କେଉଁ ରୁଟରେ ବନ୍ଦ ରହିବ ଯାନବାହାନ ଚଳାଚଳ
ଶନିବାର ପବିତ୍ର ଅଶୋକାଷ୍ଟମୀ। ଗଡ଼ିବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ରାମେଶ୍ୱର ଅଭିମୁଖେ ଯାତ୍ରାରମ୍ଭ କରିବ ରଥ। ରଥଗଡ଼ାରୁ ଘରଘର ନାଦ କରି ବାହାରିବ ପ୍ରଭୁଙ୍କ ରଥ । ଏହି ପଞ୍ଚ ଦିବସୀୟ ଯାତ୍ରାରେ ଏକାମ୍ରର ଆରାଧ୍ୟ ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଏବଂ ଭଉଣୀ ରୁକ୍ମିଣୀ ରାମେଶ୍ୱରଙ୍କ ପୀଠକୁ ଯିବେ। ସେଠାରେ ୪ ଦିନ ଅବସ୍ଥାନ କରି ୯ ତାରିଖରେ ବାହୁଡ଼ା ଯାତ୍ରା କରିବେ। ତେବେ ଦିନ ୩.୩ ୦ ହେବ ରଥଟଣା । ରଥରେ ଚଢ଼ି ମାଉସୀ ମାଆ ଘରକୁ ଯିବେ ପ୍ରଭୁ ଲିଙ୍ଗରାଜ । ୯ ତାରିଖରେ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା । ରଥ ଯାତ୍ରା ପାଇଁ କମିଶନରେଟ ପୋଲିସ୍ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି ହୋଇଛି ।ଓଡିଶା ଅର୍ବାନ୍ ପୋଲିସ ଆକ୍ଟ ୨୦୦୩ ଧାରା ୨୮ (ଓଡ଼ିଶା ଆକ୍ଟ, ୨୦୦୭ ର ଧାରା ୮ ) ଏବଂ ପୋଲିସ କମିସନରେଟ୍ ଭୁବନେଶ୍ବର କଟକ ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡର ୨୦୦୮ ଧାରା ୩୬ ଅନୁସାରେ ନିମ୍ନଲିଖିତ କଟକଣା ଗୁଡ଼ିକ ଉପରୋକ୍ତ ଦିନମାନଙ୍କରେ ଲାଗୁ କରାଯାଇଛି ।
କୌଣସି ପ୍ରକାର ଯାନବାହାନ ରଥ ରୋଡ଼ରେ ବାରିକ ସାହି ଗଳି, ମହାରଣା ସାହି ଗଳି, ଗୋସାଗରେଶ୍ୱର ଛକ, ଶୀତଳଷଷ୍ଠୀ ଗଳି, ତିନିମୁଣ୍ଡିଆ ଛକ, ହରଚଣ୍ଡୀ ଗଳି, ମୁନା ମେଡ଼ିକାଲ୍ ଗଳି, ପୁନମା ଗେଟ୍ ଗଳି ପଟୁ ଏବଂ ଅନ୍ୟ ସାହି ରାସ୍ତା ଅଥବା ଗଳି ରାସ୍ତା ଯାହାକି ରଥ ରୋଡ଼ ସହ ସଂଯୋଗୀକରଣ କରାଯାଇଛି, ସେହି ରାସ୍ତା ଅଥବା ଗଳି ରୁ ରଥ ରୋଡ୍ ଦେଇ ଯିବା ଆସିବା କରିପାରିବେ ନାହିଁ । ରଥ ଗଡ଼ିବା ବାଟରେ ଗୋପାଳ ତୀର୍ଥ, ଶିବତୀର୍ଥ, ଭାରତୀ ମଠ ଓ ଅସୁର କିଆରୀଠାରେ ଦେବଦେବୀଙ୍କୁ ଭୋଗ ଲାଗି ହେବ। ରାମେଶ୍ୱର ପହଞ୍ଚିବା ପରେ ସେଠାରେ ପ୍ରଥମେ ଅଶୋକା କୁଣ୍ଡରେ ମହାପ୍ରଭୁ ସ୍ନାନ କରିବେ । ପରେ ୧୪ଟି ଅଶୋକା କଢି ମଧ୍ୟ ଲାଗି ହେବେ । ରାମେଶ୍ୱରଙ୍କ ସହ ଭେଟ ଆଳତି କରାଯାଇ ସେଠାରେ ଆସ୍ଥାନକୁ ବିଜେ କରିବେ। ତେବେ କୌଣସି ପ୍ରକାର ଯାନବାହାନ ରଥ ଖଳା ଠାରୁ ରଥ ରୋଡ୍ ରେ କୌଣସି ଯାନବାହାନ ଯିବା କୁ ଦିଆଯିବ ନାହିଁ । ସେହି ଗାଡ଼ି ଗୁଡ଼ିକ ରଥ ଖଳା ଠାରୁ ବାଟ ମହାଦେବ ମନ୍ଦିର ରାସ୍ତା ଦେଇ ଯାଇପାରିବେ । ଏହି ନିୟମକୁ ଖିଲାପ କଲେ ଖିଲାପକାରୀଙ୍କ ଠାରୁ ଓଡ଼ିଶା ଅର୍ବାନ୍ ପୋଲିସ ଆକ୍ଟ ୨୦୦୩ ଧାରା ୯୬ ଅନୁସାରେ ୫୦୦ ଟଙ୍କା କିମ୍ବା ସର୍ବାଧିକ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ ।
