ରାସନକାର୍ଡ ଇ-କେୱାଇସି ସମସ୍ୟାରେ ହିତାଧିକାରୀ

ବହୁ ଅଯୋଗ୍ୟ ରାସନ୍‌କାର୍ଡ ହାତେଇଥିବା, ଜାଲ୍ ରାସନ୍‌କାର୍ଡ ହିତାଧିକାରୀ ଓ ମୃତକଙ୍କ ନାଁରେ ଏବେବି ରାସନ୍ ଉଠାଯାଉଥିବା ସନ୍ଦେହରେ ନୂଆ ସରକାର ଗତବର୍ଷ ଅଗଷ୍ଟ ୨୨ ତାରିଖ ଠାରୁ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସରକାର ପୂର୍ବରୁ ସୂଚନା ଦେଇଛନ୍ତି ଇ-କେୱାଇସି ପ୍ରକ୍ରିୟା ସରିବା ପରେ ନୂଆ ରାସନ୍‌କାର୍ଡ ବାଣ୍ଟିବେ। ଅଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେ ଏବଂ ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ସ୍ପଷ୍ଟ ହୋଇଯିବ। ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ସୂଚନା ଅନୁସାରେ ରାଜ୍ୟରେ ଏପର୍ଯ୍ୟନ୍ତ ୪୧ ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ତେବେ ଏହି ହିତାଧିକାରୀମାନଙ୍କୁ ମଧ୍ୟରୁ ଅଧିକାଂଶ ନିଜ ସ୍ଥାନରେ ନଥିବା ଜଣାଯାଇଛି। ଅଭିଯୋଗ ହେଉଛି ଯେ, ଇ-କେୱାଇସିରେ ବ୍ୟାପକ ଅବ୍ୟବସ୍ଥା ଓ ତ୍ରୁଟି ଦେଖାଯାଉଛି।

ଏହି କାମ ଯେପରିକି ସହଜରେ ହୋଇପାରିବ, ସେଥି ପାଇଁ ରାଜ୍ୟ ସରକାର ସୁବ୍ୟବସ୍ଥା କରିପାରି ନାହାଁନ୍ତି। କୋରାପୁଟ, ମାଲକାନଗିରି, ମୟୂରଭଂଜ, ସୁନ୍ଦରଗଡ଼ ଜିଲ୍ଲାର ଉପାନ୍ତ ଅଞ୍ଚଳର ଲୋକଟି ଭୁବନେଶ୍ବର, କଟକ କିମ୍ବା ଅନ୍ୟ କେଉଁ ସହରରେ ଜୀବିକା ପାଇଁ ରହୁଥିଲେ ସେ କେମିତି ଇ-କେୱାଇସି କରିବ? ଏଥି ପ୍ରତି ସରକାର ଚିନ୍ତିତ ନାହାନ୍ତି। ସେହିପରି ତାମିଲନାଡୁ, ଗୁଜରାଟ, ଦିଲ୍ଲୀରେ ରହୁଥିବା ଗରିବ ଓଡ଼ିଆ କିପରି ଇ-କେୱାଇସି କରିପାରିବେ ତା’ର କିଛି ସହଜ ମାଧ୍ୟମ ନାହିଁ। ରାଜ୍ୟ ସରକାର ପୂର୍ବରୁ କହିଛନ୍ତି, ଜଣେ ହିତାଧିକାରୀ ଯେକୌଣସି ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରକୁ ଯାଇ ଇ-କେୱାଇସି କରିପାରିବେ। କିନ୍ତୁ ସରକାର କହୁଥିବା କଥା ଓ ତୃଣମୂଳସ୍ତରରେ ହେଉଥିବା କାମ ମଧ୍ୟରେ ଆକାଶ-ପାତାଳ ପାର୍ଥକ୍ୟ। ଇ-କେୱାଇସି ପାଇଁ ସହରାଞ୍ଚଳରେ ହିତାଧିକାରୀଙ୍କୁ ବହୁ ହଟହଟ୍ଟା ହେବାକୁ ପଡୁଛି।

You might also like