ଆଜି ନୀଳାଦ୍ରି ମହୋଦୟାଷ୍ଟମୀ
ଆଜି ବୈଶାଖ ଶୁକ୍ଳ ଅଷ୍ଟମୀରେ ଶ୍ରୀମନ୍ଦିରରେ ପାଳନ ହେବ ନୀଳାଦ୍ରି ମହୋଦୟାଷ୍ଟମୀ । ଏହି ତିଥିକୁ ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ଭାବେ ଗଣାଯାଏ। ଉକ୍ତ ଦିବସରେ ଠାକୁରଙ୍କ ଅଭିଷେକ ଉତ୍ସବ ଅନୁଷ୍ଠିତ ହେବ। ୧୦୮ କୁମ୍ଭ ଜଳରେ ଦାରୁଦିଅଁଙ୍କ ଜଳାଭିଷେକ ହୋଇଥାଏ। ବଡ଼ଦେଉଳ ପରମ୍ପରାରେ ଏହା ହେଉଛି ତ୍ରୟୋଦଶ ଯାତ୍ରା ତଥା ନୀଳାଦ୍ରି ମହୋତ୍ସବ।ସ୍କନ୍ଦ ପୁରାଣ ଅନୁସାରେ, ବୈଶାଖ ମାସ ପୁଷ୍ୟାଯୋଗଯୁକ୍ତ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ସ୍ୱୟଂ ବ୍ରହ୍ମା ଶ୍ରୀମନ୍ଦିର ପ୍ରତିଷ୍ଠା କରିଥିଲେ । ଏଣୁ ଉକ୍ତ ତିଥିରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବିଧି ଅନୁଷ୍ଠିତ ହୋଇଥାଏ । କୁହାଯାଏ ଏହି ଦିନ ଦାନ, ତପସ୍ୟା ଓ ହୋମାଦି କାର୍ଯ୍ୟ କଲେ ଅଶେଷ ଫଳ ମିଳେ । ବାମଦେବ ସଂହିତାରେ ଏହାର ମାହାତ୍ମ୍ୟ ବର୍ଣ୍ଣନା ହୋଇଛି ।
