ମଣିପୁରରେ ମୁଖ୍ୟମନ୍ତ୍ରୀ ପଦରୁ ବୀରେନ ସିଂହ ଇସ୍ତଫା ଦେବା ପରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ।
ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ । ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍. ବିରେନ୍ ସିଂଙ୍କ ଇସ୍ତଫା ପରେ ନିଆଯାଇଛି ଏହି ବଡ଼ ନିଷ୍ପତ୍ତି ।୨୦୨୩ ମେ ୩ରୁ ମଣିପୁରରେ ଆରମ୍ଭ ହୋଇଥିଲା ଜାତିଗତ ହିଂସା । କୁକି ଏବଂ ମୈତେଇ ମଧ୍ୟରେ ଦେଢ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ହିଂସାରେ ୨୩୭ ଜଣଙ୍କ ମୃତ୍ୟୁ ହୋଇଛି । ୧୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅନ୍ୟପଟେ ୬୦ ହଜାରରୁ ଅଧିକ ଲୋକ ନିଜ ଘର ଛାଡ଼ି ସୁରକ୍ଷା ଶିବିରରେ ରହିବାକୁ ବାଧ୍ୟ ହେଉଛନ୍ତି । ମଣିପୁରରେ ଗତ ଦେଢ ବର୍ଷରେ ୧୧ ହଜାର ଏଫ୍ଆଇଆର୍ ଏବଂ ୫୦୦ରୁ ଅଧିକ ଗିରଫଦାରୀ ହୋଇଛି । ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲା ଏବଂ ଅର୍ଦ୍ଧସାମରିକ ବାହିନୀର ଅଧିକାରୀମାନେ ଆଜି ରାଜଭବନରେ ଏକ ବୈଠକ କରିଥିଲେ ।
ଏହି ସମୟରେ ଅଧିକାରୀମାନେ ତାଙ୍କୁ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ମୁତୟନ ଏବଂ ଅପରେସନ୍ କାର୍ୟ୍ୟକଳାପ ବିଷୟରେ ସୂଚନା ପ୍ରଦାନ କରିଥିଲେ ।ତେବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିବା ପାଇଁ ବିଜେପି ପକ୍ଷରୁ ବୈଠକ ଡକାଯାଇଥିଲା। ଯେଉଁଥିରେ ମଣିପୁର ପ୍ରଭାରୀ ସମ୍ବିତ ପାତ୍ରଙ୍କ ସମେତ ବରିଷ୍ଠ ବିଜେପି ନେତାମାନେ ଉପସ୍ଥିତ ଥିଲେ।
