ମଝି ଆକାଶରେ ସରିଗଲା ବିମାନର ଇନ୍ଧନ, ପାଇଲଟ୍ ଦେଇଥିଲେ MAY DAY କଲ୍
ମଝି ଆକାଶରେ ବିମାନରୁ ସରିଗଲା ଇନ୍ଧନ। ଫଳରେ ବାଧ୍ୟହୋଇ ପାଇଲଟ ବିମାନକୁ ଜରୁରୀ ଅବତରଣ କରାଇଛନ୍ତି। ଗତ ଗୁରୁବାରର ଏହି ଘଟଣା ଏବେ ସାମ୍ନାକୁ ଆସିଛି।ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାୟ ଗୋଟିଏ ସପ୍ତାହ ପରେ ଅନ୍ୟ ଏକ ବିମାନର ପାଇଲଟ୍ MAYDAY କଲ୍ କରିଛନ୍ତି। ଇଣ୍ଡିଗୋର ଗୌହାଟୀ-ଚେନ୍ନାଇ ବିମାନର ପାଇଲଟ୍ ଏହି ଜରୁରୀକାଳୀନ କଲ୍ କରିଥିଲେ।ସୂଚନା ଅନୁଯାୟୀ, ଉଡାଣ ପରେ ପାଇଲଟ୍ ବିମାନରେ ଇନ୍ଧନର ଅଭାବ ଦେଖିଥିଲେ, ଯାହା ପରେ ସେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି)କୁ MAYDAY କଲ୍ କରିଥିଲେ। ଯାହା ପରେ ବିମାନକୁ ତୁରନ୍ତ ବେଙ୍ଗାଲୁରୁ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା।
MAYDAY କଲ୍ ହେଉଛି ଏକ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଜରୁରୀକାଳୀନ କଲ୍। ବିମାନ ଚଳାଚଳ ଭାଷାରେ କହିବାକୁ ଗଲେ, ଯେତେବେଳେ ଏକ ବିମାନ ବିପଦରେ ଥାଏ ସେତେବେଳେ ଏହି କଲ କରାଯାଇଥାଏ।ତେବେ ଅବତରଣ ପୂର୍ବରୁ ବିମାନକୁ ଅନେକ ସମୟ ଧରି ଆକାଶରେ ସମୟ କାଟିବାକୁ ପଡ଼ିଥିଲା। କାରଣ ଟ୍ରାଫିକ ଜାମ୍ ଥିବାରୁ ବିମାନକୁ ତୁରନ୍ତ ଅବତରଣ ଅନୁମତି ମିଳି ନ ଥିଲା। ରାତି ୮ଟା ୧୫ରେ ବେଙ୍ଗାଲୁରୁର କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଭାବେ ବିମାନ ଅବତରଣ କରିଥିଲା।ଅବତରଣ ପରେ ଯାତ୍ରୀମାନଙ୍କୁ ବିମାନରୁ ବାହାର କରାଯାଇଥିଲା। ଏହା ପରେ ବିମାନରେ ଇନ୍ଧନ ଭର୍ତ୍ତି କରାଯାଇଥିଲା। ପରେ ବିମାନ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲା।
