ଆଜିଠୁ ଖୋଲିବ କୁଳଡିହା ଅଭୟାରଣ୍ୟ । 

ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଏକ ଖୁସି ଖବର। ବର୍ଷାଦିନ ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ଜୁନ ୧୫ତାରିଖରୁ ବାଲେଶର ଜିଲା ନୀଳଗିରି ଉପଖଣ୍ଡର ସୌନ୍ଦର୍ଯ୍ୟମୟୀ କୁଲଡିହା ଅଭୟାରଣ୍ୟ ବନ୍ଦ ରହିଥିଲା।  ପୁଣି ନଭେମ୍ବର ୧ ତାରିଖରେ ଏହା ଖୋଲୁଥିବା ବେଳେ ଚଳିତ ବର୍ଷ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ପୁଣି ଦେଖିବାକୁ ପାଇବେ ପର୍ଯ୍ୟଟକ। ଅଭୟାରଣ୍ୟରେ ହାତୀ, ହରିଣ, ସମ୍ବର,ଗୟଳ,ଠେକୁଆ,ବେଲରା ମୂଷା, ନୀଳଗାଈ, ସମେତ ବିଭିନ୍ନ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳନ୍ତି। 

ଚଳିତବର୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବନ ବିଭାଗ ପକ୍ଷରୁ ଗୋହିରାଭୋଳଠାରେ ଥିବା ନେଚର୍ସ ପାର୍କକୁ ଅଧିକ ଆକର୍ଷଣୀୟ କରାଯାଇଛି। ରାତି ରହଣୀ ନିମନ୍ତେ ”ରିସିଆ ପ୍ରକୃତି ନିବାସ“ରେ ୯ଟି ତମ୍ବଘର, ପିଇବା ପାଣି, ଶୌଚାଳୟ ଏବଂ ଆଲୋକ ବ୍ୟବସ୍ଥା, ରୁଚିକର ଖାଦ୍ୟ ସହ ନେଚର୍ସ କ୍ୟାମ୍ପ ପାଖରେ ପର୍ଯ୍ୟଟକଙ୍କ ପାଇଁ ରିଷିୟା ଡ୍ୟାମରେ ବୋଟିଂର ଅନୁଭୂତି ପର୍ଯ୍ୟଟକମାନଙ୍କୁ ଅଧିକ ଆକର୍ଷିତ କରିଛି।

ବଣ ପାହାଡ ଘେରା ୨୭୨.୭୫ ବର୍ଗ କି.ମି. ପରିବ୍ୟାପ୍ତ କୁଲଡିହା ଅଭୟାରଣ୍ୟର ଅପରୂପ ସୌନ୍ଦର୍ଯ୍ୟ ସହ ପର୍ଯ୍ୟଟକମାନେ ବୁଲିବା ସମୟରେ ୪ଟି କୃତ୍ରିମ ସଲ୍ଟପିଟ, ୫ଟି ୱାଚ ଟାୱାର ସହ ଅତି ନିକଟରୁ ଅଭୟାରଣ୍ୟ ପଶୁପକ୍ଷୀଙ୍କୁ ଦେଖିବାର ବେବସ୍ଥା ରହିଛି । ଚେମଚଟା ଠାରେ ଘାସ ବଗିଚା ହୋଇଥିବା ବେଳେ ସେଠାରେ ବ୍ୟାପକ ପରିମାଣରେ ହରିଣ ଆସୁଥିବାରୁ ଏହି ସ୍ଥାନକୁ ମଧ୍ୟ ପର୍ଯ୍ୟଟକ ମାନେ ବୁଲିବାର ମଜା ଉଠାଇବେ।