ରାଜ୍ୟରେ ଆସ୍ତେ ଆସ୍ତେ ସୁଧୁରୁଛି ଡାଇରିଆ ସ୍ଥିତି । ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ରୋଗୀ ।
ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ହ୍ରାସ ପାଇଛି ହଇଜା ସଂକ୍ରମଣ । ବିଭିନ୍ନ ବିଭାଗ ମାନଙ୍କର କ୍ଷେତ୍ର ସ୍ତରରେ ସମନ୍ୱିତ ଏବଂ ଏକାଭିମୁଖୀ କାର୍ଯ୍ୟକ୍ରମ ଯୋଗୁ ରାଜ୍ୟରେ ଡାଇରିଆ ସ୍ଥିତିରେ ସୁଧାର ଆସିଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ଵତୀ ଏସ୍ ଙ୍କ ସମୀକ୍ଷାରୁ ଏହା ଜଣାପଡ଼ିଛି ।ଯାଜପୁର ଜିଲ୍ଲାରେ ଚଳିତ ମାସ ୧୦ ତାରିଖ ଦିନ ଦେଖା ଦେଇଥିବା ଡାଇରିଆ ସ୍ଥିତିରେ ସକାରାତ୍ମକ ପରିବର୍ତ୍ତନ ଆସିଛି । ଗତ ୭ ଦିନ ମଧ୍ୟରେ ବିଭିନ୍ନ ଡାକ୍ତରଖାନାମାନଙ୍କରେ ସଂକ୍ରମିତ ଡାଇରିଆ ରୋଗୀଙ୍କ ଆଡ଼ମିଶନରେ କ୍ରମାଗତ ହ୍ରାସ ପରିଲକ୍ଷିତ ହୋଇଛି । ଜୁନ୍ ୧୦ ତାରିଖ ଦିନ ୧୨୬ ଜଣ ଆକ୍ରାନ୍ତ ହୋଇଥିଲେ । ଜୁନ୍ ୧୧ ତାରିଖ ଦିନ ଦାନଗଦି, କୋରେଇ, ଧର୍ମଶାଳା ଓ ବ୍ୟାସ ନଗର ପୌରାଞ୍ଚଳ ଆଦି ଅଞ୍ଚଳରୁ ୧୫୦ ଜଣ ଆକ୍ରାନ୍ତ ବିଭିନ୍ନ ଡାକ୍ତରଖାନାରେ ଆଡ଼ମିଶନ ହୋଇଥିଲେ ।ସେହିପରି, କେନ୍ଦୁଝର ଜିଲ୍ଲାରେ ମଧ୍ୟ ଅନୁରୂପ ଡାଇରିଆ ସଂକ୍ରମଣ ହ୍ରାସ ପରିଲକ୍ଷିତ ହୋଇଛି । ଜୁନ୍ ୧୦ ତାରିଖରେ ୭୯ ଜଣ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଆଡ଼ମିଶନ ହୋଇଥିଲେ ଯାହାକି ଜୁନ୍ ୧୨ ରେ ୪୪, ଏବଂ ୧୮ ବେଳକୁ ୩୮କୁ ହ୍ରାସ ପାଇଥିଲା । ୧୯ ତାରିଖ ରାତି ସୁଦ୍ଧା ୧୭ ଜଣ ନୂଆ ସଂକ୍ରମିତ ଆଡ଼ମିଶନ ହୋଇଥିଲେ ।
ଗୁରୁବାର ରାତି ସୁଦ୍ଧା କେନ୍ଦୁଝର ଜିଲ୍ଲାରୁ ସମୁଦାୟ (୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ) ୪୯୭ ଜଣ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଆଡ଼ମିଶନ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୪୫୪ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ, ଏବଂ ୩୪ ଜଣ ସଂକ୍ରମିତ ଚିକିତ୍ସାଧୀନ ଥିଲେ ।ବର୍ତ୍ତମାନ ସାରା ରାଜ୍ୟରେ ଡାଇରିଆ ନିରାକରଣ ଅଭିଯାନ ଚାଲୁ ରହିଛି । ଯାଜପୁର, କେନ୍ଦୁଝର, ଭଦ୍ରକ, କଟକ ଓ ଢେ଼ଙ୍କାନାଳ ଆଦି ଜିଲ୍ଲାରେ ଏହାକୁ ଅଧିକ ବ୍ୟାପକ କରାଯାଇଛି । ସବୁ ହସ୍ପିଟାଲ, ସ୍ବାସ୍ଥ୍ୟ ଉପକେନ୍ଦ୍ର, ଆଶାକର୍ମୀ, ଅଙ୍ଗନବାଡ଼ି କେନ୍ଦ୍ର ଆଦିକୁ ପର୍ଯ୍ୟାପ୍ତ ପରିମାଣର ଓଆରଏସ, ହାଲୋଜେନ ବଟିକା, ସାଲାଇନ, ଇଞ୍ଜେକସନ ଏବଂ ଆବଶ୍ୟକୀୟ ଔଷଧ ଇତ୍ୟାଦି ଯୋଗାଇ ଦିଆଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ବିଶେଷଜ୍ଞ ଟିମ୍ ମାନେ ପ୍ରଭାବିତ ଅଞ୍ଚଳ ଗସ୍ତ କରି କ୍ଷେତ୍ରସ୍ତରୀୟ ନିରାକରଣ ଏବଂ ପ୍ରତିଷେଧକ କାର୍ଯ୍ୟର ତଦାରଖ ପୂର୍ବକ ଆବଶ୍ୟକୀୟ ପରାମର୍ଶ ଦେଉଛନ୍ତି ।
