ମୁଁ ଆଦୌ କ୍ଷମା ମାଗିବିନି: କମଲ ହାସନ

କନ୍ନଡ଼-ତାମିଲ ଭାଷା ବିବାଦରେ ଫସିଥିବା ଅଭିନେତା କମଲ ହାସନ କର୍ଣ୍ଣାଟକ ହାଇକୋର୍ଟ କଡ଼ା ଶବ୍ଦରେ ଭର୍ତ୍ସନା କରିବା ପରେ ବି କ୍ଷମା ମାଗିବାକୁ ମନା କରି ଦେଇଛନ୍ତି। ଏଥିସହ ନିଜର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଠଗ୍ ଲାଇଫ’ ଜୁନ ୫ରେ କର୍ଣ୍ଣାଟକରେ ରିଲିଜ୍ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। କମଲ ହାସନ ଏକ ଲିଖିତ ବିବୃତ୍ତି ଜାରି କରିଛନ୍ତି ଏବଂ କର୍ନାଟକ ଫିଲ୍ମ ଚାମ୍ବର ଅଫ କମର୍ସ (KFCC) ଦ୍ୱାରା କ୍ଷମା ମାଗିବାର ଦାବିର ଜବାବ ଦେଇଛନ୍ତି। ଅଭିନେତା ବିବୃତ୍ତିରେ ଲେଖିଛନ୍ତି – ବର୍ତ୍ତମାନ ଆମକୁ ପୋଲିସ ସୁରକ୍ଷାର ଆବଶ୍ୟକତା ନାହିଁ କାରଣ ଫିଲ୍ମଟି ଏଠାରେ ରିଲିଜ ହେବ ନାହିଁ। ଆମେ ଫିଲ୍ମ ଚାମ୍ବର ସହିତ କଥା ହେବୁ। ସୂଚନାମୁତାବକ କମଲ ହାସନ କହିଥିଲେ ଯେ, କନ୍ନଡ ଭାଷା ତାମିଲ ଭାଷାରୁ ସୃଷ୍ଟି ହୋଇଛି। ଏହି କାରଣରୁ କର୍ଣ୍ଣାଟକରେ ତାଙ୍କ ଫିଲ୍ମର ରିଲିଜ୍‌କୁ ବିରୋଧ କରାଯାଉଛି ଏବଂ ରାଜ୍ୟରେ କମଲଙ୍କ ଫିଲ୍ମ ଉପରେ କଟକଣା ଲଗାଇବାକୁ ଦାବି ଉଠିଛି।କମଲ ହାସନ କହିଛନ୍ତି, ମୋର ଶବ୍ଦର ଉଦ୍ଦେଶ୍ୟ କେବଳ ଏହା ଜଣାଇବାର ଥିଲା ଯେ, ଆମେ ସମସ୍ତେ ଗୋଟିଏ ପରିବାରର। ମୁଁ କଦାପି କନ୍ନଡ଼କୁ ଦୁର୍ବଳ ଭାବେ ଚିତ୍ରଣ କରିବାକୁ ଚାହିଁନି। କନ୍ନଡ ଭାଷାର ସମୃଦ୍ଧ ଐତିହ୍ୟ ଉପରେ କୌଣସି ବିବାଦ କିମ୍ବା ବିତର୍କ ନାହିଁ। ତାମିଲ ପରି କନ୍ନଡରେ ମଧ୍ୟ ଏକ ଗୌରବମୟ ସାହିତ୍ୟିକ ଏବଂ ସାଂସ୍କୃତିକ ପରମ୍ପରା ଅଛି ଯାହାକୁ ମୁଁ ବହୁତ ଦିନ ଧରି ପ୍ରଶଂସା କରିଆସୁଛି।

You might also like