ଆଗାମୀ ସପ୍ତାହରେ ଓଡ଼ିଶାକୁ ଛୁଇଁପାରେ ବଡ ବାତ୍ୟା

ଅତି ଭୀଷଣ ବାତ୍ୟା ରୂପ ନେଇପାରେ । ପବନର ବେଗ ୧୫୦କିମି ଡେଇଁପାରେ ।  ମାଡ଼ ହେବ ସିଧା ଓଡ଼ିଶା ଉପକୂଳରେ  ପାରାଦୀପରୁ ବାଲେଶ୍ୱର ମଝିରେ ।  ଗ୍ଲୋବାଲ୍‌ ଫେରକାଷ୍ଟିଂ ମଡେଲ  (ଜିଏଫ୍‌ଏସ୍‌) ଏମିତି ପୂର୍ବାନୁମାନ  ଦେଇଛି । ବାତ୍ୟା ରୂପ ନେଲେ ଏହାର ନାମକରଣ ‘ଦାନା’ ରଖାଯିବ। ଆସନ୍ତା ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରସ୍ଥ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୩ ଓ ୨୪ ତାରିଖରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସଙ୍କ ପୂର୍ବାନୁମାନ କରିଛି । ଆସନ୍ତା ସପ୍ତାହ ଶେଷ ଆଡ଼କୁ ଉତ୍ତର ବଙ୍ଗୋପସାଗରରେ ବାତ୍ୟାର ଆଶଙ୍କା ରହିଛି । ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ପ୍ରତି ବିପଦ ସୃଷ୍ଟି କରିପାରେ । ସେହିପରି ୱିଣ୍ଡିର ଉଭୟ ECMWF ଓ GFS ମଡେଲ ଅନୁସାରେ ଆସନ୍ତା ୨୨ରୁ ୨୭ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ସାଇକ୍ଲୋନ ସମ୍ଭାବନା ରହିଛି ।ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନାନୁସାରେ, ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଚିତ୍ର ଆହୁରି ସ୍ପଷ୍ଟ ହେବ। ତେବେ ବାତ୍ୟା ନେଇ କୌଣସି ସୂଚନା ନାହିଁ।