ପାର୍ବଣରେ ନବରାତ୍ର ପୂଜା ର ମାହାତ୍ମ୍ଯ ।।
ଆଶ୍ୱିନ ଶୁକ୍ଳ ପ୍ରତିପଦ ଠାରୁ ନବମୀ ପର୍ଯ୍ୟନ୍ତ ନବଦୁର୍ଗା ଙ୍କ ପୂଜା ଅନୁଷ୍ଠିତ ହୁଏ।ଆଦ୍ଯାଶକ୍ତିଙ୍କ ପ୍ରଥମ ସ୍ଵରୁପା ଶୈଳପୁତ୍ରୀ ଙ୍କ ଆରାଧନାରୁ ଆରମ୍ଭ ହୁଏ ନବରାତ୍ର ପୂଜା। ପୁରାଣ ବର୍ଣ୍ଣନା ଅନୁସାରେ ଶୈଳରାଜ ହିମାଳୟଙ୍କ ପ୍ରାର୍ଥନା ଓ ତପସ୍ୟାରେ ସନ୍ତୁଷ୍ଟ ହୋଇ ମା ଆଦିଶକ୍ତି ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ। ଏହା ମା ପାର୍ବତୀଙ୍କର ବାଲ୍ୟକାଳର ପରିକଳ୍ପନା। ବାଲ୍ୟାବସ୍ଥାରେ ଶିଶୁ କନ୍ୟାଟି ଅବୋଧ ଓ ନିଷ୍ପାପ ଥିବା ବେଳେ ତା ମଧ୍ୟରେ ପ୍ରକୃତିର ଶକ୍ତି ସଞ୍ଚରିତ ହୁଏ। ଏହାକୁ କୁହାଯାଏ ପରା ଶକ୍ତି।
ପୁରାଣ ବର୍ଣ୍ଣନା ମତେ ପୂର୍ବ ଜନ୍ମରେ ସେ ଦକ୍ଷ ପ୍ରଜାପତିଙ୍କ କନ୍ୟା ଓ ଭଗବାନ ଶିବଙ୍କ ପତ୍ନୀ ସତୀ ଥିଲେ।ଦକ୍ଷ ପ୍ରଜାପତିଙ୍କ ଯଜ୍ଞକୁ ଭଗବାନ ଶିବଙ୍କୁ ଯୋଗଦେବାକୁ ନିମନ୍ତ୍ରଣ କରାଯାଇ ନଥିଲା।ମା ସତୀଙ୍କ ଆଗରେ ତାଙ୍କ ସ୍ବାମୀ ଭଗବାନ ଶିବଙ୍କୁ ଦକ୍ଷ ପ୍ରଜାପତି ଅପମାନିତ କରିବାରୁ ଏହା ମା ସତୀଙ୍କ ପାଇଁ ଅସହ୍ୟ ବୋଧ ହେଲା ଓ ସେ ତାଙ୍କ ପିତା ଦକ୍ଷ ପ୍ରଜାପତିଙ୍କ ଯଜ୍ଞକୁଣ୍ଡରେ ଝାସ ଦେଇଥିଲେ। ତା’ପର ଜନ୍ମରେ ସେ ହିମାଳୟଙ୍କ ପୁତ୍ରୀ ଭାବେ ଜନ୍ମ ଗ୍ରହଣ କରି ଭଗବାନ ଶିବଙ୍କୁ ତପସ୍ୟା ବଳରେ ପାଇଥିଲେ।
ଶୁକ୍ଳ ପ୍ରତିପଦ ତିଥିରେ ମା’ଙ୍କର କଳସ ସ୍ଥାପନ କରାଯାଇ ପୂଜା ଆରମ୍ଭ କରାଯାଏ। ଦେବୀ କୃପା ଲାଭ କରିବା ପାଇଁ ସାଧକ ନିଜ ମନକୁ ମୂଳାଧାର ଚକ୍ରରେ ସ୍ଥିତ କରି ଅଧିଷ୍ଠାତ୍ରୀ ଦେବୀ ମା ଶୈଳପୁତ୍ରୀଙ୍କ ଆଶୀର୍ବାଦ ଭିକ୍ଷା କରନ୍ତି। ଏହି ପୂଜା ସମୟରେ ମା’ଙ୍କୁ ପାନପତ୍ର ରେ ଲବଙ୍ଗ ଓ ମିଶ୍ରି ଅର୍ପଣ କଲେ ନକାରାତ୍ମକ ଶକ୍ତିର ବିନାଶ ଘଟି ସକାରାତ୍ମକ ଶକ୍ତିର ଉଦୟ ହୁଏ।
ସୂର୍ଯ୍ୟ ମହାଗ୍ରହଙ୍କ ଶାନ୍ତି ନିମନ୍ତେ ମା ଦୁର୍ଗାଙ୍କର ଏହି ରୂପର ଆରାଧନା କରାଯାଏ। ମା’ଙ୍କ ପାଖରେ ଶୁଦ୍ଧ ଘିଅର ଭୋଗ ଅର୍ପଣ କଲେ ସୂର୍ଯ୍ୟ ମହାଗ୍ରହଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇ ଉତ୍ତମ ସ୍ୱାସ୍ଥ୍ୟ ଓ ସମ୍ମାନ ମିଳିଥାଏ।
ନବରାତ୍ର ର ପ୍ରଥମ ଦିନ କାଠର ପଟାରେ ଲାଲ କିମ୍ବା ଧଳା ବସ୍ତ୍ର ବିଛାଇ ସ୍ଥାପନ କରାଯାଏ ମା’ଙ୍କ ଆସ୍ଥାନ।ମା ଶୈଳପୁତ୍ରୀଙ୍କ ପ୍ରିୟ ରଙ୍ଗ ଧଳା ହୋଇଥିବାରୁ ଧଳା ରଙ୍ଗର ଫୁଲ,ଧଳା ବସ୍ତ୍ର ଓ ଧଳା ରଙ୍ଗର ବର୍ଫି ଭୋଗ ଲାଗି କରାଯାଏ।
ମା ଶୈଳପୁତ୍ରୀ ଙ୍କ ଆରାଧନା ଦ୍ଵାରା ଭକ୍ତର ମନବାଞ୍ଛା ପୂର୍ଣ୍ଣ ହୁଏ।
