ନେତାଜୀ ସୁଭାଷ ବୋଷଙ୍କ ପିଲାଦିନ ,ଆଲେଖ୍ୟ-ବାବାଜୀ ଚରଣ ଦାସ

ଭାରତୀୟ ମୁକ୍ତି ସଂଗ୍ରାମର ମହାନ ରଥୀ ସୁଭାଷ ବୋଷ ଥିଲେ ବିପ୍ଳବର ଏକ ଆଗ୍ନେୟଗିରି। ଯୁବଶକ୍ତିର ପ୍ରତୀକ ସୁଭାଷ ବୋଷ ଥିଲେ ଏକ ସାଲିସ ବିହିନ ଅନିର୍ବାଣ ଶିଖା। କର୍ମବହୁଳ ଜୀବନ ଅତିବାହିତ କରୁଥିବା ସୁନାମଧନ୍ୟ ଆଇନଜୀବୀ ଜାନକୀନାଥ ଓ ଦୃଢମନା, ସ୍ନେହମୟୀ ନାରୀ ପ୍ରଭାବତୀଙ୍କ ଠାରୁ ବିସ୍ମୟକର ବହ୍ନିମାନ ମୁକ୍ତି ସଂଗ୍ରାମୀ ସୁଭାଷ ବୋଷଙ୍କ ଜନ୍ମ।୧୮୯୭ ମସିହା ଆଜିର ତାରିଖରେ କଟକ ସହରରେ ସେ ଧରାବତରଣ କରିଥିଲେ।

ପିଲାଟି ଦିନରୁ ବୁଦ୍ଧିମାନ ସୁଭାଷ ଗୋଟିଏ ସାହେବଙ୍କ ସ୍କୁଲରେ ପିଲାମାନଙ୍କ ଚାଲିଚଳଣ ପସନ୍ଦ ନହେବାରୁ ରେଭେନ୍ସା କଲେଜିଏଟ୍ ସ୍କୁଲ୍ ରେ ନାମ ଲେଖାଇଥିଲେ। ବେଶି ସମୟ ନପଢି ମଧ୍ୟ ଶ୍ରେଣୀରେ ସେ ପ୍ରଥମ ହେଉଥିଲେ। ପିଲାବେଳେ ସାଙ୍ଗ ମାନଙ୍କୁ ଧରି ବସନ୍ତ ରୋଗୀଙ୍କ ସେବା କରିଥିବା ସୁଭାଷ ୧୬ ବର୍ଷ ବୟସରେ କଲିକତା ବିଶ୍ୱବିଦ୍ୟାଳୟ ଅଧିନରେ ହେଉଥିବା ମାଟ୍ରିକ୍ଯୁଲେସନ ପରୀକ୍ଷାରେ ସବୁ ପିଲାଙ୍କ ମଧ୍ୟରେ ଦ୍ଵିତୀୟ ହୋଇଥିଲେ। ପ୍ରଥମ ହୋଇଥିବା ପିଲାଟି ତାଙ୍କ ଠାରୁ ମାତ୍ର ଦୁଇ ନମ୍ବର ଅଧିକ ରଖିଥିଲା। ମାଟ୍ରିକ ପାସ କଲାପରେ ସେ କଲେଜରେ ପଢ଼ିବା ପାଇଁ କଲିକତା ଗଲେ। କଲେଜରେ ପଢ଼ୁଥିବା ସମୟରେ କେତେକ ପିଲାଙ୍କ ସହ ମିଶି ଉପଯୁକ୍ତ ଗୁରୁ ସନ୍ଧାନରେ ସେ ହିମାଳୟ ପର୍ବତକୁ ଗଲେ। ସେଥିରେ ନିରାଶ ହୋଇ ଘରକୁ ଫେରିଲା ପରେ ପୁନର୍ବାର କଲେଜରେ ପଢ଼ିଲେ।

ଜଣେ ସାହେବ ଅଧ୍ୟାପକଙ୍କ ବ୍ଯବହାରରେ ଅସନ୍ତୁଷ୍ଟ ହୋଇ ସେ ଅନ୍ୟ ପିଲାଙ୍କ ସହିତ ମିଶି ପ୍ରତିବାଦ କଲେ। ସେଥିପାଇଁ ସବୁ ଦୋଷ ସୁଭାଷ ନିଜ ମୁଣ୍ଡକୁ ନେଲେ। ତାଙ୍କୁ ଦୁଇ ବର୍ଷ ପାଇଁ କଲେଜରୁ ବାହାର କରି ଦିଆ ଯାଇଥିଲା। ଅନ୍ୟ କଲେଜରେ ପଢି ସୁଭାଷ ବି.ଏ.ପାସ୍ କଲାପରେ ତାଙ୍କ ପିତା ତାଙ୍କୁ ବିଲାତ ପଠାଇଦେଲେ। ତାଙ୍କର ଇଚ୍ଛା ଥିଲା,ପୁଅ ଆଇ.ସି.ଏସ୍.ପାସ୍ କରି ବଡ଼ ଚାକିରି କରିବ।ସେ ଆଇ.ସି.ଏସ୍.ପରୀକ୍ଷାରେ ଚତୁର୍ଥ ସ୍ଥାନ ହାସଲ କରି ଉତ୍ତୀର୍ଣ୍ଣ ହେଲେ ମଧ୍ୟ ବିଲାତ ସରକାରଙ୍କ ଅଧିନରେ ଚାକିରି କରିବାକୁ ଘୃଣା କରି ଦେଶର ଲୋକମାନଙ୍କ ସେବାରେ ମନ ବଳାଇଲେ।ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର-୧୯।