ବିଧାୟକ, ସାଂସଦ, ମନ୍ତ୍ରୀ ବୋଲି ଗର୍ବ ଓ ଅହଂକାର କରନି-ଗୁରୁମନ୍ତ୍ର ଦେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ

ଗର୍ବ, ଅହଙ୍କାର କରନାହିଁ । ଗ୍ରାଉଣ୍ଡକୁ ଯାଅ । ପୁରୀରେ ବିଧାୟକ ଓ ସାଂସଦଙ୍କୁ ଏଭଳି ଟିପ୍ସ ଦେଇଛନ୍ତି ବିଜେପିର ଜାତୀୟ ସଭାପତି ଜେ.ପି ନଡ୍ଡା । ୩ଦିନିଆ ପ୍ରଶିକ୍ଷଣ ଶିବିରରେ ସରକାର ଓ ସଙ୍ଗଠନ ମଧ୍ୟରେ ସମନ୍ବୟ ରଖି ୧୪ଟି ବିନ୍ଦୁ ଉପରେ ଗୁରୁତ୍ବ ଦେଇଛନ୍ତି । ଗ୍ରାଉଣ୍ଡ, ଅଙ୍ଗନୱାଡ଼ି ଓ ମେଡ଼ିକାଲକୁ ଯାଇ ଅଧ ଘଣ୍ଟାଏ ବସ। ଅଫିସରଙ୍କ ସହ ଭଲ ସଂପର୍କ ରଖି କାମ ଆଦାୟ କରିବା ଶିଖ। ସଂଗଠନ କିପରି ବୃଦ୍ଧି ହେବ ସେ ଦିଗରେ ଦୃଷ୍ଟି ଦିଅ କହିଲେ ନଡ୍ଡା।ବିଜେପି ପ୍ରଶିକ୍ଷଣ ବର୍ଗରେ ଆୟୋଜିତ ଏକ ଫଟୋ ପ୍ରଦର୍ଶନୀକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ନଡ୍ଡା ଉଦଘାଟନ କରିଥିଲେ। ଏଥିରେ ବିଜେପି ସଙ୍ଗଠନର ଇତିହାସ ଓ ସଂଘର୍ଷର କାହାଣୀ ପ୍ରଦର୍ଶିତ କରାଯାଇଛି। ପ୍ରଦର୍ଶନୀରେ ବିଜେପିର ଜୟ ଯାତ୍ରା, ଭୋଟ ପ୍ରତିଶତ ବୃଦ୍ଧି, ନୀତି ଆଦର୍ଶ, ମୂଳ ଦର୍ଶନ ଓ ଏକତ୍ମ ମାନବବାଦ, ନେତୃତ୍ୱର ଝଲକ ଦେଖିବାକୁ ମିଳିଛି। ଏହାସହ ଜଗନ୍ନାଥ ସଂସ୍କୃତି ଓ ମହାପ୍ରଭୁ ଜଗନ୍ନାଥଙ୍କ ବିଭିନ୍ନ ବେଶର ଫଟୋ ଚିତ୍ର ମଧ୍ୟ ଦେଖିଲେ ଶ୍ରୀ ନଡ୍ଡା।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାଂସଦ ଡା. ସମ୍ବିତ୍‌‌ ପାତ୍ର, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ବହୁ ସାଂସଦ ଓ ବିଧାୟକମାନେ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌‌ ରୋଡସ୍ଥିତ ସ୍ୱାମୀ ନାରାୟଣ ମନ୍ଦିର ପ୍ରାଙ୍ଗଣରେ ପହଂଚିଥିଲେ। ରାତିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପହଂଚିଥିଲେ। ଆଜି ସକାଳ ସାଢ଼େ ୯ଟାରେ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଥିଲା।

You might also like