ମହାରାଷ୍ଟ୍ରରେ ପ୍ରଥମ ଜିବିଏସ୍ ମୃତ୍ୟୁ,ପୁଣେ ପରେ ନାଗପୁର ଓ ଅନ୍ୟାନ୍ୟ ଜିଲ୍ଲାରୁ ୯ ରୋଗୀ ଚିହ୍ନଟ
ମହାରାଷ୍ଟ୍ରର ସୋଲାପୁରଠାରେ ବ୍ୟାପୀଥିବା ବିରଳ ଗୁଲିଆନ୍-ବାରେ ସିଣ୍ଡ୍ରମ୍ ବା ଜିବିଏସ୍ ବ୍ୟାଧିରେ ସୋମବାର ଜଣଙ୍କ ମୃତ୍ୟୁକୁ ପ୍ରଶାସନ ସ୍ବୀକାର କରିଛି। ପୁଣେରେ ଚାକିରି କରିଥିବା ଜଣେ ବ୍ୟକ୍ତି ନିଜ ଘର ସୋଲାପୁରକୁ ଫେରିବା ପରେ ଜିବିଏସ୍ରେ ପୀଡ଼ିତ ହୋଇଥିଲା। ଜାନୁଆରୀ ୨୬ରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଦ୍ୟାବଧି ମହାରାଷ୍ଟ୍ରରେ ଏହି ରୋଗରେ ୧୦୧ରୁ ଅଧିକ ସଂକ୍ରମିତ ହୋଇଥିବା ପ୍ରଶାସନ ସୂତ୍ରରୁ ପ୍ରକାଶ। ସେପଟେ ଆଜି ନାଗପୁର ଓ ଏହାର ଆଖପାଖ ସହରରୁ ଆଉ ୧୦ଜଣ ରୋଗି ମିଳିବା ପରେ ଭୟ ବଢ଼ିଛି ।
କାୟା ବିସ୍ତାର କରୁଛି ଗୁଇଲେନ୍-ବାରେ ସିଣ୍ଡ୍ରୋମଏହା ଏକ ବିରଳ ସ୍ନାୟୁ ରୋଗ ଯାହା ଦ୍ରୁତ ବେଗରେ ବ୍ୟାପୁଛି |ଜିବିଏସର ମୁକାବିଲା ପାଇଁ ଏକ ସ୍ବତନ୍ତ୍ର ଟିମ୍ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ଏହି ଟିମରେ ୭ ଜଣ ସ୍ବାସ୍ଥ୍ୟ ବିଶେଷଜ୍ଞ ରହିଛନ୍ତି । ସେମାନେ ସୋମବାର ମହାରାଷ୍ଟ୍ରର ପୁଣେ ଓ ନାଗପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ଆରମ୍ଭ କରିଛନ୍ତି । ଏହି ଟିମରେ ଦେଶର ଜଣାଶୁଣା ଭୂତାଣୁ ଗବେଷକ ମଧ୍ୟ ସାମିଲ ହୋଇଛନ୍ତି । ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସହିତ ଏହି ବିଶେଷଜ୍ଞ ଦଳ ରହି ଏହି ନୂଆ ରୋଗକୁ ଯାଂଚ କରିବେ । ଦୂଷିତ ପାଣି ମାଧ୍ୟମରେ ଏହି ରୋଗ ବ୍ୟାପୁଥିବା ବିଶେଷଜ୍ଞମାନେ ସନ୍ଦେହ କରିବା ସହ ବିଶୁଦ୍ଧ ଓ ସିଝା ପାଣି ପିଇବାକୁ ଏବଂ ସଦ୍ୟ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ହଠାତ୍ ଶାରୀରିକ ଦୁର୍ବଳତା ଲକ୍ଷ୍ୟ କରିବା, ଚାଲିବାରେ ଅକ୍ଷମ ହେବା, ହାତ ଓ ପାଦ ଆଦି ଥରିବା, ପକ୍ଷାଘାତ ଓ କ୍ରମାଗତ ଝାଡ଼ାବାନ୍ତି ଆଦି ଏହି ରୋଗର ଲକ୍ଷଣ ବୋଲି ଜଣାପଡ଼ିଛି।