମ ନିକଟବର୍ତ୍ତି ଏକ ଗାଁରେ ପିଙ୍ଗାଲି ଭେଙ୍କେୟାଙ୍କ ଜନ୍ମ ହୋଇଥିଲେ। ସେ ୧୯ ବର୍ଷ ବୟସରେ ବ୍ରିଟିସ ଆର୍ମିରେ ଯୋଗ ଦେଇ ତାଙ୍କର କ୍ୟାରିଅରର ଶୁଭାରମ୍ଭ କରିଥିଲେ। ବ୍ରିଟିସ ଆର୍ମିିରେ ଥିବା ଅବସ୍ଥାରେ ଏକ ଯୁଦ୍ଧରେ ମହାତ୍ମା ଗାନ୍ଧିଙ୍କ ସହ ତାଙ୍କର ଦେଖା ହୋଇଥିଲା। ମହାତ୍ମା ଗାନ୍ଧିଙ୍କ ସହ ଦେଖା ହେବା ପରେ ତାଙ୍କ ମନରେ ଦେଶ ପ୍ରେମ ଜାଗି ଉଠିଥିଲା। ପରେ ସେ ମହାତ୍ମା ଗାନ୍ଧିଙ୍କ ପ୍ରେରଣାରେ ସ୍ୱାଧିନତା ସଂଗ୍ରାମୀ ଭାବେ ଯୋଗ ଦେଇଥିଲେ।

୧୯୨୧ରେ ପ୍ରଥମ ଥର ଦିଆଯାଇଥିଲା ଡିଜାଇନ : ପାଞ୍ଚ ବର୍ଷ ଯାଏ ପ୍ରାୟ ୩୦ ଦେଶର ପତାକା ବିଷୟରେ ଗମ୍ଭୀରତାର ସହ ରିସର୍ଚ୍ଚ କରିବା ପରେ ୧୯୨୧ରେ ପ୍ରଥମ ଥର ଭାରତୀୟ ପତାକାର ଡିଜାଇନକୁ ଭେଙ୍କେୟା ସମସ୍ତଙ୍କ ସମ୍ନାରେ ରଖିଥିଲେ। ସେହି ପତାକାରେ ପ୍ରଥମେ ଦୁଇଟି ରଙ୍ଗ ଲାଲ ଏବଂ ସବୁଜ ରହିଥିଲା। ଏହି ଦୁଇଟି ରଙ୍ଗ ହିନ୍ଦୁ ଏବଂ ମୁସଲମାନଙ୍କୁ ସୁଚାଉଥିଲା। ପରେ ଅନ୍ୟ ଧର୍ମର ଲୋକମାନଙ୍କ ପାଇଁ ମହାତ୍ମା ଗାନ୍ଧି ମଝିରେ ଧଳା ରଙ୍ଗ ରଖିବା ପାଇଁ କହିଥିଲେ ଏବଂ ରାଷ୍ଟ୍ରୀୟ ପ୍ରଗତିର ପ୍ରତିକ ଭାବେ ଚରଖକୁ ମଧ୍ୟ ପତାକା ମଧ୍ୟରେ ସ୍ଥାନ ଦେଇଥିଲେ। ପରେ ଏହି ପତାକାରେ ଥିବା ଲାଲ ରଙ୍ଗକୁ ବଦାଳାଇ ଦିଆଯାଇ ନାରଙ୍ଗି ରଙ୍ଗ କରିଦିଆଗଲା ଓ ତ୍ରିରଙ୍ଗା ମଝିରେ ଦିଆଯାଇଥିବା ଚରଖ ଚିତ୍ରକୁ ସଂଶୋଧନ କରାଯାଇ ଅଶୋକ ସ୍ତମ୍ଭର ଚକ୍ରକୁ ରଖାଗଲା। ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ସମ୍ବିଧାନ ଏହାକୁ ରାଷ୍ଟ୍ରୀୟ ଧ୍ୱଜାର ଅଧିକାର ଦେଇଥିଲା।

ଦେଶ ସ୍ୱାଧୀନ ହେବା ପରେ ଭାରତର ଆନ-ବାନ-ସାନର ପ୍ରତୀକ ବନିପାରିଥିଲା ଏହି ତ୍ରିରଙ୍ଗା ପତାକା। ଏତେ ବଡ ମହାନ କାମ କରିବା ସତ୍ୱେ ବି ଭେଙ୍କେୟାଙ୍କ ଜୀବନ ଅଭାବ ଅନାଟନରେ କଟିଥିଲା। ୧୯୬୩ରେ ବିଜୟଓ୍ଵାଡାର ଏକ କୁଡିଆରେ ତାଙ୍କ ଦେହାନ୍ତ ହୋଇଥିଲା। ୨୦୦୯ରେ ତାଙ୍କ ଉପରେ ଏକ ଡାକ ଟିକେଟ ଜାରି ହେଲା। ପରେ ଗତ ବର୍ଷ ଜାନୁଆରି ମାସରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ବିଜୟଓ୍ଵାଡାର ଅଲ ଇଣ୍ଡିଆ ରେଡିଓ ବିଲ୍‌ଡିଙ୍ଗରେ ଭେଙ୍କେୟାଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି।