ଆଜି ପବିତ୍ର ମହାଳୟାରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଲେ ଶ୍ରଦ୍ଧାଳୁ ।

ଆଜି ପବିତ୍ର ମହାଳୟାରେ ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ ।ଆଶ୍ୱିନ କୃଷ୍ଣ ପ୍ରତିପଦାଠାରୁ ଆରମ୍ଭ ହୋଇଥିବା ଅପରପକ୍ଷ ବା ପିତୃପକ୍ଷଙ୍କ ଆବାହନର ଅନ୍ତିମ ଦିବସ ପବିତ୍ର ମହାଳୟା ।ଆଜି ମହାଳୟା ଅମାବାସ୍ୟାରେ ପିତୃକୁଳ ଓ ମାତୃକୁଳକୁ ଆଜି ପୁତ୍ରମାନେ ପିଣ୍ଡ ଦାନ କରିଛନ୍ତି । ଏହିଦିନ ନିଜ ପିତୃପୁରୁଷଙ୍କ ସହ ନିଜ ମାମୁଘର ଉଦ୍ଦେଶ୍ୟରେ ମଧ୍ୟ ଶ୍ରାଦ୍ଧ ପ୍ରଦାନ ଓ ପିଣ୍ଡଦାନ କରାଯାଇଥାଏ । ବିଶେଷ କରି ପିତା, ପିତାମହ, ପ୍ରପିତାମହ, ମାତା, ପିତାମୟୀ, ପ୍ରପିତାମୟୀ, ମାତାମହ, ପ୍ରମାତାମହ, ଆଦିଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ଶ୍ରାଦ୍ଧ ଆଦି କର୍ମ କରାଯାଇଥାଏ । ତେବେ ବିଧି ପରମ୍ପରା ଅନୁଯାୟୀ ମହାଳୟା ତିଥିରେ ଅଟାଗୁଳାର ପିଣ୍ଡ ତିଆରି କରି ଦାନ କରିବା ସହିତ ବ୍ରାହ୍ମଣଙ୍କୁ ମହାପ୍ରସାଦ ଭୋଜନ ମଧ୍ୟ କରାଇଲେ ପିତୃପୁରୁଷ ମୋକ୍ଷ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି । ଏହି ପିତୃପୁରୁଷଙ୍କ ପାଇଁ ଶ୍ରାଦ୍ଧକୁ ମୌଳାଶ୍ରାଦ୍ଧ ମଧ୍ୟ କୁହାଯାଇଥାଏ । ପୂର୍ବରୁ ଶ୍ରୀମନ୍ଦିର ବାଇଶିପାହାଚରେ ପିଣ୍ଡଦାନ କରାଯାଉଥିଲା। ଟିକେଟ କାଟି ଭକ୍ତମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରୁଥିଲେ। ଏବେ ଶ୍ରୀମନ୍ଦିର ବାହାରେ ଉତ୍ତରପୂର୍ବ କୋଣରେ ମେଘନାଦ ପାଚେରୀକୁ ଲାଗି ଭକ୍ତମାନେ ତିଳତର୍ପଣର ଅନ୍ତ କରି ଶ୍ରାଦ୍ଧ ପ୍ରଦାନ କରୁଛନ୍ତି।ବିଶେଷକରି ଶ୍ରୀକ୍ଷେତ୍ରରେ ମାର୍କଣ୍ଡେୟ ପୁଷ୍କରିଣୀ, ନରେନ୍ଦ୍ର ପୁଷ୍କରିଣୀ, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ବ୍ରାହ୍ମଣମାନଙ୍କ ଦ୍ବାରା ଶ୍ରୀମନ୍ଦିର ଉତ୍ତରଦ୍ବାର ନିକଟରେ ପିତୃପୁରୁଷଙ୍କୁ ମହାପ୍ରସାଦ ଦେଇ ସନ୍ତୁଷ୍ଟ କରାଯାଏ ବୋଲି ବିଶ୍ୱାସ ରହିଛି।