ସଂସଦ ନିକଟରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
ରାଜଧାନୀ ଦିଲ୍ଲୀରେ ବୁଧବାର ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ନୂଆ ସାଂସଦ ଭବନ ନିକଟରେ ଜଣେ ବ୍ୟକ୍ତି ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ତାଙ୍କ ଶରୀରର ପ୍ରାୟ ୯୦ ଭାଗ ପୋଡ଼ିଯାଇଥିବାବେଳେ ଏବେବି ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଘଟଣା ସ୍ଥଳରୁ ପୁଲିସ୍ ଦୁଇ ପୃଷ୍ଠାର ଅଧା ଲେଖା ଚିଠି ଠାବ କରିଛି। କିନ୍ତୁ ଏଥିରେ ଥିବା ବିଷୟବସ୍ତୁ ସମ୍ପର୍କରେ ଜଣାପଡ଼ି ନାହିଁ। ପୁଲିସ୍ ଘଟଣା ସ୍ଥଳରୁ ପେଟ୍ରୋଲ ଜବତ କରି ଅଧିକ ତଦନ୍ତ କରୁଛି।ପୁଲିସ୍ର କହିବା କଥା ଯେ ବ୍ୟକ୍ତି ଜଣଙ୍କ ଭାରତୀୟ ରେଳବାଇର ମୁଖ୍ୟାଳୟ ଅର୍ଥାତ ରେଳ ଭବନ ନିକଟରେ ଥିବା ପାର୍କ ଭିତରେ ପେଟ୍ରୋଲ ଢାଳି ହୋଇ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ଏହାପରେ ସେ ସଂସଦ ଭବନ ଆଡ଼କୁ ଦୌଡ଼ିଥିଲେ। ତେବେ ସେଠାରେ ଥିବା ସୁରକ୍ଷାକର୍ମୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ପଠାଇଛନ୍ତି। ଯାଞ୍ଚରୁ ଜଣାପଡ଼ିଛି ସେ ତାଙ୍କ ଉପରେ ବାଗପତରେ ଥିବା ଏକ ମାମଲାକୁ ନେଇ ଚିନ୍ତିତ ଥିଲେ। ଏପର୍ଯ୍ୟନ୍ତ କୌଣସି ସୁସାଇଡ ନୋଟ ମିଳିନାହିଁ।
