ବିଜୁଳି ଗଲେ ଥାନା ଅନ୍ଧାର ।
ବିଜୁଳି କଟିଲେ ମୋବାଇଲ ଟର୍ଚ୍ଚରେ ଚାଲୁଛି ଥାନା । କିଟିମିଟ ଅନ୍ଧାରରେ ଚଳୁଛନ୍ତି ଥାନା କର୍ମଚାରୀ ଓ ଥାନାକୁ ଆସୁଥିବା ସାଧାରଣ ଜନତା । ଅନ୍ୟପଟେ ଅତିରିକ୍ତ ଏସପି କହୁଛନ୍ତି ଆମ ପାଖରେ ଏନେଇ କୌଣସି ଖବର ନାହିଁ । ପୁରୀ ଅସ୍ତରଙ୍ଗ ଥାନାରୁ ଆସିଛି ଏହି ଚିତ୍ର । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଥାନାର ଭୂମିକା ଗୁରୁତ୍ବପୂର୍ଣ୍ଣ । ଥାନା ଗୁଡିକରେ ଅନଲାଇନ ମାଧ୍ୟମରେ ଅଭିଯୋଗ ପଞ୍ଜୀକରଣ କରାଯିବା ସହିତ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଟେକ୍ନୋଲୋଜିକୁ ଆପଣାଇ କାର୍ଯ୍ୟ କରାଯାଉଛି । ଯେତେ ସବୁ ସୂଚନା ଆଦାନପ୍ରଦାନର ମାଧ୍ୟମ ସହିତ ଅନଲାଇନ ସେବା ଗୁଡିକ କାର୍ଯ୍ୟକାରୀ କରିବା ପଛରେ ଇଲେକ୍ଟ୍ରିକ୍ ବା ବିଦ୍ୟୁତର ଆବଶ୍ୟକତା ରହିଛି ।
ବିନା ବିଦ୍ୟୁତ ସରବରାହରେ ଥାନାରେ କାର୍ଯ୍ୟ କରିବା ଏକ ପ୍ରକାର ଅସମ୍ଭବ ।ଏଥିପାଇଁ ପ୍ରତ୍ୟେକ ଥାନାରେ ୨୪ ଘଣ୍ଟିଆ ବିଦ୍ୟୁତ ସରବରାହ ପାଇଁ ସବୁପ୍ରକାର ବ୍ୟବସ୍ଥା ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଛି । କିନ୍ତୁ ଅସ୍ତରଙ୍ଗ ଥାନାରେ ଦେଖିବାକୁ ମିଳିଛି ଓଲଟା ପରିସ୍ଥିତି ।ଏହି ଥାନା ଉପରେ ଅସ୍ତରଙ୍ଗର ୧୫ଟି ପଞ୍ଚାୟତର ଆଇନ ଶୃଙ୍ଖଳା ପରିସ୍ଥିତି ନିର୍ଭର କରୁଛି । ୨୦୨୪ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଥାନାର ନୂତନ ଗୃହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଥିଲେ । ହେଲେ ଉଦଘାଟନର ୨ମାସ ନପୂରୁଣୁ ଥାନାରେ ବିଜୁଳି ଅବ୍ୟବସ୍ଥା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ଏନେଇ ଅବଗତ ନଥିବା କହିଛନ୍ତି ପୁରୀ ଅତିରିକ୍ତ ଏସପି ।