ବ୍ରହ୍ମଚାରିଣୀ ରୂପେ ନବରାତ୍ରର ଦ୍ଵିତୀୟ ଦିନରେ ମା ଦୁର୍ଗାଙ୍କ ପୂଜା କରାଯାଏ। ଶାନ୍ତ,ସଂଯମ, ବୈରାଗ୍ୟ, ସଦାଚାର,ଶିଷ୍ଟାଚାର, ତ୍ୟାଗ,ତପ ଓ ବୁଦ୍ଧିର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ଦେବୀ ଙ୍କ ଶାନ୍ତ ରୂପ ମା ବ୍ରହ୍ମଚାରିଣୀ। ଜ୍ଞାନ, ତପସ୍ୟା ଓ ବୈରାଗ୍ୟର ଦେବୀ ହେଉଛନ୍ତି ମା ବ୍ରହ୍ମଚାରିଣୀ। କଠୋର ସାଧନା ଓ ବ୍ରହ୍ମରେ ଲୀନ ହେବା କାରଣରୁ ତାଙ୍କର ନାମ ବ୍ରହ୍ମଚାରିଣୀ।
ମା ପାର୍ବତୀ ଭଗବାନ ଶିବଙ୍କୁ ସ୍ଵାମୀ ରୂପରେ ପାଇବା ପାଇଁ ବ୍ରହ୍ମଚାରିଣୀ ରୂପରେ ଘୋର ତପସ୍ୟା କରିଥିଲେ।
ପର୍ବତରାଜ ହିମାଳୟ ଓ ମୈନାବତୀଙ୍କ କନ୍ୟା ପାର୍ବତୀଙ୍କ କଠୋର ତପସ୍ୟା କାରଣରୁ ତାଙ୍କ ନାମ ତପସ୍ଵୀରିଣୀ ବା ବ୍ରହ୍ମଚାରିଣୀ।
ପୁରାଣ ବର୍ଣ୍ଣନା ଅନୁସାରେ ମା ବ୍ରହ୍ମଚାରିଣୀ ଏକହଜାର ବର୍ଷ ଧରି ଫଳ ଫୁଲ ଖାଇ ଓ ତିନି ହଜାର ବର୍ଷ ପର୍ଯ୍ୟନ୍ତ ବେଲଗଛ ରୁ ତଳେ ପଡିଥିବା ବେଲପତ୍ର ଖାଇ ଜୀବନ ଧାରଣ କରିଥିଲେ। ଖୋଲା ଆକାଶ ତଳେ ଖରା ବର୍ଷା କାକର କୁ ଖାତିରି ନକରି ଚଟାଣ ଉପରେ ବସି ତପସ୍ୟାରେ ନିମଗ୍ନ ରହୁଥିଲେ। ଏପରିକି ପତ୍ର ଖାଇବା ପରିତ୍ୟାଗ କରି ନିର୍ଜଳା ଉପବାସରେ ରହି ଦେବୀଙ୍କ ଉଜ୍ଜ୍ୱଳ ରୂପ ମଳିନ ହେବାକୁ ଲାଗିଲା। ସେଥିପାଇଁ ମା’ଙ୍କ ନାମ ଅପର୍ଣ୍ଣା।ମା’ ପାର୍ବତୀଙ୍କ କଠୋର ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବାନ ଶିବ ତାଙ୍କୁ ବିବାହ କରିଥିଲେ।
ଭକ୍ତମାନେ ନିଜ ମନକୁ ସ୍ଵାଧିଷ୍ଠାନ ଚକ୍ରରେ ଅବସ୍ଥାପିତ କରି ଆରାଧନା କରନ୍ତି।ମା ପାର୍ବତୀଙ୍କ ଅନ୍ୟ ନାମ ହେଉଛି ଅପର୍ଣ୍ଣା ଓ ଉମା।ତପସ୍ଯାର ତେଜରେ ଏହି ରୂପ ତେଜୋଦୀପ୍ତ ହୋଇଥାଏ। ତାଙ୍କ ଡାହାଣ ହସ୍ତରେ ମନ୍ତ ଜପାମାଳୀ ଓ ବାମ ହସ୍ତରେ କମଣ୍ଡଳୁ ଶୋଭା ପାଉଥାଏ।
ମଙ୍ଗଳ ଗ୍ରହର ଖରାପ ପ୍ରଭାବ କମ୍ କରିବାକୁ ମା ବ୍ରହ୍ମଚାରିଣୀ ଙ୍କୁ ପୂଜା କରାଯାଏ। ବିଦ୍ୟାର୍ଥୀ ଓ ତପସ୍ୱୀ ମାନେ ମା’ଙ୍କ ପୂଜା ସମୟରେ ହଳଦିଆ କିମ୍ବା ଧଳା ବସ୍ତ୍ର ପରିଧାନ କରିଥାନ୍ତି। ଏହି ଦିନରେ ଫଳାହାର ଓ ଜଳୀୟ ଆହାର ଗ୍ରହଣ କରି ଦେବୀଙ୍କୁ ଧଳା ରଙ୍ଗର ଫୁଲ, ଭୋଗ ପ୍ରଦାନ ସମୟରେ ଭକ୍ତ ମାନେ ଧଳା ରଙ୍ଗର ଆସନରେ ବସି ମନ୍ତ ପାଠ କରନ୍ତି।
ନବରାତ୍ରର ତୃତୀୟ ଦିନରେ ପୂଜା ପାଆନ୍ତି ମା ଚନ୍ଦ୍ରଘଣ୍ଟା। ଧର୍ମର ସୁରକ୍ଷା ତଥା ଅସୁରମାନଙ୍କ ବିନାଶ ପାଇଁ ପୃଥିବୀରେ ଅବତରଣ କରିଥିଲେ ମା ଦୁର୍ଗାଙ୍କ ଏହି ରୂପ ଚନ୍ଦ୍ରଘଣ୍ଟା।ପରମଶାନ୍ତ ଓ କଲ୍ୟାଣକାରୀ ମା ଚନ୍ଦ୍ରଘଣ୍ଟା ଙ୍କ ମୁଣ୍ଡରେ ଘଣ୍ଟା ଆକୃତିର ଅଧା ଚନ୍ଦ୍ର ରହିଛି। ତେଣୁ ତାଙ୍କୁ ଚନ୍ଦ୍ରଘଣ୍ଟା କୁହାଯାଏ।ମା’ଙ୍କ ରଙ୍ଗ ସୁବର୍ଣ୍ଣ ରଙ୍ଗ। ଦଶଟି ହସ୍ତରେ ଅସ୍ତ୍ରଶସ୍ତ୍ର ସୁସଜ୍ଜିତ ହୋଇ ସିଂହ ବାହନରେ ବିରାଜମାନ କରନ୍ତି ମା।
