ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ଆସନ୍ତା ୨୯ ତାରିଖରୁ ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାମ ଆରମ୍ଭ କରିବ ଏଏସ୍‌ଆଇ । ପ୍ରତିଦିନ ସକାଳ ୮ରୁ ରାତି ୧୦ ଯାଏଁ କାମ କରି ବାକି କାର୍ଯ୍ୟକୁ ଆସନ୍ତା ମାସ ୬ ତାରିଖ ସୁଦ୍ଧା ଶେଷ କରାଯିବ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏଏସଆଇ ଅଧିକାରୀ ଓ ଭଣ୍ଡାର ମରାମତିକୁ ନେଇ ସମ୍ପୃକ୍ତ ସେବାୟତଙ୍କ ସହ ଆଲୋଚନା କରାଯାଇଛି। ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ରତ୍ନଭଣ୍ଡାରର ବାକି ଥିବା ମରାମତି କାର୍ଯ୍ୟ କରାଯିବା ନେଇ ପୂର୍ବରୁ ନିଷ୍ପତି ହୋଇଥିଲା। ନୀଳାଦ୍ରି ବିଜେ ପୂର୍ବରୁ ମରାମତି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।ଏହି ସମୟରେ ବଡ଼ଦେଉଳ, ଗର୍ଭଗୃହ, ନାଟମଣ୍ଡପ, ଜଗମୋହନ, ଭୋଗମଣ୍ଡପର ମଧ୍ୟ ବୈଷୟିକ ଯାଞ୍ଚ ହେବ । ଏଏସ୍‌ଆଇର ଅଧିକାରୀ, କୋର କମିଟି ସଦସ୍ୟଙ୍କ ସମେତ ବିଭିନ୍ନ ସଂସ୍ଥାର ବୈଷୟିକ ଦଳ ଏହି ଯାଞ୍ଚରେ ସାମିଲ ହେବେ । ମରାମତି ମଧ୍ୟ ଏହି ସମୟରେ ସରିବ । ବୁଧବାର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରେ ବସିଥିବା ଜରୁରି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ସେହିପରି ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ ଯାଞ୍ଚ ସହ ଆବଶ୍ୟକ ମରାମତି ପ୍ରତିବର୍ଷ ଭଳି ହେବ । ଏଥିପାଇଁ ୨୮ ତାରିଖରେ ଭାରା ବନ୍ଧା ଯିବ । ୨୯ରେ ବୈଷୟିକ ଟିମ୍‌ ଓ ଦିଲ୍ଲୀରୁ ଆସିବାକୁ ଥିବା ଏଏସ୍‌ଆଇର ନିର୍ଦ୍ଦେଶକଙ୍କ ସମେତ ଅନ୍ୟ ସଂସ୍ଥାର ବିଶେଷଜ୍ଞମାନେ ମିଳିତ ଭାବେ ଭାରା ଉପରେ ଚଢ଼ି ଏହି ସ୍ଥାନଗୁଡ଼ିକ ତଦାରଖ କରିବେ ।

You might also like