କୋଲକାତା ହୋଟେଲରେ ଅଗ୍ନିକାଣ୍ଡ : ୩ ଓଡ଼ିଆ ଜୀବନ୍ତ ଦଗ୍ଧ
କୋଲକାତାରେ ଏକ ଘରୋଇ ହୋଟେଲରେ ଅଗ୍ନିକାଣ୍ଡରେ ୩ ଓଡ଼ିଆଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଜଗତସିଂହପୁର ଜିଲ୍ଲା ନନ୍ଦନ ଗାଁର ମନୋଜ ପାତ୍ର, ହରିପା ଗାଁର ଦୁଷ୍ମନ୍ତ କୁମାର ନାୟକ ଓ ଦୁଷ୍ମନ୍ତ କୁମାର ସ୍ୱାଇଁ । ମନୋଜ ମହିନ୍ଦ୍ର ଫାଇନାନ୍ସରେ କାମ କରନ୍ତି । ସେ କମ୍ପାନୀ କାମରେ କଲିକତା ଯାଇ ଋତୁରାଜ ହୋଟେଲରେ ରହିଥିଲେ। ହେଲେ ଗତକାଲି ରାତିରେ ହୋଟେଲରେ ନିଆଁ ଲାଗିଥିବା ବେଳେ ୩ ଜଣ ଓଡ଼ିଆ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ କୋଲକାତାର ବାରା ବଜାର ଅଞ୍ଚଳର ମାଛୁଆ ଫାଲ ମଣ୍ଡି ନିକଟରେ ଥିବା ଋତୁରାଜ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ପରେ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ କସରତ ପରେ ନିଆଁକୁ ଆୟତ୍ତ କରିଥିଲା । ତେବେ ହୋଟେଲରେ ଥିବା ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରୁ ଏହି ୩ ଜଣ ଓଡ଼ିଆ ଯୁବକଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ଜାଣିବା ପରେ ମୃତକଙ୍କ ପରିବାର ଓ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