କିମ୍ବଦନ୍ତୀ ଅନୁସାରେ ପୃଥିବୀରେ ଯେତେବେଳେ ମହିଷାସୁର ଓ ତା’ର ଅନୁଚରମାନଙ୍କର ଅତ୍ୟାଚାର ବଢ଼ିବାରେ ଲାଗିଲା, ସେତେବେଳେ ମା ଦୁର୍ଗାଙ୍କର ଚନ୍ଦ୍ରଘଣ୍ଟା ରୂପରେ ଆବିର୍ଭାବ ହୋଇଥିଲା। ମହିଷାସୁର ସ୍ଵର୍ଗରେ ଶାସନ କରିବାକୁ ଚାହୁଁଥିଲା। ଦେବତାମାନେ ଏହି ସମସ୍ୟାରୁ ମୁକ୍ତିଲାଭ କରିବା ପାଇଁ ତ୍ରୀଦେବ ବ୍ରହ୍ମା,ବିଷ୍ଣୁ ଓ ମହେଶ୍ୱର ଙ୍କ ପାଖରେ ପହଞ୍ଚିଲେ। ଏହି ତିନି ଦେବଙ୍କ କ୍ରୋଧରୁ ଜଣେ ଦେବୀ ସୃଷ୍ଟି ହେଲେ। ଭଗବାନ ବିଷ୍ଣୁ ତାଙ୍କୁ ଚକ୍ର ଦେଲେ, ଭଗବାନ ଶିବ ତାଙ୍କୁ ତ୍ରିଶୂଳ ଦେଲେ। ସମସ୍ତ ଦେବଦେବୀ ତାଙ୍କୁ ସେମାନଙ୍କ ଆୟୁଧ ଓ ଅସ୍ତ୍ର ଦେଲେ। ଦେବରାଜ ଇନ୍ଦ୍ର ଦେବୀଙ୍କୁ ଏକ ଘଣ୍ଟା ଦେଇଥିଲେ। ସୂର୍ଯ୍ୟ ତାଙ୍କ ତୀକ୍ଷ୍ଣ ଶକ୍ତି ଓ ଖଣ୍ଡା ଦେଲେ ତଥା ସିଂହ ବାହନ ପ୍ରଦାନ କରିଥିଲେ।
ମା ଚନ୍ଦ୍ରଘଣ୍ଟା ଙ୍କର ଏହି ରୂପ ଦେଖି ମହିଷାସୁର ଭୟଭୀତ ହୋଇ ଆକ୍ରମଣ କଲା।ମା ଚନ୍ଦ୍ରଘଣ୍ଟା ରୂପରେ ଦେବୀ ଦୁର୍ଗା ମହିଷାସୁରକୁ ବଧ କଲେ।
ମା ଚନ୍ଦ୍ରଘଣ୍ଟାଙ୍କୁ ବିଧି ପୂର୍ବକ ପୂଜା କଲେ ଅଲୌକିକ ଜ୍ଞାନ ଲାଭ ସହିତ ସାହସ ଓ ନିର୍ଭିକତା ମିଳିଥାଏ। ଏତଦବ୍ୟତୀତ ରୋଗରୁ ମୁକ୍ତି ମିଳେ।ମାଙ୍କୁ ସିନ୍ଦୁର,ଅକ୍ଷତ,ଗନ୍ଧ, ଧୂପ, ପୁଷ୍ପ ଅର୍ପଣ କରି ଦୁର୍ଗା ଚାଳିଶା ପାଠ ସହିତ ଆଳତି କଲେ ଶୁଭ ଫଳ ପ୍ରାପ୍ତି ହୁଏ।ମା’ଙ୍କୁ ନାଲି ରଙ୍ଗର ଫୁଲ,ରକ୍ତ ଚନ୍ଦନ ଅର୍ପଣ କରାଯାଏ। ନାଲି ରଙ୍ଗର ବସ୍ତ୍ର ପରିଧାନ କରି ତାଙ୍କୁ ଆରାଧନା କଲେ ମଣିପୁର ଚକ୍ର ମଜଭୁତ ହୋଇ ମନରୁ ଭୟ ଦୂର ହେବା ସହ ସାହସ ବୃଦ୍ଧି ପାଏ।ଏହି ରୂପରେ କ୍ଷୀରରେ ପ୍ରସ୍ତୁତ ମିଷ୍ଟାନ୍ନ ଓ କ୍ଷୀରି ଆଦି ନୈବେଦ୍ୟ ଅର୍ପଣ କରାଯାଏ।
ଏହି ପୂଜା ଦ୍ଵାରା ମଙ୍ଗଳ ଗ୍ରହ ଙ୍କୁ ଶାନ୍ତି କରାଯାଏ।
ମା ଚନ୍ଦ୍ରଘଣ୍ଟା ତାଙ୍କ ଭୁଜ ସବୁରେ କମଳ, ଧନୁତୀର, କମଣ୍ଡଳୁ,ଖଣ୍ଡା, ତ୍ରିଶୂଳ ଓ ଗଦା ଧାରଣ କରନ୍ତି। ତାଙ୍କ କଣ୍ଠରେ ଧଳା ଫୁଲର ମାଳା ଓ ମସ୍ତକ ରେ ରତ୍ନ ଜଡ଼ିତ ମୁକୁଟ ଶୋଭା ପାଉଥାଏ।ତାଙ୍କୁ ପୂଜା କରିବା ଦ୍ୱାରା ମୁଖ,ନେତ୍ର ଓ ସମ୍ପୁର୍ଣ୍ଣ ଶରୀରର ଉଜ୍ଜଳତା ବଢ଼ିଥାଏ। କଣ୍ଠସ୍ୱର ଦିବ୍ୟ ଓ ମଧୁର ହେବା ସହିତ ଶାନ୍ତି ଓ ସୁଖ ଅନୁଭବ କରେ ଭକ୍ତ। ସବୁ ବାଧାବିଘ୍ନକୁ ଦୂର କରି, ସବୁ ଦୁଃଖକଷ୍ଟ କୁ ନିବାରଣ କରି ଅଭୟ ପ୍ରଦାନ କରନ୍ତି ଅଭୟଦାୟିନୀ ମା।
କଲ୍ୟାଣକାରୀ ମା’ଙ୍କ ପୂଜା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ।
ଶାରଦୀୟ ନବରାତ୍ରୀ ର ଚତୁର୍ଥ ରାତିରେ ମା କୁଷ୍ମାଣ୍ଡାଙ୍କ ଆରାଧନା କରାଯାଏ। ଏହାଦ୍ବାରା ସୁଖ, ସୈାଭାଗ୍ୟ, ଐଶ୍ୱର୍ଯ୍ୟ ଓ ଧନସମ୍ପଦ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି। ସିଂହ ବାହିନୀ ଭଗବତୀ କୁଷ୍ମାଣ୍ତା ରୂପେ ଅଷ୍ଟଭୁଜା ଓ ସମଗ୍ର ସୃଷ୍ଟିର ସୃଷ୍ଟିକର୍ତ୍ତୀ। ସେ କମଣ୍ଡଳୁ,ଧନୁ,ତୀର,ପଦ୍ମ,ଚକ୍ର,କଳସ, ଗଦା ଆଦି ଧାରଣ କରନ୍ତି।ଅଷ୍ଟମ ହସ୍ତରେ ଧରିଥିବା ଜପାମାଳୀ ମାଧ୍ୟମରେ ଭକ୍ତ ମାନଙ୍କୁ ଅଷ୍ଟସିଦ୍ଧି ଓ ନବନିଧି ପ୍ରଦାନ କରନ୍ତି।
