ଆତଙ୍କୀଙ୍କ ଟାର୍ଗେଟରେ ଥିଲେ ମୋଦି! ଗୁଇନ୍ଦାର ସାଂଘାତିକ ଖୁଲାସା
ଜମ୍ମୁ ଓ କଶ୍ମୀରର ପହଲଗାମରେ ଗତ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲାରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏବେ ଗୁପ୍ତଚର ସୂଚନାରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ଯେ, ଆତଙ୍କବାଦୀମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଟାର୍ଗେଟରେ ରଖିଥିଲେ। ଏହି ହମଲା ପଛରେ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ଓ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବା (ଏଲଇଟି) ର ହାତ ରହିଛି। ଏହି ଘଟଣା ଏବେ ଭାରତ-ପାକିସ୍ତାନ ସମ୍ପର୍କକୁ ଆହୁରି ଉତ୍ତେଜନାପୂର୍ଣ୍ଣ କରିଛି ଏବଂ ଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ନୂଆ ପ୍ରଶ୍ନ ଉଠାଇଛି।ଗୁପ୍ତଚର ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏପ୍ରିଲ ୧୯ ତାରିଖରେ ଜମ୍ମୁ ଓ କାଶ୍ମୀର ଗସ୍ତ ସମୟରେ ହମଲା କରିବାର ଯୋଜନା କରୁଥିଲେ। ମୋଦୀ ଏହି ଗସ୍ତରେ କଟରା-ଶ୍ରୀନଗର ମଧ୍ୟରେ ଚାଲୁଥିବା ବନ୍ଦେ ଭାରତ ଟ୍ରେନ ସେବାର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ଏହି କାର୍ଯ୍ୟକ୍ରମ ସ୍ଥଗିତ ହେବା ଯୋଗୁଁ ଆତଙ୍କୀମାନେ ପହଲଗାମର ବୈସରଣ ଉପତ୍ୟକାରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଏହି ନୃଶଂସ ହମଲା କରିଥିଲେ।
