କେମିତି ଅଛି ଉତ୍ତମଙ୍କ ସ୍ବାସ୍ଥ୍ୟାବସ୍ଥା

ସ୍ଥିର ରହିଛି ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା। ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚାଲିଛି ଚିକିତ୍ସା। ଲିଭର ସିରୋସିସ୍ ରେ ପୀଡ଼ିତ ଅଛନ୍ତି ପୁରୁଣା ଦିନର ଓଡ଼ିଉଡ୍ ସୁପରଷ୍ଟାର ଉତ୍ତମ ମହାନ୍ତି। ଆଶା କରାଯାଉଛି ସେ ଖୁବଶୀଘ୍ର ଭଲ ହୋଇ ଘରକୁ ଫେରିବେ। ଆଉ ଅଧା ରହିଯାଇଥିବା ଫୁଲ୍ମ ସୁଟିଂକୁ ପୁରା କରିବେ।କିନ୍ତୁ ଏଥର ଦୀର୍ଘ ବର୍ଷ ପରେ ସେ ଏକ ଫିଲ୍ମ ସୁଟିଂ କରୁଥିଲେ। ଯେଉଁଥିରେ ସହ କଳାକାର ଥିଲେ ସ୍ତ୍ରୀ ଅପରାଜିତା ମହାନ୍ତି ଓ ପୁଅ ବାବୁଶାନ ମହାନ୍ତି। ସୁଟିଂ ସେଟରେ ହଠାତ୍ ତାଙ୍କ ଦେହ ଖରାପ ହୋଇଯାଇଥିଲା।

ପରେ ୫ ଦିନ ତଳେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରିବାର ଲୋକ ଉତ୍ତମ ଚିକିତ୍ସା ପାଇଁ ଉତ୍ତମଙ୍କୁ ଦିଲ୍ଲୀ ନେଇଯାଇଛନ୍ତି। ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।। ଓଲିଉଡ୍ ଓ ଶୁଭେଛୁମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଦର୍ଶକଙ୍କୁ ଅନେକ ସୁପରହିଟ୍ ସିନେମା ଭେଟି ଦେଇଛନ୍ତି ଉତ୍ତମ ମହାନ୍ତି। ବଳିଷ୍ଠ ଅଭିନୟ ପାଇଁ ସେ ବହୁ ପୁରସ୍କାର ଲାଭ କରିଛନ୍ତି । ତିନି ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ପତିଆରା ଜାହିର କରିଥିବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅଶୀ ଦଶକରେ ଥିଲେ ଏକ ଅପ୍ରତିଦ୍ୱନ୍ଦ୍ୱୀ ଚେହେରା। ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମିତ ଉତ୍ତମ ଏଯାବତ୍ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି । ୧୯୭୭ ମସିହାରେ ସେ ଅଭିମାନ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ।

You might also like