ସେ ଆଦିତ୍ୟମଣ୍ଡଳ ର କେନ୍ଦ୍ର ସ୍ଥଳରେ ବାସ କରନ୍ତି।ସେ ସୂର୍ଯ୍ୟଙ୍କର ମୂଳ ଶକ୍ତି ସ୍ଵରୁପା। ତାଙ୍କ ତେଜରେ ସମଗ୍ର ବିଶ୍ୱ ଆଲୋକିତ ହେଉ ଥିବାରୁ ସେ ସୂର୍ଯ୍ୟଦେବଙ୍କ ଇଷ୍ଟ ଦେବୀ।ସେ ତେଜସ୍ଵିନୀ।
ମାତା କୁଷ୍ମାଣ୍ଡାଙ୍କ ମନ୍ଦ ହାସ୍ୟରୁ ସମଗ୍ର ବିଶ୍ୱ ସୃଷ୍ଟି ହୋଇ ଥିବାରୁ ଏହାର ନାମ ବ୍ରହ୍ମାଣ୍ଡ ହୋଇଛି।କୁଷ୍ମାଣ୍ଡା ତିନୋଟି ଶବ୍ଦର ମିଶ୍ରଣ – କୁ ଅର୍ଥ କ୍ଷୁଦ୍ର,ଉଷ୍ମ ଓ ଅଣ୍ଡା ଅର୍ଥାତ୍ ଯିଏ ଅଣ୍ଡା ସଦୃଶ୍ଯ ବିଶ୍ଵକୁ ନିଜ ଶକ୍ତି ବଳରେ ସୃଷ୍ଟି କରିଛନ୍ତି। ଅନ୍ୟ ଅର୍ଥରେ ପାଣି କଖାରୁ ତାଙ୍କର ଅତ୍ୟନ୍ତ ପ୍ରିୟ ଏବଂ ଏହାର ଅନ୍ୟ ନାମ କୁଷ୍ମାଣ୍ଡ। ତେଣୁ ସେ କୁଷ୍ମାଣ୍ଡା ନାମରେ ପରିଚିତ। ଏହି ବିଷୟରେ ରୁଦ୍ରଯାମଳ ତନ୍ତ୍ର ରେ ଲିଖିତ।
ଏହି ବେଶ ଦର୍ଶନ କଲେ ମନର ଚଞ୍ଚଳତା ଦୂର ହୁଏ।ମା’ଙ୍କୁ ମାଲପୁଆ ଭୋଗ ଅର୍ପଣ କରାଯାଏ।ସକାଳୁ ସ୍ନାନାଦି କର୍ମ ସମାପନ କରି ସବୁଜ ରଙ୍ଗର ବସ୍ତ୍ର ପରିଧାନ କରି ମା’ଙ୍କ ପୂଜାରେ ଗୁଜୁରାତି ଓ ପାନମଧୁରୀ ଭୋଗ ଲଗାଇ ମା’ଙ୍କ ମନ୍ତ୍ର ୧୦୮ ଥର ଜପ କଲେ ମଙ୍ଗଳ ହେବା ସହ ଆୟୁ,ଯଶ,ବଳ ଓ ସୁରକ୍ଷା ମିଳେ।ନବରାତ୍ରୀ ର ପଞ୍ଚମ ଦିନରେ ସ୍କନ୍ଦମାତା ଙ୍କୁ ପୂଜା କରାଯାଏ।
ପୁରାଣ ବର୍ଣ୍ଣନା ଅନୁସାରେ ଭଗବାନ ଶିବ ଓ ମାତା ପାର୍ବତୀ ଙ୍କ ପୁତ୍ର କାର୍ତ୍ତିକେୟ ତାରକାସୁରକୁ ବିନାଶ କରିଥିଲେ। ଦେବତା ମାନଙ୍କୁ ତାରକାସୁର ଠାରୁ ସୁରକ୍ଷିତ ରଖିବା ପାଇଁ କାର୍ତ୍ତିକେୟ ଙ୍କ ଜନ୍ମ। ତାଙ୍କର ଅନ୍ୟ ନାମ ସ୍କନ୍ଦ। ପୁତ୍ର କାର୍ତ୍ତିକେୟ ଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ମା ପାର୍ବତୀ ସ୍କନ୍ଦମାତା ରୂପ ଧାରଣ କରି ଥିଲେ। ପ୍ରଶିକ୍ଷଣ ନେବା ପରେ କାର୍ତ୍ତିକେୟ ଯୁଦ୍ଧରେ ତାରକାସୁରକୁ ବଧ କରିଥିଲେ।
ସ୍କନ୍ଦମାତା ଙ୍କ କୋଳରେ ସ୍କନ୍ଦ ବା କାର୍ତ୍ତିକେୟ ବିରାଜିତ ହୋଇଥାନ୍ତି।
ଥରେ ଦେବରାଜ ଇନ୍ଦ୍ର କାର୍ତ୍ତିକ ଙ୍କୁ ଉପହାସ କରି କହିଥିଲେ, ତୁମେ ଭଗବାନ ଶିବ ଓ ମାତା ପାର୍ବତୀ ଙ୍କ ପୁତ୍ର ନୁହେଁ। ଏହାଶୁଣି କାର୍ତ୍ତିକ ବହୁତ ଦୁଃଖରେ ରହିଲେ।ମା ପାର୍ବତୀ କାର୍ତ୍ତିକେୟ ଙ୍କ ଏହି ଦୁଃଖ ବୁଝିପାରିଲେ ଓ ସିଂହ ଉପରେ ପ୍ରକଟ ହୋଇ କାର୍ତ୍ତିକ ବା ସ୍କନ୍ଦଙ୍କୁ କୋଳକୁ ଉଠାଇ ନେଇଥିଲେ।
ସ୍କନ୍ଦମାତା ଙ୍କୁ ପୂଜା କଲେ ଆତ୍ମବିଶ୍ବାସ ବୃଦ୍ଧି ଘଟେ। ଭକ୍ତ ର ମନ ବିଶୁଦ୍ଧ ଚକ୍ରରେ ଅବସ୍ଥିତ ହୋଇଥାଏ। ମା’ଙ୍କ ପୂଜା ଦ୍ଵାରା ଶତ୍ରୁ ଭୟ,ସଙ୍କଟ, ରୋଗ ଦୂର ହେବା ସହ ଜ୍ଞାନ ବୃଦ୍ଧି ଘଟେ।
