ବିଜୁ ପଟ୍ଟନାୟକଙ୍କୁ କାହିଁକି ମିଳିଲାନି ‘ଭାରତ ରତ୍ନ’? 

ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ କାହିଁକି ମିଳୁନଥିଲା ‘ଭାରତ ରତ୍ନ’? ଏଥିପାଇଁ କିଏ ସାଜିଥିଲେ ପ୍ରତିବନ୍ଧକ? ଏହାର ଉତ୍ତର ବୋଧହୁଏ ବିଜେଡି ନେତାଙ୍କ ପାଖରେ ନଥିବ। କିନ୍ତୁ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଥିବା ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟ୍ଟଶାଣୀ ବିଜେଡିର ପୂର୍ବତନ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ନାଁରେ ବିସ୍ଫୋରକ ବୟାନ ଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦିଆ ନ ଯାଉ ବୋଲି ପାଣ୍ଡିଆନ ଚାହୁଁଥିବା ସେ କହିଛନ୍ତି।ଓଟିଭି ଖୋଲା କଥାକୁ ସାକ୍ଷାତକାର ଦେଇ ଶ୍ରୀ ପାଟ୍ଟଶାଣୀ କହିଛନ୍ତି, ଥରେ ଭି.କେ ପାଣ୍ଡିଆନ୍‌ ମୋତେ ଫୋନ୍‌ କରିଥିଲେ। ଆଉ ତାଗିଦ୍‌ କରି କହିଥିଲେ, ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ମିଳିଲାନି ବୋଲି କ’ଣ ପାଇଁ ପାର୍ଲାମେଣ୍ଟରେ କହୁଛ? ମୁଁ ଆଜି ଠାକୁରଙ୍କୁ ଅନାଇ କହୁଛି, ପାଣ୍ଡିଆନ୍‌ବାବୁ ଫୋନ୍‌ କରି ମୋତେ ଏମିତି କହିଥିଲେ। ଏଥିସହ ଗୀତା ମେହେଟ୍ଟାଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ସିଏ ବାରଣ କରିଥିଲେ। ଆରେ ଗୀତା ମେହେଟ୍ଟା ହେଉଛନ୍ତି ବିଶ୍ୱରେ ଜଣେ ପ୍ରସିଦ୍ଧ ଓଡ଼ିଆ ଝିଅ। ସେ ବହୁ ବହି ଲେଖିଛନ୍ତି। ପାଣ୍ଡିଆନ୍‌ ବାବୁଙ୍କଠାରୁ ଏକଥା ଶୁଣିବା ପରେ ମୁଁ କିଛି ବୁଝି ପାରିନଥିଲି ବୋଲି ଶ୍ରୀ ପାଟ୍ଟଶାଣୀ କହିଛନ୍ତି।ଉଲ୍ଲେଖ ଯୋଗ୍ୟ ଯେ , ୨୦୨୪ରେ ବହୁ ଆଶା କରିଥିଲେ ମଧ୍ୟ ବିଜେଡି ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଟିକେଟ୍‌ ଦେଇ ନ ଥିଲା । ଏଥିରେ ଅସନ୍ତୋଷ ପ୍ରକାଶ କରି ସେ ଭାଜପା ମୁହାଁ ହୋଇଥିଲେ ।ନିର୍ବାଚନ ପ୍ରଚାର ବେଳେ ଭାଜପା ଉତ୍ତରୀୟ ପିନ୍ଧିଥିଲେ। ପରେ ଦିଲ୍ଲୀ ଯାଇ ଭାଜପାରେ ମିଶିଥିଲେ।