ମହାପ୍ରଭୁଙ୍କ ଆନନ୍ଦ ବଜାରରେ ମହାପ୍ରସାଦ ଦାମ ଅଧିକ

କାର୍ତ୍ତିକ ମାସରେ ମହାପ୍ରସାଦର ଆବଶ୍ୟକତା ବଢିବ। ହେଲେ ଶ୍ରୀମନ୍ଦିରରେ ଜଗା ଦର୍ଶନ ସାରି ଆନନ୍ଦ ବଜାରକୁ ମହାପ୍ରସାଦ ଟିକେ ପାଇବାକୁ ଆସିଲା ବେଳକୁ ଚଢ଼ା ଦର ଶୁଣି ଭକ୍ତ ଛାନିଆ। ଯେଉଁଠି ୧୦୦ ଟଙ୍କା ଦେଲେ ଅନ୍ନ, ଡାଲି ଓ ବେସର ଟିକେ ମିଳୁଥିଲା, ଏବେ ତାହା ୨୦୦ ଟଙ୍କା ଉପରେ। ଶୁଖିଲା ଭୋଗ ଭାବେ ପିଠା, ଖଜା ରେଟ ତିନି ଗୁଣା ଉଚ୍ଚା। ଆଗରୁ ୫ ଟଙ୍କାରେ ମିଳୁଥିବା ଖଜା ଏବେ ୧୫ ଟଙ୍କା, ୧୫ ଟଙ୍କିଆ ପିଠା ୩୦ ଟଙ୍କା, ଆଉ ୩୦ ଟଙ୍କିଆ ଅମାଲୁ ୫୦ଟଙ୍କାରେ ବିକ୍ରି ହେଉଛି। ଧର୍ମ ମାସ କାର୍ତ୍ତିକ ମାସ ଆରମ୍ଭ ନ ହେଉଣୁ ଆନନ୍ଦ ବଜାରରେ ଏଭଳି ଆକାଶ ଛୁଆଁ ଦର ବୃଦ୍ଧିକୁ ନେଇ ସାଧାରଣ ଭକ୍ତ ନିରାଶ ହୋଇଥିବା ବେଳେ ବରିଷ୍ଠ ସେବାୟତ ମଧ୍ୟ ଏହାକୁ ନାପସନ୍ଦ କରିଛନ୍ତି।ସେପଟେ ଶ୍ରୀମନ୍ଦିର ଉପ-ମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ଅବଢ଼ା ଦର ବୃଦ୍ଧି ନିରାକରଣ ପ୍ରସଙ୍ଗରେ ସ୍ପଷ୍ଟ ଉତ୍ତର ରଖିନଥିବା ବେଳେ ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ସହ ରେଟ୍‌ଚାଟ୍‌ ଲଗାଇବାକୁ ଉଦ୍ୟମ ଚାଲିଥିବା କହିଛନ୍ତି।