ସ୍କନ୍ଦମାତା ପଦ୍ମ ଫୁଲରେ ଅଭୟ ମୁଦ୍ରାରେ ବିରାଜିତ। ପ୍ରସିଦ୍ଧ ଦେବାସୁର ସଂଗ୍ରାମରେ ଦେବତା ମାନଙ୍କ ସେନାପତି ଭାବେ ସ୍କନ୍ଦମାତା ଯୁଦ୍ଧ ପରିଚାଳନା କରିଥିଲେ।ମା ପାର୍ବତୀଙ୍କ ପୁତ୍ର କାର୍ତ୍ତିକେୟ ଦେବ ସେନାପତି କୁମାର ଭାବେ ପରିଚିତ ଅଟନ୍ତି।
ନବରାତ୍ରୀ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ସ୍ନାନାଦି କର୍ମ ସମାପନ କରି ସ୍ଵଚ୍ଛ ବସ୍ତ୍ର ପରିଧାନ କରି ମା’ଙ୍କ ପ୍ରତିମାକୁ ଗଙ୍ଗା ଜଳରେ ଶୁଦ୍ଧ ସ୍ନାନ କରାଇ କଳସ ଜଳରେ କିଛି ଧାତବ ମୁଦ୍ରା ରଖି ପୂଜା ସଙ୍କଳ୍ପ ପରେ ମା’ଙ୍କୁ ଚନ୍ଦନ, ସିନ୍ଦୁର ଓ ଫୁଲ ଅର୍ପଣ କରି ଆଳତୀ କରାଯାଏ। ଏହି ଦିନ କଦଳୀ ଭୋଗ ଲଗାଇ ତାକୁ ପ୍ରସାଦ ଭାବେ ଗ୍ରହଣ କରାଯାଏ।
ମା ଦୁର୍ଗାଙ୍କର ନବରାତ୍ର ମଧ୍ୟରୁ ପ୍ରଥମ ତିନି ଦିନ ଦୁଷ୍ଟ ବିନାଶିନୀ କାଳୀ ରୂପରେ ପୂଜା କରାଯାଏ।ମଝି ତିନି ଦିନ ଅର୍ଥାତ୍ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ରାତ୍ରରେ ମା’ଙ୍କୁ ଧନଧାନ୍ୟ ଓ ସମ୍ପଦର ଦେବୀ ଲକ୍ଷ୍ମୀଙ୍କ ରୂପେ ପୂଜା କରାଯାଏ।
ପଦ୍ମ ଉପରେ ବିରାଜମାନ ହୋଇଥିବା ହେତୁ ତାଙ୍କୁ ପଦ୍ମାସନ ଦେବୀ ମଧ୍ୟ କୁହାଯାଏ।ମା ଦୁର୍ଗାଙ୍କ ଷଷ୍ଠୀ ଅଧିବାସ ଓ ବିଲ୍ଵବରଣ ଶାରଦୀୟ ଦୁର୍ଗାପୂଜା ର ଏକ ବିଶିଷ୍ଟ ଅଂଶ। ଏହି ଦିନ ବେଲଗଛକୁ ପୂଜା କରାଯାଇ ବରଣ କରାଯାଏ।
ବାମନ ପୁରାଣ ଅନୁଯାୟୀ ମହିଷାସୁରର ଅତ୍ୟାଚାରରେ ଅତିଷ୍ଠ ହୋଇ ସମସ୍ତ ଦେବଦେବୀ କ୍ରୋଧରେ ପ୍ରଜ୍ଜଳିତ ହେଲେ।ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଙ୍କ ସମେତ ସମସ୍ତ ଦେବଗଣ ଙ୍କ ସମ୍ମିଳିତ କ୍ରୋଧ ଏକ ତେଜୋମୟ ରୂପ ଧାରଣ କରି କାତ୍ୟାୟନ ଋଷିଙ୍କ ଆଶ୍ରମ ଉପରେ ପର୍ବତ ଆକାରରେ ବ୍ୟାପ୍ତ ହେବାକୁ ଲାଗିଲା। ସେଥିରେ କାତ୍ୟାୟନ ଋଷିଙ୍କ ବ୍ରହ୍ମତେଜ ମିଳିତ ହୋଇ ସେହି ତେଜୋମୟ ରୂପ ଦ୍ଵିଗୁଣିତ ହେଲା। ସେହି ଏକାକାର ତେଜୋମୟ ତେଜପୁଞ୍ଜ ଏକ ଦିବ୍ୟ ନାରୀରେ ପରିଣତ ହେଲେ।କାତ୍ୟାୟନୀ ଋଷିଙ୍କ ଆଶ୍ରମର ଉପର ଭାଗରୁ ଉତ୍ପତ୍ତି ହୋଇଥିବାରୁ ତାଙ୍କ ନାମ କାତ୍ୟାୟନୀ।ଅନ୍ୟ ଏକ ଉପାଖ୍ୟାନ ଅନୁସାରେ କତ ନାମକ ଜଣେ ଋଷି ଥିଲେ। ଏହି କାତ୍ଯ ଗୋତ୍ରରେ ମହର୍ଷି କାତ୍ୟାୟନ ଜନ୍ମଗ୍ରହଣ କରିଥିଲେ। ମହର୍ଷି କାତ୍ୟାୟନ ଋଷିଙ୍କ ତପସ୍ୟା ରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ। ସେଥିପାଇଁ ମା’ଙ୍କ ନାମ କାତ୍ୟାୟନୀ।କିନ୍ତୁ କାଳିକା ପୁରାଣ ଅନୁସାରେ ୠଷି କାତ୍ୟାୟନ ତାଙ୍କୁ ପ୍ରଥମେ ଦେବୀ ରୂପେ ପୂଜା କରିଥିଲେ। ସେଥିପାଇଁ ତାଙ୍କୁ କାତ୍ୟାୟନୀ କୁହାଯାଏ।ବ୍ରଜ ନାରୀ ମାନେ ମା କାତ୍ୟାୟନୀ ଙ୍କୁ ପୂଜା କରି କୃଷ୍ଣଙ୍କୁ ପାଇଥିଲେ। ମା କାତ୍ୟାୟନୀ ଚତୁର୍ଭୁଜା।