ତୁଳସୀ ଦେବୀ ଓ ଭଗବାନ ବିଷ୍ଣୁଙ୍କର ବିବାହ, ଜାଣନ୍ତୁ ଏହି ଦିନର ଧାର୍ମିକ ଓ ପୌରାଣିକ ମହତ୍ତ୍ୱ

ହିନ୍ଦୁ ପରମ୍ପରାରେ ଅନ୍ୟତମ ପ୍ରମୁଖ ପର୍ବ ତୁଳସୀ ବିବାହ । ଏହି ଦିନ ତୁଳସୀ ଦେବୀ ଓ ଭଗବାନ ବିଷ୍ଣୁଙ୍କର ବିବାହ ଅନୁଷ୍ଠିତ ହୁଏ । ବର୍ଷା ଋତୁର ଶେଷ ଓ ବିବାହ ଋତୁର ଆରମ୍ଭକୁ ତୁଳସୀ ବିବାହ ନିର୍ଦ୍ଦେଶ କରେ । କାର୍ତ୍ତିକ ମାସର ପ୍ରବୋଧିନୀ ଏକାଦଶୀ (ଶୁକ୍ଳ ଏକାଦଶୀ ବା ଦ୍ୱାଦଶୀ) ଓ ପୂର୍ଣ୍ଣିମା ମଧ୍ୟରେ ଯେ କୌଣସି ଦିନ ଏହି ପର୍ବ ଅନୁଷ୍ଠିତ ହୁଏ ।

ହିନ୍ଦୁ ପରମ୍ପରାରେ ତୁଳସୀଙ୍କୁ ଦେବୀ ମାନ୍ୟତା ଦିଆଯାଇଛି ।

ହିନ୍ଦୁ ପୁରାଣ ଅନୁସାରେ, ତୁଳସୀ ବୃକ୍ଷ ପୂର୍ବେ ବୃନ୍ଦା (ତୁଳସୀର ଏକ ପ୍ରତିଶବ୍ଦ) ନାମକ ଜଣେ ମହିଳା ଥିଲେ । ସେ ଅସୁର ରାଜା ଜଳନ୍ଧରକୁ ବିବାହ କରିଥିଲେ । ତାଙ୍କର ସତୀତ୍ୱ ଓ ବିଷ୍ଣୁ ଭକ୍ତି ବଳରେ ଜଳନ୍ଧର ଅଜେୟ ଥିଲା । ଯୁଦ୍ଧକୁ ଯିବାବେଳେ ବୃନ୍ଦା ସ୍ୱାମୀର ବିଜୟ ନିମନ୍ତେ ସଂକଳ୍ପ କରିଥିଲେ । ଏହି ସ୍ଥିତିରେ ଦେବତାମାନେ ଭଗବାନ ବିଷ୍ଣୁଙ୍କୁ ଏହାର ସମାଧାନ ଲାଗି ଅନୁରୋଧ କଲେ । ତେଣୁ ଜଳନ୍ଧର ଅନୁପସ୍ଥିତିରେ ବିଷ୍ଣୁ ତା’ର ରୂପ ଧରି ତୁଳସୀଙ୍କ ପାଖକୁ ଚାଲିଗଲେ । ବୃନ୍ଦା ତାଙ୍କୁ ଦେଖି ସଂକଳ୍ପ ତ୍ୟାଗ କରି ତାଙ୍କ ପାଦସ୍ପର୍ଶ କଲେ । ସଂକଳ୍ପ ତ୍ୟାଗ କରିବା ପରେ ଶିବ ଜଳନ୍ଧରକୁ ମାରିଦେଲେ । ତା’ର କଟାମୁଣ୍ଡ ବୃନ୍ଦାଙ୍କ ପାଖରେ ପଡ଼ିଲା ।

ଏହା ଜାଣିପାରି ବୃନ୍ଦା ବିଷ୍ଣୁଙ୍କୁ ପଥର ହେବାକୁ ଅଭିଶାପ ଦେଲେ, ଯାହା ଫଳରେ ବିଷ୍ଣୁ ଶାଳଗ୍ରାମ ହୋଇଗଲେ । ଲକ୍ଷ୍ମୀଙ୍କଠାରୁ ତାଙ୍କର ବିଚ୍ଛେଦ ହୋଇଗଲା । ବୃନ୍ଦା ଦୁଃଖରେ ସମୁଦ୍ରରେ ଝାସ ଦେଲେ ଏବଂ ତାଙ୍କ ଆତ୍ମାକୁ ତୁଳସୀରେ ଅବସ୍ଥାପିତ କରିଦେଲେ । ପୂର୍ବ ଆଶୀର୍ବାଦ ଅନୁସାରେ ପ୍ରବୋଧିନୀ ଏକାଦଶୀ ଦିନ ଶାଳଗ୍ରାମ ରୂପୀ ବିଷ୍ଣୁ ତୁଳସୀଙ୍କୁ ବିବାହ କରିଥିଲେ ।