କାଷ୍ଟ ଓ ରେସିଡେଣ୍ଟ ସାର୍ଟିଫେକେଟ ପାଇଁ ମୋବାଇଲ ଆପରେ ହେବ ଆବେଦନ
ରେସିଡେଣ୍ଟ ସାର୍ଟିଫିକେଟ ଓ କାଷ୍ଟ ସାର୍ଟିଫିକେଟ ପ୍ରାୟ ସମସ୍ତଙ୍କର ଆବଶ୍ୟକ ପଡ଼ିଥାଏ ।ଏଥିପାଇଁ ପ୍ରତି ୬ ମାସରେ ଥରେ ହିତାଧିକାରୀଙ୍କୁ ତହସିଲ ଅଫିସକୁ ଦୈଡିବାକୁ ପଡିଥାଏ । କିନ୍ତୁ ଏବେ ଏଥିରୁ ମିଳିବାକୁ ଯାଉଛି ମୁକ୍ତି । ଉପଭୋକ୍ତାଙ୍କୁ ଆଉ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡିବ ନାହିଁ । ଥରେ କାଷ୍ଟ ସାର୍ଟିଫିକେଟ ବା ଜାତିଗତ ପ୍ରମାଣପତ୍ର ବାହାର କଲେ ତାହା ସବୁଦିନ ପାଇଁ କାମରେ ଲାଗିବ । ଅନୁସୂଚିତ ଜାତି ଓ ଜନଜାତିର ଲୋକଙ୍କୁ ଜୀବନରେ ମାତ୍ର ଥରେ ସାର୍ଟିଫିକେଟ ବାହାର କରିବାକୁ ପଡ଼ିବ ।
କିନ୍ତୁ ଏସଇବିସି ଓ ଓବିସିବର୍ଗଙ୍କ ପାଇଁ ପୂର୍ବ ନିୟମ ବଳବତ୍ତର ରହିବ । ପ୍ରତି ୬ ମାସରେ ନୂଆ ସାର୍ଟିଫିକେଟ ବାହାର କରିବାକୁ ପଡିବ । ହେଲେ ସାର୍ଟିଫିକେଟ ପାଇଁ ଆବେଦନ ଓ ଆଣିବା ଲାଗି ତହସିଲ ଅଫିସକୁ ଆଉ ଯିବାକୁ ପଡ଼ିବ ନାହିଁ । ମୋବାଇଲ ଆପ୍ଲିକେସନ ଜରିଆରେ ସାର୍ଟିଫିକେଟ ଆବେଦନ ଓ ଗ୍ରହଣ କରି ହେବ ।ସେହିପରି ରେସିଡେଣ୍ଟ ସାର୍ଟିଫିକେଟ ବା ଆବାସିକ ପ୍ରମାଣପତ୍ର ଥରେ ବାହାର କଲେ ଜୀବନ ସାରା କାମରେ ଲାଗିବ । ଆଧାର ସହ ରେସିଡେଣ୍ଟ ସାର୍ଟିଫିକେଟର ସିଧାସଳଖ ଲିଙ୍କ ରହିବା ଆବଶ୍ୟକସ୍ଥଳେ ଆଧାରରେ ଥିବା ଠିକଣା ନବୀକରଣ ହୋଇପାରିବ । ସେପଟେ ଲୋକଙ୍କ ସୁବିଧା ପାଇଁ ନୂଆ ରାଜସ୍ବ ଆପର ମଧ୍ୟ ବ୍ୟବସ୍ଥା କରାଯାଉଛି । ଯେଉଁଥିରେ ବିଭାଗର ୧୮ଟି ସେବା ଘରେ ବସି ପାଇପାରିବେ । ଏହା ସହ ସରକାରଙ୍କ ଏହି ନୂଆ ବ୍ୟବସ୍ଥା ଖୁବଶୀଘ୍ର ଘୋଷଣା ହେବ । ତେଣୁ ସରକାର ଏହି ନିୟମ ଲାଗୁ କଲେ ସମସ୍ତେ ଉପକୃତ ହେବେ ବୋଲି କୁହାଯାଉଛି ।
