କଳିଯୁଗ ପ୍ରଵେଶ  ,ଓଡ଼ିଆ ଭାଗବତ ।।

ସୂତ କହିଲେ,”ହେ ମୁନିଗଣ! ଶୁଦ୍ଧ ଚିତ୍ତରେ ହରି ଚରିତ ଶୁଣ। ପ୍ରାଚୀ ସରସ୍ବତୀ ନଦୀ କୁଳରେ ଚତୁରଙ୍ଗ ସେନା ବାହିନୀ ସହିତ ରାଜା ପରୀକ୍ଷିତ ପହଞ୍ଚିଲେ।ଗାଈ ଓ ବୃଷଭ ସହିତ ଜଣେ ରାଜବେଶଧାରୀ ଲୁହାର ବାଡ଼ି ହାତରେ ଧରି ସେଥିରେ ବୃକ୍ଷର ପାଦରେ ବହୁତ ଯୋରରେ ପ୍ରହାର କରୁଛନ୍ତି। ତାଙ୍କ ପ୍ରହାରରେ ବିକଳ ହୋଇ ବୃଷଭଙ୍କ ଚକ୍ଷୁରୁ ଅଶ୍ରୁଜଳ ବୋହି ଚାଲିଛି।ସେ ମହାଭୟରେ ଥରୁଛି। ଗାଇର ପାଦରେ ପ୍ରହାର କରୁଛନ୍ତି। ତାଙ୍କ ପ୍ରହାରରେ ଗାଈ କାନ୍ଦୁଛନ୍ତି। ଚାରି ପାଦ ଥିଲେ ମଧ୍ୟ ସେ ସ୍ଥିର ହୋଇ ରହି ପାରୁ ନଥିଲେ ଓ କାନ୍ଦୁଥିଲେ। ରାଜା ପରୀକ୍ଷିତ କଳିରାଜାଙ୍କୁ ଚାହିଁ ପ୍ରହାର କରିବାର କାରଣ ପଚାରିଲେ। ରାଜା ପରୀକ୍ଷିତ ପଚାରିଲେ,”ତୁମେ କେଉଁଠୁ ଆସିଲ? ତୁମ ନାମ କ’ଣ,?ଦୁର୍ବଳ ପ୍ରାଣୀଙ୍କୁ ପାଦରେ ପ୍ରହାର କରୁଛୁ।ରାଜରୂପ ଧାରଣ କରି ବଳୀୟାର ପଣେ ପ୍ରହାର କରୁଛ।ଦେଖ,ମୋ ହାତରେ ଧନୁର୍ବାଣ ରହିଛି।”ପୁଣି ବୃଷଭଙ୍କୁ ପଚାରିଲେ,” ହେ ବୃଷଭ! ତୁମେ ମୃଣାଳ ପରି ଧବଳ। ଗୋଟିଏ ପାଦରେ କାହିଁକି ତୁମ୍ଭେ ଚଳୁଛ?ତୁମର ତିନି ପାଦ କୁଆଡ଼େ ଗଲା? ତୁମେ କେଉଁ ଦେବତା କହ! ମାୟାରେ ବୃଷଭ ରୂପ ଧାରଣ କରିଛ? ଏକଥା ମୋ ମନରେ ବଡ଼ ପ୍ରଶ୍ନ ସୃଷ୍ଟି କରୁଛି।” ପୁଣି ଗାଈକୁ ଚାହିଁ ଆଶ୍ଵାସନା ଦେଇ ପଚାରିଲେ, ତୁମେ ଧେନୁ, କାହିଁକି କାନ୍ଦୁଛ?ବୃଷଭଙ୍କ ଭୟ ତୁମର ନାହିଁ।ହେ ମାତା! ତୁମେ କାନ୍ଦ ନାହିଁ। ମୁଁ ପାଳନକର୍ତ୍ତା ଥାଉଁ ଥାଉଁ ମୋ ପ୍ରଜାଙ୍କୁ ଦୁଃଖ ନାହିଁ।” ପୁଣି କହିଲେ,”ହେ ବୃଷଭ! ତୁମ ତିନି ପାଦ କୁଆଡ଼େ ଗଲା? କୃଷ୍ଣ ସେବକଙ୍କ ରାଜ୍ୟରେ ତୋ ପରି ଦୁଃଖ ଚିତ୍ତରେ କେହି ନାହାନ୍ତି।” ରାଜା ପରୀକ୍ଷିତଙ୍କ କଥା ଶୁଣି ଧର୍ମ କହିଲେ,”ପାଣ୍ଡବ ବଂଶର କୀର୍ତ୍ତିଧର ମାନେ ପ୍ରାଣୀଙ୍କ ଆରତ ଦୂର କରିଛନ୍ତି। 

