ଆତଙ୍କବାଦ ଲଢ଼େଇରେ ଦୋମୁହାଁ ନୀତିର ସ୍ଥାନ ନାହିଁ: ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷର କଜାନରେ ବ୍ରିକ୍ସ ଶିଖର ସମ୍ମିଳନୀକୁ ସମ୍ୱୋଧନ କରିଛନ୍ତି । ସମ୍ମିଳନୀକୁ ସମ୍ୱୋଧନ କରି ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ ଏବଂ ବୈଶ୍ୱିକ ଆହ୍ୱାନ ଉପରେ ପିଏମ୍ ମୋଦୀ ଚିନ୍ତା ବ୍ୟକ୍ତ କରିଛନ୍ତି । ପିଏମ୍ ମୋଦୀ କହିଛନ୍ତି ଯେ ଆଜି ଦୁନିଆ ଯୁଦ୍ଧ, ଆର୍ଥିକ ଅନିଶ୍ଚତା, ଜଳବାୟୁ ପରିବର୍ତ୍ତନ ଏବଂ ଆତଙ୍କବାଦ ପରି ଅନେକ ଆହ୍ୱାନ ସାମନା କରୁଛି ।ଆତଙ୍କବାଦ ସାରା ବିଶ୍ଵ ପାଇଁ ବିପଦ। ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ପାଇଁ ପାଣ୍ଠି ଯୋଗାଣ ବନ୍ଦ କରାଯିବା ସଙ୍ଗେ ସଙ୍ଗେ ଆତଙ୍କବାଦର ମୂଳୋତ୍ପାଟନ ଜରୁରୀ। ଏ କ୍ଷେତ୍ରରେ ଦୋମୁହାଁ ନୀତିର ସ୍ଥାନ ନାହିଁ। ତେଣୁ ଆତଙ୍କବାଦ ବିରୋଧରେ ସମସ୍ତ ଦେଶ ଏକତ୍ର ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଆମର ଏହି ବୈଠକ ଏପରି ସମୟରେ ହେଉଛି, ଯେତେବେଳେ ସାରା ଦୁନିଆ ଯୁଦ୍ଧ, ଆର୍ଥିକ ଅନିଶ୍ଚତା, ଜଳବାୟୁ ପରିବର୍ତ୍ତନ ଏବଂ ଆତଙ୍କବାଦର ସାମନା କରୁଛି । ଦୁନିଆରେ ଉତ୍ତର-ଦକ୍ଷିଣ ଏବଂ ପୂର୍ବ-ପଶ୍ଚିମ ବିଭାଜନର କଥା ଉଠୁଛି ଏବଂ ପ୍ରଯୁକ୍ତିର ଯୁଗରେ ସାଇବର ସୁରକ୍ଷା, ଡିପ୍ ଫେକ୍, ଗୁଜବ ପରି ନୂଆ ଆହ୍ୱାନ ମଧ୍ୟ ସାମନାରେ ରହିଛି ।’

ପିଏମ୍ ମୋଦୀ ଜୋର ଦେଇ କହିଛନ୍ତି ଯେ ଏହି ସବୁ ଆହ୍ୱାନର ସାମନା କରିବା ପାଇଁ ବ୍ରିକ୍ସ ରଚନାତ୍ମକ ଭୂମିକା ଗ୍ରହଣ କରିବା ଦରକାର । ସାରା ଦୁନିଆ ବ୍ରିକ୍ସକୁ ଏକ ଜନକଲ୍ୟାଣକାରୀ ସଂଗଠନ ରୂପେ ଦେଖୁ, ବିଭାଜନକାରୀ ଶକ୍ତି ରୂପେ ନୁହେଁ । ଆମେ ଆଜି ଯେଉଁ ସ୍ଥିତିରେ ଅଛୁ, ସେଥିରେ ବ୍ରିକ୍ସଠାରୁ ଅଧିକ ଆଶା ରହିଛି । ମୋ ମତରେ ବିବିଧ ଏବଂ ସମାବେଶୀ ମଞ୍ଚ ରୂପେ ବ୍ରିକ୍ସ ସବୁ ପ୍ରସଙ୍ଗରେ ସକାରାତ୍ମକ ଭୂମିକା ଗ୍ରହଣ କରିପାରିବ । ଆମର ଦୃଷ୍ଟିକୋଣ ଜନ-କୈନ୍ଦ୍ରିକ ରହିବା ଦରକାର ।ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଇସ୍ରାଏଲ-ଗାଜା ଯୁଦ୍ଧ ରୋକିବା କ୍ଷେତ୍ରରେ ଜାତିସଂଘ ନିରାପତ୍ତା ପରିଷଦ ବିଫଳ ହୋଇଛି। ଏଥିପାଇଁ ବିଭିନ୍ନ ମହଲରୁ ଏହି ସଂଗଠନକୁ ସମାଲୋଚନା କରାଯାଉଛି। ବିଶ୍ଵସ୍ତରୀୟ ଏହି ଅନୁଷ୍ଠାନରେ ସଂସ୍କାର ଆସିବା ଜରୁରୀ ହୋଇପଡ଼ିଛି ବୋଲି ସେ କହିଛନ୍ତି।ପ୍ରଧାନମନ୍ତ୍ରୀ ମୋଦୀ ଶାନ୍ତି ଏବଂ କୂଟନୀତିର ମହତ୍ୱ ଉପରେ ଜୋର ଦେଇଛନ୍ତି । ସେ କହିଛନ୍ତି, ‘ବ୍ରିକ୍ସ ଦେଶ ଏକ ସୁରକ୍ଷିତ ଏବଂ ସମୃଦ୍ଧ ଭବିଷ୍ୟତ ପାଇଁ ମିଶି କାମ କରିବା ଦରକାର । ଆମେ କଥାବର୍ତ୍ତା ଏବଂ କୂଟନୀତିର ସମର୍ଥନ କରୁଛୁ, ଯୁଦ୍ଧର ନୁହେଁ । ଯେପରି ଆମେ ସମସ୍ତେ ମିଳିମିଶି କରୋନା ପରି ମହାମାରୀକୁ ହରାଇଲୁ, ସେହିପରି ଆମେ ଆଗାମୀ ପିଢି ପାଇଁ ସୁରକ୍ଷିତ, ମଜଭୁତ ଏବଂ ସମୃଦ୍ଧ ଭବିଷ୍ୟତ ଲାଗି ନୂଆ ସୁଯୋଗ ସୃଷ୍ଟି କରିବାରେ ସମ୍ପୂର୍ଣ୍ଣ ସକ୍ଷମ ଅଛୁ ।