PMJJBY ଏବଂ PMSBY ସ୍କିମରେ ୭ ବର୍ଷରେ ପ୍ରଥମ ଥର ବଢିଲା ପ୍ରିମିୟମ । ଜାଣନ୍ତୁ କେତେ ବଢ଼ିଲା |

ସରକାର ନିଜର ପ୍ରମୁଖ ବୀମା ଯୋଜନା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା(ପିଏମଜେଜେବିଓ୍ଵାଇ) ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା(ପିଏମଏସବିଓ୍ଵାଇ)ର ପ୍ରିମିୟମ ରାଶି ବଢାଇ ଦେଇଛନ୍ତି। ସରକାର ଏହି ନିଷ୍ପତ୍ତି ସାତ ବର୍ଷ ପରେ ପ୍ରଥମ ଥର ନେଇଛନ୍ତି।

କେତେ ବଢିଲା ଦାମ: ପିଏମଜେଜେବିଓ୍ଵାଇର ପ୍ରିମିୟମ ରାଶିକୁ ବଢାଯାଇ ପ୍ରତିଦିନ ୧.୨୫ ଟଙ୍କା କରାଯାଇଛି। ଏହି ପରି ବାର୍ଷିକ ପ୍ରିମିୟମକୁ ୩୩୦ ଟଙ୍କାରୁ ବୃଦ୍ଧି କରାଯାଇ ୪୩୬ ଟଙ୍କା କରାଯାଇଛି। ସେହିପରି ପିଏମଏସବିଓ୍ଵାଇ ପାଇଁ ବାର୍ଷିକ ପ୍ରିମିୟମ ୧୨ ଟଙ୍କାରୁ ବୃଦ୍ଧି କରାଯାଇ ୨୦ ଟଙ୍କା କରାଯାଇଛି। ନୂତନ ପ୍ରିମିୟମ ଦର ୨୦୨୨ ଜୁନ ୧ରୁ ଲାଗୁ ହେବ।

ଗତ ଆର୍ଥିକ ବର୍ଷର ଶେଷ ଆଡକୁ ଅର୍ଥାତ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ପିଏମଜେଜେବିଓ୍ଵାଇ ଏବଂ ପିଏମଏସବିଓ୍ଵାଇରେ ସକ୍ରିୟ ଉପଭୋକ୍ତାଙ୍କ ସଂଖ୍ୟା କ୍ରମଶଃ ୬.୪ କୋଟି ଏବଂ ୨୨ କୋଟି ରହିଥିଲା। ପିଏମଏସବିଓ୍ଵାଇର ଆରମ୍ଭଠୁ ନେଇ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ପ୍ରିମିୟମ ଭାବେ ୧୧୩୪ କୋଟି ଟଙ୍କା ରାଶି ଏକତ୍ରିତ କରାଯାଇଛି ଏବଂ ଦାବି ଉପରେ ୨୫୧୩ କୋଟି ଟଙ୍କା ପୈଠ କରାଯାଇଛି। ଏହି ପରି ପିଏମଜେଜେବିଓ୍ଵାଇ ଆଧାରରେ ପ୍ରିମିୟମ ଭାବେ ୯,୭୩୭ କୋଟି ଟଙ୍କା ଜମା ହୋଇଛି ଏବଂ ୧୪,୧୪୪ କୋଟି ଟଙ୍କା ପୈଠ କରାଯାଇଛି।

ସରକାରଙ୍କ ତରଫରୁ ଜାରି ବୟାନ ଅନୁଯାୟୀ, ଭାରତକୁ ସଂପୂର୍ଣ୍ଣ ବୀମାକୃତ ସମାଜ ଗଠନ କରିବା ପାଇଁ ପିଏମଜେଜେବିଓ୍ଵାଇ ଆଧାରରେ କଭରେଜକୁ ୬.୪ କୋଟିରୁ ବଢାଯାଇ ୧୫ କୋଟି ଟଙ୍କା ଏବଂ ପିଏମଏସବିଓ୍ଵାଇ ଅନ୍ତର୍ଗତ କଭରେଜକୁ ୨୨ କୋଟିରୁ ବଢାଯାଇ ୩୭ କୋଟି ଟଙ୍କା କରିବାକୁ ଲକ୍ଷ୍ୟ ରଖାଯାଇଛି।

ପିଏମଜେଜେବିଓ୍ଵାଇ ବ୍ୟାଙ୍କ କିମ୍ବା ଡାକଘର ଖାତାରେ ଜମା କରୁଥିବା ୧୮ ରୁ ୫୦ ବର୍ଷ ଆୟୁ ବର୍ଗ ପାଇଁ କୌଣସି କାରଣରୁ ମୃତ୍ୟୁ ଘଟିଲେ ଦୁଇ ଲକ୍ଷ ଟଙ୍କାର ଜୀବନ ବୀମା କଭର ଦିଆଯାଉଛି। ଦ୍ଵିତୀୟତଃ ପିଏମଏସବିଓ୍ଵାଇ ୧୮ ରୁ ୭୦ ବର୍ଷ ଆୟୁ ବର୍ଗର ଲୋକଙ୍କୁ ଦୁର୍ଘଟଣାରେ ମୃତ୍ୟୁ କିମ୍ବା ସ୍ଥାୟୀ ବିକଳାଙ୍ଗ ହେଲେ ଦୁଇ ଲକ୍ଷ ଟଙ୍କା ଏବଂ ଆଂଶିକ ଭାବେ ସ୍ଥାୟୀ ବିକଳାଙ୍ଗ ହେଲେ ଏକ ଲକ୍ଷ ଟଙ୍କାର ବୀମା କଭର ଦିଆଯାଉଛି।