ସେ ଦୁଇଟି ହସ୍ତରେ ଖଡ୍ଗ ଓ କମଳ ଧାରଣ କରିଥିବା ବେଳେ ଅନ୍ୟ ଦୁଇଟି ହସ୍ତରେ ଅଭୟ ବରଦା ମୁଦ୍ରାରେ ଆଶୀର୍ବାଦ ପ୍ରଦାନ କରନ୍ତି। ତାଙ୍କର ବାହନ ସିଂହ।ମା କାତ୍ୟାୟନୀ ଙ୍କୁ ପୂଜା କରିବା ଦ୍ୱାରା ଭକ୍ତର ଇନ୍ଦ୍ରିୟ ବଶ କରିବାର ଶକ୍ତି ପ୍ରାପ୍ତ ହୁଏ।କନ୍ଯାର ବିବାହ ବିଳମ୍ବ ହେଉଥିଲେ ମା’ଙ୍କ ପୂଜା କଲେ ଶିଘ୍ର ସେହି ସମସ୍ୟାର ସମାଧାନ ହୋଇଥାଏ।ଭକ୍ତ ନିଜ ହାତରେ ସୁଗନ୍ଧଯୁକ୍ତ ପୁଷ୍ପ ଧରି ମା’ଙ୍କୁ ଆରାଧନା କରନ୍ତି। ଷୋଡ଼ଶ ଉପଚାର ବିଧିରେ ପୂଜା ସମାପ୍ତ ହେଲା ପରେ ମା’ଙ୍କୁ ଶୃଙ୍ଗାର ସାମଗ୍ରୀ ଅର୍ପଣ କରାଯାଏ।ମା’ଙ୍କୁ ମଧୁ ଅର୍ପଣ କରାଯାଏ।ମା ଦୁର୍ଗାଙ୍କ ପ୍ରକଟିତ ରୂପ ଦେଖି ସମସ୍ତ ଦେବତା ଏକତ୍ରିତ ଭାବେ ସ୍ତୁତି କରିବାକୁ ଲାଗିଲେ।
ଭଗବାନ ଶିବ ଙ୍କ ତେଜରେ ଏହି ଦିବ୍ୟରୂପ ଦେବୀଙ୍କ ମୁଖ,ଯମଙ୍କ ତେଜରୁ କେଶ, ବିଷ୍ଣୁଙ୍କ ତେଜରେ ଭୁଜ,ଚନ୍ଦ୍ର,ଇନ୍ଦ୍ର, ବରୁଣ, ପୃଥିବୀ, ବ୍ରହ୍ମା, ସୂର୍ଯ୍ୟ,କୁବେର,ବସୁଗଣ,ନବ ପ୍ରଜାପତି, ଅଗ୍ନିଙ୍କ ତେଜରୁ ଶରୀରର ଅଙ୍ଗପ୍ରତ୍ୟଙ୍ଗ ସୃଷ୍ଟି ହେଲା। ସନ୍ଧ୍ୟା,ପବନ, ବିଶ୍ଵକର୍ମା ଓ ଅନ୍ୟାନ୍ୟ ଦେବତା ଗଣଙ୍କ ତେଜରୁ ମଧ୍ୟ ଦେବୀଙ୍କର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ସୃଷ୍ଟି ହୋଇ ସମଗ୍ର ଶରୀର ପୂର୍ଣ୍ଣାଙ୍ଗ ହେଲା। ଦେବୀଙ୍କ ଦିବ୍ୟ ରୂପ ଦେଖି ଦେବତା ମାନଙ୍କ ମନରେ ନିଶ୍ଚୟ ଦୁର୍ଗତି ନାଶ ହେବ ବୋଲି ବିଶ୍ବାସ ଆସିବାରୁ ସମସ୍ତ ଦେବଗଣ ସେହି ଦିବ୍ୟ ଦେବୀ ଙ୍କ ନାମ ରଖିଲେ ଦୁର୍ଗା। ଏହାପରେ ଦେବଗଣ ନିଜ ନିଜର ଦିବ୍ଯାସ୍ତ୍ର ଦେବୀ ଦୁର୍ଗା ଙ୍କୁ ପ୍ରଦାନ କଲେ। ପ୍ରଥମେ ଶିବ ତାଙ୍କ ତ୍ରିଶୂଳ ପ୍ରଦାନ କଲେ। ବିଷ୍ଣୁ ତାଙ୍କ ଚକ୍ର, ଅଗ୍ନି ତାଙ୍କ ଶକ୍ତି,ପବନ ତାଙ୍କ ଧନୁର୍ବାଣ,ଇନ୍ଦ୍ର ତାଙ୍କ ବଜ୍ର ଓ ଘଣ୍ଟା ପ୍ରଦାନ କଲେ।ଯମରାଜ କାଳଦଣ୍ଡ, ବରୁଣ ପାଶ ଓ ଶଙ୍ଖ,ଦକ୍ଷ ପ୍ରଜାପତି ଅକ୍ଷମାଳା, ବ୍ରହ୍ମା କମଣ୍ଡଳୁ ପ୍ରଦାନ କଲେ ଦେବୀ ଦୁର୍ଗାଙ୍କୁ। ସୂର୍ଯ୍ୟ, ଦେବୀଙ୍କ ପ୍ରତି ଲୋମରେ କିରଣ ମାଳା ଭର୍ତ୍ତି କରିଦେଲେ।ମହାକାଳ ଦେବୀଙ୍କୁ କାଳର ଲହଲହ ଜିହ୍ୱା ସଦୃଶ୍ୟ ଗୋଟିଏ ଖଡ୍ଗ ପ୍ରଦାନ କଲେ। କ୍ଷୀର ସମୁଦ୍ର ଦେବୀଙ୍କୁ ବସ୍ତ୍ର, ଉତ୍ତରୀୟ,ମୋତିମାଳା, ଚୁଡ଼ାମଣି, ଦିବ୍ୟ କୁଣ୍ଡଳ ଓ କଙ୍କଣ ପ୍ରଦାନ କଲେ। ଚନ୍ଦ୍ରମା ଦେବୀଙ୍କ ଦୁଇ ପାଦରେ ରୁଣୁଝୁଣୁ ପାଉଁଜି, ବାହୁରେ ବାଜୁବନ୍ଧ, କଣ୍ଠରେ ଚାପସରୀ ଓ ଅଙ୍ଗୁଳି ମାନଙ୍କୁ ରତ୍ନ ମୁଦି ପିନ୍ଧାଇ ଦେଲେ। ଦେବୀ ଙ୍କୁ ବିଶ୍ଵକର୍ମା ଏକ ଅଭେଦ୍ୟ କବଚ ଓ ତୀକ୍ଷ୍ଣ ଧାର ଯୁକ୍ତ ପରଶୁ, କୁବେର ଗୋଟିଏ ସୁନ୍ଦର ସୁବର୍ଣ୍ଣ ପାନପାତ୍ର, ଅନନ୍ତନାଗ ଗୋଟିଏ ମଣି ଖଚିତ ନାଗହାର ପ୍ରଦାନ କଲେ। ଶେଷରେ ହିମାଳୟ ବାହନ ରୂପେ ଏକ ସିଂହ ପ୍ରଦାନ କଲେ । ଦେବୀ ଦୁର୍ଗା ସିଂହ ଉପରେ ଆସୀନ ହେବା ମାତ୍ରେ ସମୁଦ୍ର ଏକ ପଦ୍ମ ମାଳା ଆଣି ତାଙ୍କ ଗଳାରେ ଲମ୍ବାଇ ଦେଲେ। ସମସ୍ତ ଦେବତା ଦେବୀ ଦୁର୍ଗାଙ୍କୁ ନିଜ ନିଜ ଆୟୁଧ ପ୍ରଦାନ କରିଥିଲେ।
