ଜେଲରୁ MA ପଢିବେ କୁଖ୍ୟାତ ମାଓନେତା ସବ୍ୟସାଚୀ

ଜେଲରେ ରହି MA ପଢିବେ କୁଖ୍ୟାତ ମାଓନେତା ସବ୍ୟସାଚୀ ପଣ୍ଡା। ଦୁଇ ଦଶନ୍ଧି ଧରି ପୁଲିସ ଓ ପ୍ରଶାସନର ନିଦ ହଜାଇ ଦେଇଥିବା ଏହି ଟପ୍ ମାଓନେତାଙ୍କର ଏବେ ପାଠ ପଢ଼ାରେ ବେଶ୍ ଆଗ୍ରହ। ଜେଲ୍ ଭିତରେ ଅଧିକ ସମୟ କାଟୁଛନ୍ତି ପାଠପଢାରେ। ୨୦୨୨ରେ ହ୍ୟୁମାନିଟିରେ ଇଗନୋରୁ ଡିଗ୍ରୀ ହାସଲ କରିଥିବା ସବ୍ୟସାଚୀ ପଣ୍ଡା ଏବେ ପିଜି କରିବେ | ତାଙ୍କ ସହ ମୋଟ ୪ ଜଣ କଏଦୀ ଏବଂ ଦୁଇ ଜଣ ବିଚାରାଧୀନ ବନ୍ଦୀ ଦେବେ ପରୀକ୍ଷା। ଏଥିପାଇଁ ସେମାନଙ୍କୁ ଜେଲ୍ ପକ୍ଷରୁ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଛି। ଜେଲ୍ ଶିକ୍ଷକ ମଧ୍ୟ ସେମାନଙ୍କୁ ପଢିବାରେ ସହଯୋଗ କରୁଥିବା ସୂଚନା ମିଳିଛି।ପ୍ରକାଶ ଥାଉକି, ନୟାଗଡ଼ ରଣପୁରର ତିନି ତିନିଥରର ସିପିଆଇ(ଏମ୍) ବିଧାୟକ ରମେଶ ପଣ୍ଡାଙ୍କ ପୁଅ ତଥା କୁଖ୍ୟାତ ମାଓବାଦୀ ହେଉଛନ୍ତି ସବ୍ୟସାଚୀ ପଣ୍ଡା। ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ସାଜିଥିବା ମାଓନେତା ସବ୍ୟସାଚୀଙ୍କ ମୁଣ୍ଡରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର। ୧୮ ଜୁଲାଇ ୨୦୧୪ରେ ବ୍ରହ୍ମପୁର ବଡ଼ବଜାର ଅଂଚଳରୁ ସେ ଗିରଫ ହୋଇଥିଲେ।

ସବ୍ୟସାଚୀଙ୍କ ନାଁରେ ୧୩୦ରୁ ଅଧିକ ମାଓ ହିଂସା ସହ ଜଡିତ ମାମଲା ରହିଛି। ନୟାଗଡ଼ରେ ନକ୍ସଲ ଆକ୍ରମଣ ଏବଂ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡରେ ସେ ପ୍ରମୁଖ ଭୂମିକା ନିଭାଇ ଥିଲେ । ୨୦୦୮ରେ ନୟାଗଡ଼ ସହରରେ ଥିବା ଜିଲ୍ଲା ଅସ୍ତ୍ରାଗାର ଏବଂ ପୁଲିସ୍ ଟ୍ରେନିଂ ସ୍କୁଲ୍ ଉପରେ ଆକ୍ରମଣ କରି ସାରା ରାଜ୍ୟକୁ ଦୋହଲାଇ ଦେଇଥିଲେ ସବ୍ୟସାଚୀ। ପରେ କନ୍ଧମାଳରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ଓ ପରବର୍ତ୍ତୀ ହିଂସାରେ ମଧ୍ୟ ରହିଥିଲା ସଂପୃକ୍ତି। ଏପରିକି ୨୦୧୨ରେ ଇଟାଲୀ ପର୍ଯ୍ୟଟକ ଅପହରଣ ମାମଲାରେ ସାମ୍ନାକୁ ଆସିଥିଲା ସବ୍ୟସାଚୀଙ୍କ ବଡ଼ ଭୂମିକା। ଏବେ ପ୍ରାୟ ୧୦ ବର୍ଷ ହେଲା ସେ ଜେଲରେ ସଜା କାଟୁଛନ୍ତି।

You might also like