କଂଗ୍ରେସ ୧୦୧ ଆସନରେ ଲଢି ୨୦ ସିଟ୍ ଜିତିବା ମୁସ୍କିଲ

ଲୋକସଭା ନିର୍ବାଚନର ଫଳାଫଳ ଦିନ ଜୁନ ୪ରେ କଂଗ୍ରେସ ମୁଖ୍ୟାଳୟ ସ୍ଥିତ ପାର୍ଟିର ସାଧାରଣ ସଂପାଦକ ମୁକୁଲ ଓ୍ଵାସନିକଙ୍କ ପ୍ରକୋଷ୍ଠରେ ନେତାଙ୍କ ଗହଳି ଜମିଥିଲା ଏବଂ ଉତ୍ସବର ମାହୋଲ ଥିଲା। ମାତ୍ର ଏହାର ଛଅ ମାସ ପରେ ନଭେମ୍ବର ୨୩ରେ ଏହି କଠୋରୀରେ ନିରବତା ଛାଇ ଯାଇଛି। ଏହାର କାରଣ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପାର୍ଟି ଓ ମେଣ୍ଟର ଶୋଚନୀୟ ପରାସ୍ତ।ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ଓ ମହାବିକାଶ ଅଘାଡ଼ି ପଛୁଆ ରହିବା ପରେ ପାର୍ଟିର କୌଣସି ବରିଷ୍ଠ ନେତା ମୁଖ୍ୟାଳୟ ପହଞ୍ଚି ନାହାନ୍ତି।

ମଧ୍ୟାହ୍ନ ୧୨ଟା ସୁଦ୍ଧା ଚିତ୍ର ସ୍ପଷ୍ଟ ହେବା ପରେ କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କ ଗହଣରେ ରହିଥିବା କ୍ଷୀଣ ଆଶା ବି ମଉଳି ଯାଇଛି। ତେବେ କିଛି ନେତା ପାର୍ଟି ମୁଖ୍ୟାଳୟ ପହଞ୍ଚିଛନ୍ତି। କଂଗ୍ରେସ ମୁଖ୍ୟାଳୟରେ କେବଳ ବରିଷ୍ଠ ନେତାଙ୍କ ପ୍ରକୋଷ୍ଠ ଖାଲି ନ ଥିଲା ବରଂ ପାର୍ଟି ମୁଖ୍ୟାଳୟ ବାହାରେ, ପ୍ରାଙ୍ଗଣରେ ଓ କ୍ୟାଣ୍ଟିନରେ ମଧ୍ୟ ସାଧାରଣ ଦିନ ପରି ଭିଡ଼ କମ ରହିଥିଲା। ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଚେହେରାରେ ନିରାଶ ଭାବ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲ। କଂଗ୍ରେସ କ୍ୟାଣ୍ଟିନରେ ଲଡୁ ଓ ରସଗୋଲା ପରି ମିଠା ପ୍ରସ୍ତୁତ କରି ରଖା ଯାଇଥିଲା, ମାତ୍ର ନିର୍ବାଚନ ଫଳାଫଳ କାରଣରୁ ସେ ସବୁ ଯେମିତି ରହିବା କଥା ସେମିତି ରହିଛି। ପାର୍ଟିର ଜଣେ ନେତା କହିଛନ୍ତି, ହରିୟାଣା ପରେ ପୁଣି ଥରେ ଆମ ଆଶାକୁ ଜୋରଦାର ଝଟକା ଲାଗିଛି। ଝାଡ଼ଖଣ୍ଡ ଫଳାଫଳ କାର୍ଯ୍ୟକର୍ତ୍ତାଙ୍କୁ କିଛିଟା ଆଶ୍ଵସ୍ତି ଦେବ।

You might also like