ଦେବୀ ମାହାତ୍ମ୍ୟ ମତେ ଚଣ୍ଡୀ ଶୁଣି ସତ୍ୟ ଯୁଗର ରାଜା ସୁରଥ ଙ୍କର ମୋହଭଙ୍ଗ ହେଲା।ସେ ଦୁର୍ଗା ପୂଜାର ପରମ୍ପରା ସୃଷ୍ଟି କଲେ। ଶୁକ୍ଳ ପକ୍ଷ ସପ୍ତମୀ ଦିନ ମୃଣ୍ମୟୀ ପ୍ରତିମା ଓ ଘଟ ସ୍ଥାପିତ ହୁଏ। ଦେବୀ ପୀଠ ମାନଙ୍କରେ ଆଶ୍ଵିନ କୃଷ୍ଣପକ୍ଷ ଅଷ୍ଟମୀ ଠାରୁ ଷୋଡ଼ଶ ଦିନ ବ୍ୟାପୀ ପୂଜା ଅନୁଷ୍ଠିତ ହୁଏ।
ଆଷାଢ଼ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଦେବତାମାନେ ନିଦ୍ରା ଯାଆନ୍ତି। ତେଣୁ ଏହି ସମୟକୁ ଅକାଳ କୁହାଯାଏ।
ବ୍ରହ୍ମାଙ୍କ ପରାମର୍ଶକ୍ରମେ ଶ୍ରୀରାମଚନ୍ଦ୍ର ଆଶ୍ଵିନ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଦେବୀଙ୍କ ଅକାଳ ବୋଧନ ନିମନ୍ତେ ପୂଜାର ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ। ଶ୍ରୀରାମ ଧ୍ୟାନ ବଳରେ ଜାଣିଲେ ଯେ ଦେବୀ କୁମାରୀ ରୂପରେ ବିଲ୍ଵ ବୃକ୍ଷ ଶାଖାରେ ଶାୟିତ ଅଛନ୍ତି ।ସେ ସକାଳେ କଳ୍ପାରମ୍ଭ ଓ ସନ୍ଧ୍ୟା ସମୟରେ ବିଲ୍ଵ ବୃକ୍ଷ ମୂଳରେ ଦେବୀଙ୍କୁ ଅକାଳ ବୋଧନ କରିଥିଲେ। ଏହାପରେ ସପ୍ତମୀ ତିଥିରେ ଦେବୀଙ୍କୁ ଷୋଡ଼ଶ ଉପଚାର ରେ ପୂଜା କଲେ।ଆଗତ ଯୋଗିନୀ ଗଣଙ୍କ କୋଳାହଳ ରେ ମଧ୍ୟ ଦେବୀ ସୁପ୍ତ ଅବସ୍ଥାରେ ରହିବାରୁ ଅଷ୍ଟମୀ ତିଥିରେ ପୁଣି ଦେବୀଙ୍କୁ ପୂଜା କଲେ। ଯୋଗିନୀ ଗଣଙ୍କ କୋଳାହଳ ରେ ଦେବୀ କଡ଼ ଲେଉଟାଇ ପୁଣି ଶୋଇଲେ। ଏହାପରେ ଅଷ୍ଟମୀ ତିଥିର ଶେଷ ଓ ନବମୀ ତିଥିର ଆରମ୍ଭ ବା ସନ୍ଧିକ୍ଷଣ ସମୟରେ ସେ ଆରମ୍ଭ କଲେ ସନ୍ଧିପୂଜା। ଅଷ୍ଟମୀ ତିଥିର ଚବିଶ ମିନିଟ ଓ ନବମୀ ତିଥିର ଚବିଶ ମିନିଟ୍ ମୋଟ ଅଠଚାଳିଶ ମିନିଟ୍ ଧରି ଚାମୁଣ୍ଡା ଙ୍କୁ ଆବାହନ କରି ଦେବୀ ଦୁର୍ଗାଙ୍କୁ ଉଠାଇବା ପାଇଁ ନିବେଦନ କଲେ। ଚାମୁଣ୍ଡାଙ୍କ ସହଯୋଗ ଫଳରେ ନବମୀ ତିଥିରେ ମା ଦୁର୍ଗା ଜାଗ୍ରତ ହେଲେ। ଏତିକିବେଳେ ସେ ଦେବୀଙ୍କୁ କୁମାରୀ ରୂପରେ ଦର୍ଶନ କରି ଯୋଗିନୀ ଗଣଙ୍କ ସହିତ ବିଶେଷ ପୂଜା କଲେ। ଏକସଙ୍ଗେ ୧୦୮ ପଦ୍ମ ଫୁଲ ଦେବୀ ଦୁର୍ଗାଙ୍କୁ ଅର୍ପଣ କରିଥିଲେ।୧୦୮ ପଦ୍ମରୁ ଗଣତିରେ ଗୋଟିଏ କମ୍ ଥିବାରୁ ରାଜୀବ ଲୋଚନ ଏହା ବଦଳରେ ନିଜ ଚକ୍ଷୁ ବାହାର କରିବାକୁ ଶର ଲଗାଇବା ସମୟରେ ମା ଦୁର୍ଗାଙ୍କର ଆବିର୍ଭାବ ହୋଇଥିଲା। ଏହି ସମୟରୁ କୁମାରୀ ଦେବୀଙ୍କ ପୂଜାର ଆରମ୍ଭ।