ପାଣ୍ଡବମାନଙ୍କର ପୁଣ୍ୟ ଗୁଣ ପାଇଁ ଶ୍ରୀହରି ସାରଥି ଓ ଦୂତ ହୋଇଥିଲେ।ହେ ପୁରୁଷ ଶ୍ରେଷ୍ଠ ରାଜନ୍! ଯାହାର ସେବା ହେଉଛି ନିଜ ଧର୍ମ, ପ୍ରାଣୀଙ୍କ କଷ୍ଟ ସେ ଜାଣିପାରେ। କେହି ଆତ୍ମଜ୍ଞାନରେ ଆତ୍ମା ଧରି ବଞ୍ଚିଛନ୍ତି। କେହି ଦେହକୁ ବିକଳ୍ପ ଭାବନ୍ତି।କେହି କେହି କହନ୍ତି,ଦୈବ ଶକ୍ତି ବଳୀୟାର। କେହି କେହି କହନ୍ତି,କର୍ମର ଫଳ। କେହି କେହି କହନ୍ତି, ଈଶ୍ୱର ଏହା କରୁଛନ୍ତି।ଏ ଆଦି ବିଧି ବୃତ୍ତାନ୍ତକୁ ତୁମେ ରାଜା ମନରେ ଚିନ୍ତା କର।” ଏଭଳି ଧର୍ମଙ୍କ ମୁଖରୁ ଶୁଣି ରାଜା ପରୀକ୍ଷିତଙ୍କ ମନରୁ ଦୁଃଖ ଦୂର ହେଲା।ସେ ସ୍ଵଦେହରେ ଧର୍ମଙ୍କୁ ଦେଖିଲେ। ତାଙ୍କ ଦେହରେ ଉତ୍ତରୀ,ଅକ୍ଷମାଳ ଶୋଭା ପାଉଥିଲା। ଲମ୍ବ ଓ ସୁନ୍ଦର ଚାରି ହାତ। ମସ୍ତକରେ ଜଟା ଭାର ସୁଶୋଭିତ। ହୃଦୟରେ ଶ୍ରୀବତ୍ସ ଚିହ୍ନ। ରାଜା ପରୀକ୍ଷିତଙ୍କୁ ସ୍ଵରୂପ ଦେଖାଇ ସେହି ବୃଷଭ ଏକପାଦରେ ରହିଲେ। ରାଜା ପରୀକ୍ଷିତ ଧର୍ମ ଙ୍କ ରୂପକୁ ଲକ୍ଷ୍ୟ କରି ତାଙ୍କ ଚିତ୍ତରେ ଜ୍ଞାନଦୀପ ପ୍ରଜ୍ଜ୍ଵଳିତ ହେଲା। କପାଳରେ ଦୁଇ ହାତ ଯୋଡି ଧର୍ମଙ୍କୁ ରାଜା ପରୀକ୍ଷିତ ପଚାରିଲେ,”ହେ ଧର୍ମ ଦେବତା! ତୁମେ ଧର୍ମକଥା କହୁଛ,ବୃଷଭ ରୂପରେ ରହୁଛ। ଅଧର୍ମ କରୁଥିବା ଲୋକ କିମ୍ବା ଅଧର୍ମକୁ ପ୍ରକାଶିତ କରୁଥିବା ଲୋକ ଶାସ୍ତ୍ର ଅନୁସାରେ ନର୍କ ଗତି ଲଭନ୍ତି।ଦେବମାୟା ବଳରେ କେହି ମନ ଭିତରେ ଜାଣି ପାରନ୍ତି।ହେ ଧର୍ମ ଦେବତା!ତୁମର ଚାରି ପାଦ ପ୍ରଥମ ଯୁଗର ଆଚରଣ।ତପ,ଶଉଚ,ଦୟା, ସତ୍ୟ ଏସବୁ ଯୁଗ ଅନୁସାରେ ହୋଇଥାଏ। ସତ୍ୟଯୁଗ ଶେଷରେ ତପ ଗଲା। ତ୍ରେତୟାରେ ଶଉଚ ଗଲା। ଦ୍ଵାପର ଯୁଗ ଶେଷ ସହିତ ଦୟା ଗଲେ।କେବଳ ‌ସତ୍ଯ ରହିଲେ କଳିଯୁଗରେ।ତପକୁ ଗର୍ବ ନାଶ କଲା।ବିଷୟା ଶୌଚକୁ ହରିଲା।ଦୟା ମଦ ବଳରେ ହରଣ ହେଲା। ସତ୍ୟ କେବଳ ଏକପାଦ ହୋଇ ରହିଲେ। ଏହି ଏକପାଦକୁ କଳିଯୁଗ ବିପଦ। କଠୋର ସତ୍ୟ ଯେ ପାଳନ କରିବ,ସେ ପ୍ରାଣୀ କୃଷ୍ଣଙ୍କୁ ପାଇବ। କଳିଯୁଗ ଶେଷରେ ସତ୍ୟଯୁଗ ପ୍ରକାଶିତ ହେବ।

