ମେ ୨୮ରେ ଆସିବ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ରାୟ ।
ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲାରେ ସରିଲା ଉଭୟ ପକ୍ଷ ଓକିଲଙ୍କ ଆର୍ଗୁମେଣ୍ଟ । ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମଧ୍ୟ ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର ହୋଇଥିଲା । ଖୁବ୍ଶୀଘ୍ର ଏହି ମାମଲାର ଫଇସଲା ଆସିବ । ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଓକିଲଙ୍କ କହିବା ଅନୁସାରେ ବୁଧବାର ଉଭୟ ପକ୍ଷର ଆର୍ଗୁମେଣ୍ଟ ସରିଯାଇଛି । ଖୁବ୍ଶୀଘ୍ର କୋର୍ଟ ନିଜର ଫଇସଲା ଶୁଣାଇବେ ।ଅନ୍ୟ ପକ୍ଷରେ ପୀଡିତା ପରିବାରଙ୍କ ଓକିଲ ଚିତ୍ତରଞ୍ଜନ କାନୁନଗୋଙ୍କ କହିବା ଅନୁସାରେ ଠିକ୍ ଭାବେ ତଦନ୍ତ ହୋଇଛି, ଯାହା ଆମେ ଉପସ୍ଥାପନ କରିଛୁ ନ୍ୟାୟ ପାଇବା ନିଶ୍ଚିତ । ସେପଟେ ମୃତ ସୌମ୍ୟଶେଖରଙ୍କ ବାପା କହିଛନ୍ତି ଯେ, କ୍ରାଇମବ୍ରାଞ୍ଚ ଠିକ୍ରେ ତଦନ୍ତ କରିଛି । ଆଗକୁ ଆମେ ନ୍ୟାୟ ପାଇବୁ ।ସୂଚନାଯୋଗ୍ୟ ଯେ, ୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା I ବିସ୍ଫୋରଣରେ ନବ ବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା I ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ଅଧ୍ୟାପକ ପୁଞ୍ଜିଲାଲ ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପାର୍ସଲ ବୋମା ପଠାଇଥିଲେ I ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖର ସାହୁଙ୍କ ବାହାଘର ୨୦୧୮ ମସିହା ଫେବ୍ରୁଆରୀ ୧୭ ତାରିଖରେ ହୋଇଥିଲା I ପୁଞ୍ଜି ବିବାହ ଉପହାର ଭାବେ ଏକ ଗିଫ୍ଟ ଦେଇଥିଲା । ୨୩ ତାରିଖ ଦିନ ପାର୍ସଲ ଗିଫ୍ଟ ଖୋଲିବା ବେଳେ ବିସ୍ଫୋରଣ ହୋଇଥିଲା I ଏଥିରେ ସୌମ୍ୟ ଶେଖର ଓ ତାଙ୍କ ଜେଜେମା’ଙ୍କର ମୃତ୍ୟୁ ଘଟିଥିଲା I ନବବିବାହିତା ପତ୍ନୀ ରିମା ସାହୁ ଗୁରୁତର ଭାବେ ଆହତ ହୋଇଥିଲେ I ଘଟଣାର ତଦନ୍ତ କରି କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୫ ତାରିଖରେ ଗିରଫ କରିଥିଲା I ସେବେଠାରୁ ପୁଞ୍ଜିଲାଲ ବଲାଙ୍ଗିର ଜିଲ୍ଲା କାରାଗାରରେ ବିଚାର ବିଭାଗୀୟ କଏଦୀ ଭାବେ ଅଛନ୍ତି ।
