ଆଜି ଓ ଆସନ୍ତାକାଲି ଉପକୂଳ ଓ ଦକ୍ଷିଣ ଓଡିଶାର ଅଧିକାଂଶ ଜିଲ୍ଲାରେ ବର୍ଷାର ସମ୍ଭାବନା

ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ଧୀରେ ଧୀରେ ଉପକୂଳ ମୁହାଁ ହେଉଛି। ଘଣ୍ଟା ପ୍ରତି ୧୦ କିମି ‌ବେଗରେ ଆଗକୁ ବଢ଼ିବା ସହ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଏହା ନାଗାପ୍ପଟ୍ଟିନମ୍‌ଠାରୁ ୩୪୦ କିମି, ପୁଡ଼ୁଚେରୀଠାରୁ ୪୧୦ କିମି ଓ ଚେନ୍ନାଇଠାରୁ ୪୭୦ କିମି ଦୂରରେ ରହିଛି। ଆସନ୍ତାକାଲି ସୁଦ୍ଧା ତାମିଲନାଡୁ ଓ ପଣ୍ଡିଚେରୀ ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିମି ଯାଏ ରହିବ । ଝଟକା ପବନର ବେଗ ଘଣ୍ଟାପ୍ରତି ୬୬ କିମି ଯାଏ ରହିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ବାତ୍ୟାର ପ୍ରଭାବ ସିଧାସଳଖ ଭାବେ ଓଡ଼ିଶାରେ ନଥିବା ବେଳେ ବାୟୁର ଦିଗ ପରିବର୍ତ୍ତନକୁ ନେଇ ସମୁଦ୍ର ମଧ୍ୟରୁ ସ୍ଥଳଭାଗକୁ ଆର୍ଦ୍ର ବାୟୁ ପ୍ରବେଶ କରୁଛି । ଫଳରେ ଆର୍ଦ୍ରତାର ମାତ୍ରା ଅଧିକା ରହୁଛି । ୨୯ ତାରିଖରେ ଉପକୂଳ ଓଡ଼ିଶା ସମେତ ମାଲକାନଗିରି, ରାୟଗଡ଼ା, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, କୋରାପୁଟ ଜିଲ୍ଲା ଏବଂ ୩୦ ତାରିଖରେ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୩ ଦିନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ବୃଦ୍ଧି ପାଇବ। ପରବର୍ତ୍ତୀ ଦୁଇ ଦିନ ବଡ଼ ପରିବର୍ତ୍ତନ ହେବ ନାହିଁ।

You might also like