ମାଆ ସମଲେଶ୍ବରୀଙ୍କ ପୀଠରେ ନବାନ୍ନ ଓ ନୂଆଁଖାଇ ଗଣପର୍ବ ।।


ମାଆ ସମଲେଶ୍ବରୀଙ୍କ ପୀଠରେ ନୂଆଁଖାଇ ପର୍ବ ପାଳନ ପାଇଁ ଦିନ ଧାର୍ଯ୍ୟ ହେବା ପରେ ନୂଆଁଖାଇ ପରବ ପୂର୍ବ ଦିନ ମନ୍ଦିରକୁ ନୂଆ ଧାନ ଆସେ। ଏହି ନୂଆ ଧାନରୁ ପ୍ରସ୍ତୁତ ହୁଏ ନୈବେଦ୍ୟ ଯାହା ଇଷ୍ଟଦେବୀ ମା ସମଲେଇ ଙ୍କ ପାଖରେ ଅର୍ପଣ କରାଯାଏ। ପ୍ରଥମ କରି ଅମଳ ହେଉଥିବା ଏହି ନୂଆ ଧାନକୁ କ୍ଷେତରେ ପୂଜାର୍ଚ୍ଚନା କରିବା ପରେ ଧାନ କଟା ଯାଏ। ଏହି ଧାନକୁ ଚାଷୀ ମା ସମଲେଶ୍ଵରୀଙ୍କ ମୂଖ୍ୟ ପୂଜକଙ୍କୁ ଅର୍ପଣ କରନ୍ତି। ପଶ୍ଚିମ ଓଡିଶାର ଏହି ଗଣପର୍ବରେ ମା ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହେବା ପରେ ଲୋକମାନେ ନବାନ୍ନ ଭକ୍ଷଣ କରନ୍ତି। ଘରେ ଘରେ ନୂଆ ଲୁଗା ପିନ୍ଧି ନବାନ୍ନ ଭକ୍ଷଣ କରନ୍ତି। ଏବର୍ଷ ୨୦ ତାରିଖ ବୁଧବାର ଅର୍ଥାତ୍ ଆଜି ଅମୃତ ବେଳାରେ ନିଜ ନିଜର ଇଷ୍ଟଦେବୀଙ୍କୁ ନବାନ୍ନ ଭୋଗ ଅର୍ପଣ କରି ନବାନ୍ନ ଭକ୍ଷଣ କରିବା ପାଇଁ ପଣ୍ଡିତ ମହାସଭା ଲଗ୍ନ ନିର୍ଦ୍ଧାରଣ କରିଛନ୍ତି।

ଚଳଚଞ୍ଚଳ ଆଜି ସମଗ୍ର ପଶ୍ଚିମ ଓଡିଶା।ମାଆ ସମଲେଶ୍ବରୀଙ୍କ ପୀଠରେ ନବାନ୍ନ ଲାଗି ହେଲା ପରେ ପାଟଣାଗଡ଼ରେ ମାଆ ପାଟଣେଶ୍ଵରୀ, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼,ସାରଙ୍ଗଗଡରେ ମାଆ ସମଲେଶ୍ଵରୀ, ସୋନପୁରରେ ମା ସୁରେଶ୍ଵରୀ ଙ୍କ ଠାରେ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ନୂଆ ଚାଉଳରେ ପ୍ରସ୍ତୁତ ନବାନ୍ନ ଲାଗି ହେଲା ପରେ ପ୍ରତ୍ୟେକ ପରିବାରର ଇଷ୍ଟ ଦେବାଦେବୀଙ୍କୁ ନୂଆ ଭୋଗ ଲଗାଇବେ। ପରିବାରର ସଦସ୍ୟ ସଦସ୍ଯା ମାନେ ଏକତ୍ରିତ ହୋଇ ଏକାଠି ବସି ନବାନ୍ନ ଭକ୍ଷଣ କରିବାର ପରମ୍ପରା ରହିଛି। ଏହା ପରେ ଆରମ୍ଭ ହେବ ନୂଆଁଖାଇ ଜୁହାର ଭେଟ କାର୍ଯ୍ୟକ୍ରମ, ଯେଉଁଥିରେ ଗୁରୁଜନ ମାନଙ୍କ ଠାରୁ ଆଶୀର୍ବାଦ ନେବାର ପରମ୍ପରା ରହିଛି।

ଘରେ ଘରେ ଗହଳି ଚହଳି ମଧ୍ୟରେ ବିଦେଶରେ ରହୁଥିବା ଜ୍ଞାତି କୁଟୁମ୍ବ ମାନଙ୍କୁ ଏକତ୍ର ଦେଖିବାକୁ ମିଳେ। ପରିବାର ମଧ୍ୟରେ ମତଭେଦ ଏହି ଦିନ ଦୂର ହୋଇଥାଏ। ଏହି ଗଣପର୍ବ ନୂଆଁଖାଇ ସାମାଜିକ ଏକତା ର ପ୍ରତୀକ।ସବୁଠି ଆନନ୍ଦ ଉଲ୍ଲାସରେ ମହୋତ୍ସବର ମାହୋଲ ।ପିଠାପଣାରେ ମହକୁଛି ପରିବେଶ।କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସମଲେଶ୍ବରୀଙ୍କ ପୀଠରେ ପୂର୍ବଦିନ ପ୍ରଥମେ ଶ୍ରୀଗଣେଶ ଙ୍କୁ ଆବାହନ କରି ପୂଜାର୍ଚ୍ଚନା କରିବା ପରେ ମା ସମଲେଶ୍ବରୀଙ୍କ ପାର୍ଶ୍ୱରେ ଥିବା ଦେବଦେବୀ ମାନଙ୍କୁ ସିନ୍ଦୁର ଲାଗି କରା ଯାଇଥାଏ।
ମା ସମଲେଶ୍ବରୀ ନୂଆ ଶାଢୀ, ଚୁଡ଼ି,ଗହଣା,ମନ୍ଦାର ମାଳ ଆଦିରେ ନୂତନ ବେଶ ହୋଇ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥାନ୍ତି।
ଜୟ ମା ମଙ୍ଗଳମୟୀ ସମଲେଶ୍ଵରୀ
ନୂଆଁଖାଇ ଜୁହାର
ଆଲେଖ୍ୟ:: ବାବାଜୀ ଚରଣ ଦାସ,ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର-୧୯।