   କଳି ଙ୍କୁ ପରୀକ୍ଷିତ କହିଲେ,”ତୁମେ ମୋ ଦେଶରେ ପ୍ରବେଶ କରିବ ନାହିଁ। ଅଧର୍ମ,ଲୋଭ, ଅସତ୍ୟ, ଅଧର୍ମ, ମାୟା,କଳହ,ଦମ୍ଭ,ମୋହ, ଚୋରି,ପାପ, ସ୍ଵଧର୍ମଭ୍ରଷ୍ଟ ଏସବୁ ତୁମ ସଙ୍ଗରେ ଥିବାରୁ ତୁମେ ମୋ ଦେଶକୁ ପ୍ରବେଶ କରିବ ନାହିଁ।ବ୍ରହ୍ମାବର୍ତ୍ତ ରେ ଯେଉଁଠି ଶ୍ରୀହରିଙ୍କ ପୂଜା ହେଉଛି, ସେଠାରେ ତୁମେ ପ୍ରବେଶ କରିବ ନାହିଁ।ଏ ଧର୍ମ ମୋର ପ୍ରମାଣ। ଏହାକୁ ନାରାୟଣ ସାକ୍ଷୀ ଅଟନ୍ତି।

  କଳି କହିଲେ,”ମୁଁ କେଉଁଠି  ରହିବି, ମୋତେ କହି ଦିଅ।”ସୂତ କହିଲେ,”କଳି ଙ୍କ ବଚନ ଶୁଣି ସନ୍ତୋଷ ମନରେ ରାଜା ପରୀକ୍ଷିତ ତାଙ୍କୁ ଚାରି ପ୍ରକାର ସ୍ଥାନ ଦେଲେ। ଯେଉଁଠି ନିତ୍ୟ ଅଧର୍ମ ମେଳ ହେଉଛନ୍ତି, ସେଭଳି ସ୍ଥାନ ଦେଲେ।ଦ୍ୟୂତ, କାମିନୀ, ମଦ୍ୟପାନ,ପ୍ରାଣୀ ମାରଣ ସ୍ଥାନ କଳିଯୁଗ ଙ୍କୁ ଦେଲେ। କଳିଯୁଗ କହିଲେ, ମୋତେ ପଞ୍ଚମ ସ୍ଥାନ ଦିଅ।କଳି ଙ୍କ ବାକ୍ୟରେ ପରୀକ୍ଷିତ ସୁବର୍ଣ୍ଣ ତାଙ୍କ ହସ୍ତରେ ଦେଲେ। ରାଜାଙ୍କ କଥା ଅନୁସାରେ କଳି ପାଞ୍ଚଟି ସ୍ଥାନରେ ରହିଲେ। ଏହି ପାଞ୍ଚଟି ସ୍ଥାନରେ ଯେଉଁ ବିଜ୍ଞ ଜନ ନାହିଁ,ସେ ସ୍ଵଭାବରେ ଲୋକପତି ଗୁରୁ ଅଟନ୍ତି।ରାଜା ତପ, ଶୌଚ, ଦୟା ତିନି ଙ୍କୁ ବୃଷଭ ପାଦ ବୋଲି ମାନି ପୃଥିବୀକୁ ଉତ୍ତମ ରୂପେ ପରିପାଳନ କଲେ। ଧର୍ମନନ୍ଦନ ଯୁଧିଷ୍ଠିର ତପ ସାଧନ କରିବାକୁ ଅରଣ୍ୟକୁ ଗଲାବେଳେ ପରୀକ୍ଷିତଙ୍କୁ ରାଜଶିକ୍ଷା ଦେଲେ। ତାପରେ ପାଞ୍ଚଭାଇ ସ୍ଵର୍ଗକୁ ଗଲେ।ରାଜା ପରୀକ୍ଷିତ ହସ୍ତିନାପୁରରେ ରାଜନୀତି ଅନୁସାରେ ପ୍ରଜାପାଳନ କଲେ।।

ଆଲେଖ୍ୟ:: ବାବାଜୀ ଚରଣ ଦାସ। 

ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର-୧୯।