ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶାକୁ ପୁରସ୍କୃତ କଲେ ରାଷ୍ଟ୍ରପତି

ଶ୍ରେଷ୍ଠ ରାଜ୍ୟ ବର୍ଗରେ ଓଡ଼ିଶାକୁ ପ୍ରଥମ ଓ ଉତ୍ତରପ୍ରଦେଶକୁ ଦ୍ବିତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଗୁଜରାଟ ଓ ପୁଡୁଚେରୀ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ଏକ ପ୍ରଶଂସାପତ୍ର ଓ ଟ୍ରଫି ସହ ନିର୍ଦ୍ଦିଷ୍ଟ ବର୍ଗରେ ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା। ଉନ୍ନୟନ କମିସନର୍‌ ତଥା ଜଳ ସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ରା‌ଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ସେହିଭଳି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପୂର୍ବାଞ୍ଚଳରେ ବଲାଙ୍ଗୀରକୁ ଶ୍ରେଷ୍ଠ ଜିଲ୍ଲା ରୂପେ ପୁରସ୍କୃତ କରିଛନ୍ତି। ପୁରସ୍କାର ଗ୍ରହଣ କରିଥିଲେ ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଓ ସିଡିଓ ପ୍ରଭାତ କୁମାର ମହାପାତ୍ର। ଶ୍ରେଷ୍ଠ ସହରାଞ୍ଚଳ ଭାବେ ଦ୍ବିତୀୟ ସ୍ଥାନ ହାସଲ କରିଥିବା ପୁରୀକୁ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ସିଆର୍‌ ପାଟିଲ ପୁରସ୍କୃତ କରିଥିଲେ। ପୁରସ୍କାର ପୁରୀ ପୌରସଂସ୍ଥାର ବରିଷ୍ଠ ଅଧିକାରୀ ଦେବାଶିଷ ନାୟକ ଗ୍ରହଣ କରିଥିଲେ। ଶ୍ରେଷ୍ଠ ବିଦ୍ୟାଳୟ ବର୍ଗରେ ତୃତୀୟ ସ୍ଥାନ ହାସଲ କରିଥିବା ମୟୂରଭଞ୍ଜର ଖଇରାବାଣି ଆଶ୍ରମ ସ୍କୁଲକୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ପାଟିଲ ମଧ୍ୟ ସମ୍ମାନିତ କରିଥିଲେ।