ବାହୁଡ଼ା, ସୁନାବେଶରେ ଭିଡ଼ ନିୟନ୍ତ୍ରଣ ପାଇଁ ଭକ୍ତଙ୍କ ମୋବାଇଲ୍ରେ ମିଳିବ ଟ୍ରାଫିକ ତଥ୍ୟ
ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ପୁରୀ ପୁଲିସ ପ୍ରଶାସନ ପକ୍ଷରୁ ସହରରେ ଟ୍ରାଫିକ କଟକଣା ଜାରି କରାଯାଇଛି।
ଚଳିତ ରଥଯାତ୍ରାରେ ଦଳଚକଟା ଟ୍ରାଜେଡି ପାଇଁ ରାଜ୍ୟ ପୁଲିସ ଢ଼େର୍ ବଦନାମ ମୁଣ୍ଡାଇଥିଲା । ବାହୁଡ଼ା ଓ ସୁନାବେଶରେ ଟ୍ରାଫିକ୍ ସୁପରିଚାଳନା ପାଇଁ ପୁଲିସ ସବୁ ଜୋର୍ ଲଗାଇଛି । ବଲ୍କ ମେସେଜ୍ ଭଳି ଅଭିନବ ଉପାୟରେ ଟ୍ରାଫିକ୍ ଭିଡ଼ ପରିଚାଳନା ପାଇଁ ଯୋଜନା କରିଛି । ପୁଲିସ ପକ୍ଷରୁ ପୁରୀ ସମେତ ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ, ଜଗତସିଂହପୁର, ଯାଜପୁର ଓ ଢ଼େଙ୍କାନାଳ ଭଳି ୮ଟି ନିକଟତମ ଜିଲ୍ଲାକୁ ବଛାଯାଇଛି । ଏସବୁ ଜିଲ୍ଲାବାସୀଙ୍କୁ ନିରନ୍ତର ବଲ୍କ ମେସେଜ ପଠାଯିବ । ତେବେ ଚାରି ଚକିଆ ଯାନ ପାଇଁ କଟକଣା ଜାରୀ ହୋଇଛି। ଭୁବନେଶ୍ୱର ଓ େକାଣାର୍କ ପଟୁ ଆସୁଥିବା ସମସ୍ତ ମୋଟର ଯାନ ଗୁଡିକ ମାଳତିପାଟପୁର ବ୍ରିଜ, ବାଇଦାସ ନଗର ଛକ, ଗ୍ରୀଡ ଷ୍ଟେସନ ଛକ ଦେଇ ତାଳବଣିଆ ପଯ୍ୟନ୍ତ ଯିବ। ତାଳବଣିଆ ପଟେ ବିଧାନସଭା ଅତିଥି ଭବନ, ଶିଳ୍ପ ତାଲିମ କେନ୍ଦ୍ର, ହେଲିପ୍ୟାଡ, ଇନଡୋର ଷ୍ଟାଡିୟମ, ଉଦ୍ୟାନ କୃଷି ପଡ଼ିଆ ଓ ସ୍ୱଛ ମାଛ ବଜାର ଠାରେ କ୍ରମାନ୍ୱୟରେ ଗାଡି ପାର୍କିଂ କରାଯିବ। ସେଠାରୁ ପିକେଆରଆଇଟି ଛକ, କେନ୍ଦ୍ରୀୟ ବିଦ୍ୟାଳୟ, ଭୁଦାନ ଛକ, ଗ୍ରୀଡ ଷ୍ଟେସନ ଛକ, ବାଲିଘାଟ ଛକ, ସମଗରା ଗ୍ରାମ ଦେଇ ବାଟଗାଁ ଛକ ଠାରୁ ଭୁବନେଶ୍ୱର ଆଡକୁ ପ୍ରସ୍ଥାନ କରିବେ। ଆଜି ସନ୍ଧ୍ୟା ଦର୍ଶନ ପାଇଁ ପରୀକ୍ଷାମୂଳକ ଭାବେ ଉପରୋକ୍ତ ଜିଲ୍ଲାବାସୀଙ୍କୁ ବଲ୍କ ମେସେଜ୍ ପଠାଯିବ । ପ୍ରତି ଘଣ୍ଟାଏ କିମ୍ବା ୨ ଘଣ୍ଟା ବ୍ୟବଧାନରେ ମୋବାଇଲକୁ ମେସେଜ୍ ଆସିବ । ୧୬୦ରୁ ୨୦୦ ଶଦ୍ଦ ଭିତରେ ଟ୍ରାଫିକ୍ ଭିଡ଼ ସମ୍ପର୍କିତ ତଥ୍ୟ ଉଲ୍ଲେଖ ରହିବ । ବାହୁଡ଼ା ଓ ସୁନାବେଶ ବେଳେ ପୁରୀ ଓ ଆଖପାଖ ରାସ୍ତାରେ ଭକ୍ତଙ୍କ ଭିଡ଼ ଅସମ୍ଭାଳ ହେଲେ, ଭୁବନେଶ୍ୱରଠାରୁ ଗାଡି଼କୁ ଅଟକାଯିବାକୁ ଯୋଜନା କରାଯାଇଛି ।
