ଜୁଏଲ ଓରାମଙ୍କ ବଡ଼ ଘୋଷଣା “ମୁଁ ଆଉ ନିର୍ବାଚନ ଲଢ଼ିବି ନାହିଁ”

ସୁନ୍ଦରଗଡ଼ ଏମ୍‌ପି ଜୁଏଲ ଓରାମ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଆଉ ନିର୍ବାଚନ ଲଢ଼ିବେନି ବୋଲି ଜୁଏଲ ଓରାମ କହିଛନ୍ତି। ଯୁବପିଢ଼ିଙ୍କ ପାଇଁ ରାଜନୀତି ବାଟ ଖୋଲିବା ସକାସେ ଜୁଏଳ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି । ନିଜ ରାଜନୈତିକ କ୍ୟାରିୟରରେ ଜୁଏଲ୍ ୧୦ ଥର ନିର୍ବାଚନ ଲଢ଼ିଛନ୍ତି ।

ସେ ୮ ଥର ଏମପି ଏବଂ ୨ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଗତ ନିର୍ବାଚନ ପ୍ରଚାର ସମୟରେ ଜୁଏଲ ଓରାମ ଆଗାମୀ ଦିନରେ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲେ ।କେନ୍ଦ୍ରରେ ଓଡ଼ିଶାରୁ ୩ ଜଣଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ମିଳିଛି। ଗତ ମନ୍ତ୍ରିମଣ୍ଡଳରେ ପୂର୍ବରୁ ରହିଆସିଥିବା ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ପୁଣିଥରେ ସାମିଲ ହୋଇଥିବା ବେଳେ ଜୁଏଲ ଓରାମଙ୍କୁ ୫ ବର୍ଷ ପରେ ପୁଣି ସୁଯୋଗ ମିଳିଛି। ସେ ତାଙ୍କର ପୁରୁଣା ମନ୍ତ୍ରଣାଳୟ ଆଦିବାସୀ ବ୍ୟାପାର ପାଇଛନ୍ତି। ଲୋକ ସଭା ଆସନରୁ କ୍ରମାଗତ ବିଜୟୀ ହୋଇଆସୁଥିବା ଜୁଏଲଙ୍କୁ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ମନ୍ତ୍ରୀ ପଦ ମିଳି ନ ଥିଲା। ସେହି ସମୟରେ ଅର୍ଜୁନ ମୁଣ୍ଡାଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଥିଲା। କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଥିବା ଜୁଏଲ ୧୯୯୮ରେ ପ୍ରଥମ କରି ସୁନ୍ଦରଗଡ଼ ଲୋକ ସଭା କ୍ଷେତ୍ରରୁ ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ। ତେବେ ନିର୍ବାଚନ ନ ଲଢ଼ି ଦଳୀୟ ସାଂଗଠନୀକ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ଜୁଏଲ ସ୍ପଷ୍ଟ କରିଛନ୍ତି ।

You might also like