ଛାତିରେ ବାପାଙ୍କୁ ହରେଇବାର କୋହକୁ ଚାପି କଲେ ଲୁହଭିଜା ଅଭିନୟ

କୋଇଡା ପଡିଆ ଠାରେ ଚାଲିଥିଲା ଯାତ୍ରା । ମଂଚସ୍ଥ ହେଉଥିଲା ସ୍ୱପ୍ନ ମହଲର ନୂଆ ନାଟକ ‘ଚକା ଆଖି ମୋ ଶେଷ ସାକ୍ଷୀ’। ଆଉ ସେତିକି ବେଳେ ଆସିଥିଲା ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀଙ୍କ ପିତୃ ବିୟୋଗ ଖବର । ପ୍ରଥମ ଥର ବୋଲି ନାଟ୍ୟକାର, ନିର୍ଦ୍ଦେଶକ, ଲେଖକଙ୍କ ଉପସ୍ଥିତିରେ ସମେତ ଶହ ଶହ ଦର୍ଶକଙ୍କ ଆଗରେ ଚାଲିଥାଏ ନାଟକ ।

ମୁଖ୍ୟ ଭୂମିକାରେ ଥାଆନ୍ତି ଅଭିନେତ୍ରୀ ଟିକିନା ସ୍ୱାଇଁ । ଠିକ୍ ଦୁଇଟି ସିନ୍ ପରେ ସାଥୀ କଳାକାର ମୁନା ଓ ମୁଖ୍ୟ ଭିଲିଆନ୍ ଭୂମିକାରେ ଥିବା ତାଙ୍କ ସ୍ୱାମୀ ଶୁଭେନ୍ଦୁ ଚୌଧୁରୀ ପାଖକୁ ନିଆଳିରୁ ଭାଇଙ୍କ କଲ୍ ଆସିଲା ବାପା ଚାଲିଗଲେ । ଆଉ ଧର୍ମ ସଙ୍କଟରେ ପଡିଯାଇଥିଲେ ଜ୍ୱାଇଁ । ସଙ୍ଗେସଙ୍ଗେ ଅଭିନେତ୍ରୀଙ୍କୁ କିଛି କହିନଥିଲେ, ପରେ ଟିକିଏ ଫୁରୁସତ୍ ଦେଖି ଜଣାଇଥିଲେ ଏହି ଦୁଃଖଦ ଖବର । ଏକଥା ଶୁଣି ଟିକିନାଙ୍କ ପାଦତଳୁ ମାଟି ଖସିଯାଇଥିଲା । କିନ୍ତୁ ଦର୍ଶକଙ୍କ ମନୋରଂଜନ ପାଇଁ ନିଜ ଦୁଃଖକୁ ନିଜ ଭିତରେ ରଖି, ଛଳଛଳ ଆଖିରେ କରିଥିଲେ ଅଭିନୟ ।ଏହାକୁ ନେଇ ନାଟକ ନିର୍ଦ୍ଦେଶକ, ନାଟ୍ୟକାର, ସାଥୀ କଳାକାର ଦୁଃଖ ପ୍ରକାଶ ସହ କହିଥିଲେ ଏ ହେଉଛି କଳାକାର ମାନଙ୍କ ଜୀବନ ।