ଓଡ଼ିଶାରେ ନକ୍ସଲ ମୁକାବିଲା କରିବେ ରିଟାର୍ଡ ସେନା ଓ କେନ୍ଦ୍ରୀୟ ପୁଲିସ ଫୋର୍ସ ଯବାନ

ରାଜ୍ୟରେ ନକ୍ସଲ ମୁକାବିଲା ପାଇଁ ଅବସରପ୍ରାପ୍ତ ସେନା ଓ କେନ୍ଦ୍ରୀୟ ପୁଲିସ ଫୋର୍ସର ଯବାନମାନଙ୍କୁ ନିୟୋଜିତ କରାଯିବ । ଏଥିପାଇଁ ରାଜ୍ୟ ସରକାର ୩୦୦୯ଜଣ ସେନା ଯବାନ ଓ ଅଫିସରଙ୍କୁ ନେଇ ୩ଟି ସ୍ୱତନ୍ତ୍ର ବାଟାଲିୟନ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।ପ୍ରତ୍ୟେକ ବାଟାଲିୟନରେ ୬ଟି କମ୍ପାନୀ ଓ ଗୋଟିଏ ହେଡକ୍ୱାର୍ଟର କମ୍ପାନୀ ରହିବେ । ପ୍ରତ୍ୟେକ ବାଟାଲିୟନରେ ଜଣେ କମାଣ୍ଡାଣ୍ଟ, ୩ଜଣ ଡେପୁଟି କମାଣ୍ଡାଣ୍ଟ, ୭ଜଣ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୫୧ଜଣ ଜୁନିୟର କମିଶନଡ ଅଫିସର(ଜେସିଓ) ଓ ୬୭୫ଜଣ ସିପାହୀ ରହିବେ । ଏମାନଙ୍କ ବ୍ୟତୀତ ୨୫୯ଜଣ ଡ୍ରାଇଭର ଓ ଟ୍ରେଡସମ୍ୟାନ୍ ଏବଂ ୭ଜଣ ମିନିଷ୍ଟ୍ରିଆଲ ପଦବୀରେ ରହିବେ । ସେନା ଓ କେନ୍ଦ୍ରୀୟ ପୁଲିସ ଫୋର୍ସର ଅବସରପ୍ରାପ୍ତ ଯବାନ ଓ ଅଫିସରଙ୍କୁ ଏହିସବୁ ପଦବୀରେ ନିଯୁକ୍ତି ମିଳିବ ।

ଚାକିରିରେ ଯୋଗଦେବାବେଳେ ଅଫିସରଙ୍କ ବୟସସୀମା ୫୫ବର୍ଷ, ହାବିଲଦାରଙ୍କ ବୟସ ୫୦ବର୍ଷ ଓ ସିପାହୀଙ୍କ ବୟସ ୪୫ବର୍ଷରୁ ଅଧିକ ହୋଇନଥିବା ଜରୁରୀ ।ରାଜ୍ୟପାଳଙ୍କ ଅନୁମୋଦନ ପରେ ଗୃହ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟର ନକ୍ସଲ ପ୍ରଭାବିତ ଅଂଚଳରୁ କେନ୍ଦ୍ର ସରକାର କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀକୁ ପ୍ରତ୍ୟାହାର କରିବା ପରେ ନକ୍ସଲ ମୁକାବିଲା ଜାରି ରଖିବାକୁ ଭାରତୀୟ ସେନା ଓ କେନ୍ଦ୍ରୀୟ ପୁଲିସ ଫୋର୍ସର ଅବସରପ୍ରାପ୍ତ ଯବାନ ଓ ଅଫିସରଙ୍କୁ ନେଇ ୩ଟି ବାଟାଲିୟନ ଗଠନ କରିବାକୁ ନିଷ୍ପତ୍ତି ହୋଇଛି । ନକ୍ସଲ ପ୍ରଭାବିତ ଅଂଚଳରେ ମୁତୟନ ହୋଇଥିବା କେନ୍ଦ୍ରୀୟ ଫୋର୍ସ ପ୍ରତ୍ୟାହାର ପରେ ଏହି ବାଟାଲିୟନଗୁଡ଼ିକ ନକ୍ସଲ ମୁକାବିଲା ଦାୟିତ୍ୱରେ ମୁତୟନ ହେବେ । ଏହି ୩ଟି ସ୍ୱତନ୍ତ୍ର ବାଟାଲିୟନ ପାଇଁ ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ୨୦୨୪ ସେପ୍ଟେମ୍ବର ୬ ଓ ଅକ୍ଟୋବର ୫ତାରିଖରେ ବିସ୍ତୃତ ଗାଇଇଡଲାଇନ୍ ସହ ଅନୁରୋଧ କରାଯାଇଥିଲା । ଏହି ବାଟାଲିୟନ ନିମନ୍ତେ ଆବଶ୍ୟକ ଖର୍ଚ୍ଚ ପାଇଁ ଅର୍ଥ ବିଭାଗ ଅନୁମତି ଦେଇଛି ।