ସପ୍ତମୀ ରୁ ଦଶମୀ ପର୍ଯ୍ୟନ୍ତ ସମୟ ଦୁର୍ଗାପୂଜା।ଆମର ସଂସ୍କୃତି ଅନୁସାରେ ଆମର ପୂଜା ପଞ୍ଚଭୂତ ଉପରେ ଆଧାରିତ। ମାଟି ମଣିଷକୁ ରହିବା ପାଇଁ ବାସ ଦେଲା ଓ ମାଟିରୁ ଉତ୍ପନ୍ନ ଫଳ ଖାଇ ମଣିଷ ଜୀବନ ନିର୍ବାହ କଲା।ଜଳ ବିନା ଜୀବନ ଅସମ୍ଭବ ହୋଇ ଥିବାରୁ ଜଳାଶୟ ବା ନଦୀ କୂଳରେ ଗଢ଼ି ଉଠିଥିଲା ଜନବସତି।ତେଜର ମୂର୍ତ୍ତିମନ୍ତ ପ୍ରତୀକ ସୂର୍ଯ୍ୟ ଙ୍କୁ ଭଗବାନ ସୂର୍ଯ୍ୟ ନାରାୟଣ ରୂପେ ପୂଜା କରାଗଲା।ମରୁତ୍ ବା ପବନ କୁ ପବନ ଦେବ ରୂପେ ଓ ବ୍ଯୋମ ବା ଆକାଶକୁ ଇଶ୍ଵରୀୟ ସତ୍ତା ରୂପେ ଗ୍ରହଣ କରାଗଲା।
ଏ ବାବଦରେ ମୋର ପ୍ରବନ୍ଧ ବାସନ୍ତୀ ଦୁର୍ଗାପୂଜା ଓ ପଞ୍ଚ ଉପାସନାରେ ଉଲ୍ଲେଖ ରହିଛି।
ସପ୍ତମୀରେ ନବପତ୍ରିକା ପୂଜା କରାଯାଏ। ଏଥିରେ କଦଳୀ,ସାରୁ, ହଳଦୀ, ଅଶୋକ, ଡାଳିମ୍ବ,ବେଲ,ଧାନ ଆଦି ନ ଜାତି ପତ୍ର ଦ୍ଵାରା ମୂର୍ତ୍ତି ଗଠନ କରିବାର ବିଧି ରହିଛି। ଏହାପରେ ମହାସ୍ନାନ ବିଧି ସମ୍ପନ୍ନ ହୁଏ। ଚଣ୍ଡିପାଠ ହୋମ, ଦେବୀ ମାହାତ୍ମ୍ୟ ଗ୍ରନ୍ଥର ଆବୃତ୍ତି ସହ ହୋମ ଓ ପୁଷ୍ପାଞ୍ଜଳି ପ୍ରଦାନ କରିବା ବିଧି ରହିଛି।
ନବରାତ୍ର ସପ୍ତମ ଦିବସରେ ଦେବୀଙ୍କୁ କାଳରାତ୍ରୀ ସ୍ଵରୂପରେ ପୂଜା କରିବା ବିଧି। ଏହା ଦେବୀଙ୍କ ବିକଟାଳ ରୂପ। ଏହି ରୂପରେ ସେ ତ୍ରିନେତ୍ର ଧାରିଣୀ, ତାଙ୍କ ଶରୀରର ବର୍ଣ୍ଣ ଅନ୍ଧକାର ଭଳି କୃଷ୍ଣ ବର୍ଣ୍ଣ।ସେ ଚତୁର୍ଭୁଜା। ଦେବୀ ଦୁର୍ଗା ଗର୍ଦଭ ଉପରେ ଆରୁଢ ହୋଇ ହସ୍ତରେ ଲୌହ ଖଡ୍ଗ ଧାରଣ କରନ୍ତି।
ଶୁକ୍ଳ ଅଷ୍ଟମୀ ଓ ନବମୀ ତିଥିରେ ମହାମାରୁ ହୋଇଥିଲା। ମହିଷାସୁର ସମେତ ସମସ୍ତ ଅସୁର ନିଧନ ହୋଇଥିଲେ। ନବମୀ ରାତିର ଅନ୍ଧାର ସହ ସମସ୍ତ ଅମଙ୍ଗଳ ଅପସରି ଦଶମୀ ତିଥିରେ ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ ହୋଇ ଥିବାରୁ ଏହା ଦୁଃଖହା ଦଶମୀ ନାମରେ ଖ୍ୟାତ ବୋଲି ଆଦିକବି ସାରଳା ଦାସ ଚଣ୍ଡୀ ପୁରାଣରେ ଉଲ୍ଲେଖ କରିଛନ୍ତି।ସମଗ୍ର ଭାରତରେ ଯେଉଁ ଭଳି ଭାବରେ ଶାରଦୀୟ ଦୁର୍ଗା ପୂଜା ଅନୁଷ୍ଠିତ ହୁଏ, ଏହାର ବ୍ୟତିକ୍ରମ ଦେଖାଯାଏ ଏହି ପ୍ରାଚୀନ ଉଡ୍ଡୀୟାନ ରାଜ୍ୟରେ। ଶ୍ରୀକ୍ଷେତ୍ର ପୁରୀ ଓ ଗଜପତି ମହାରାଜାଙ୍କ ଶାସନ ବ୍ୟବସ୍ଥାକୁ ପାଥେୟ କରି ଶାରଦୀୟ ଦୁର୍ଗାପୂଜା କୁ ଦ୍ଵିତୀୟ ମହୋତ୍ସବ ଭାବରେ ଗ୍ରହଣ କରାଯାଇଛି। ଦୁର୍ଗା ମାଧବ ଉପାସନା ସମଗ୍ର ଭାରତରେ ଧର୍ମୀୟ ସଂଘର୍ଷକୁ ପ୍ରତିହତ କରି ଶାକ୍ତ ଓ ବୈଷ୍ଣବ ସଂସ୍କୃତିର ଏକ ମଧୁର ସମନ୍ବୟ ର ବାର୍ତ୍ତା ପ୍ରଚାର କରୁଛି।
ବର୍ଷର ଆଶ୍ଵିନ ମାସର ଶୁକ୍ଳପକ୍ଷ ପ୍ରତିପଦ ଠାରୁ ନବମୀ ପର୍ଯ୍ୟନ୍ତ ନବରାତ୍ର ପୂଜା ଅନୁଷ୍ଠିତ ହୁଏ। ଶାରଦୀୟ ଦୁର୍ଗାପୂଜା ଅକାଳ ବୋଧନ ପୂଜା। ମୂଳ ବାଲ୍ମୀକି ରାମାୟଣରେ ନଥିଲେ ମଧ୍ୟ ରାମାୟଣର ପରବର୍ତ୍ତୀ ସଂସ୍କରଣ ମାନଙ୍କରେ ଶ୍ରୀରାମଚନ୍ଦ୍ର ଏହି ପୂଜା କରିଥିବାର ଉଲ୍ଲେଖ ଅଛି।
ମହାଦେବୀ ସକଳ ଶକ୍ତିର ଏକୀଭୂତ ସନାତନୀ ମହାଶକ୍ତି।।
ଆଲେଖ୍ୟ::
ବାବାଜୀ ଚରଣ ଦାସ,
ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର,୭୫୧୦୧୯।
ମୋବାଇଲ୍-୮୮୯୫୪୮୪୨୨୩।