କଟକ ବାଲିଯାତ୍ରା, ଆୟୋଜନ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି

ଏଥର କଟକ ବାଲିଯାତ୍ରାରେ ହେବ ବଲିଉଡ୍‌ ନାଇଟ୍‌ ଶୋ’ । ଏନେଇ କଟକ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ସୂଚନା ଦେଇଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ବୁଧବାର ଅନୁଷ୍ଠିତ ବାଲିଯାତ୍ରା କଟକ ଉତ୍ସବ ୨୦୨୪ର ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ବ୍ୟବସାୟୀଙ୍କ ପାଇଁ ପ୍ଲଟ ପଞ୍ଜିକରଣ ଆରମ୍ଭ ହୋଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ୧୦ ଟି ଟିମ ଗଠନ କରାଯାଇଛି । ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ବାରବାଟୀ ପ୍ୟାଲେସ ଠାରେ ନଅଟି ଟିମ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୋଟିଏ ଟିମ ପଞ୍ଜିକରଣ କାମରେ ଲାଗିଛନ୍ତି । ଅକ୍ଟୋବର ୧୫ରୁ ପଞ୍ଜିକରଣ ଆରମ୍ଭ ହୋଇଛି। ଏଥର ଭାରତୀୟ ନୌସେନାର ଆଇଏନଏସ ଚିଲିକା ବାଲିଯାତ୍ରା ସହ ଯୋଡ଼ି ହେବାକୁ ଯାଉଛି । ବାଲିଯାତ୍ରାରେ ଏଥର ପୁସ୍ତକ ମେଳା ବି ଅନୁଷ୍ଠିତ ହେବ। ଉଭୟ ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ସଙ୍ଗୀତ ପରିବେଷଣ କରିବେ ବଲିଉଡର ନାମୀଦାମୀ ଗାୟକ।ଅନ୍ୟପଟେ କଟକ-ଇନ-କଟକ ପରିସରରେ ଓ ଅସ୍ମିତା-ଓ ସିନେମା ପ୍ରଦର୍ଶନ କରାଯିବ। କଟକ-ଇନ୍‌-କଟକ ପରିସରରେ ଏକ ବୁକ୍‌ ଫେୟାର କରାଯିବ। ବାଲିଯାତ୍ରାକୁ ନେଇ ଏକ ସଙ୍ଗୀତ ତିଆରି କରାଯାଉଛି ଏବଂ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଏହାର ମ୍ୟୁଜିକ୍‌ ବି ଉନ୍ମୋଚନ କରାଯିବ। ବାଲିଯାତ୍ରାର ଉପର ଓ ତଳ ପଡ଼ିଆରେ ସମୁଦାୟ ୧୨୦୦ ଷ୍ଟଲ୍‌ କରାଯିବ।