ଆଦ୍ଯଶକ୍ତିଙ୍କ ପ୍ରଥମ ସ୍ଵରୁପା ଶୈଳପୁତ୍ରୀଙ୍କ ଆରାଧନା ରୁ ଆରମ୍ଭ ହୁଏ ନବରାତ୍ର ପୂଜା। 

ଆଶ୍ୱିନ ଶୁକ୍ଳ ପ୍ରତିପଦ ଠାରୁ ନବମୀ ପର୍ଯ୍ୟନ୍ତ ନବଦୁର୍ଗା ଙ୍କ ପୂଜା ଅନୁଷ୍ଠିତ ହୁଏ।ଆଦ୍ଯଶକ୍ତିଙ୍କ ପ୍ରଥମ ସ୍ଵରୁପା ଶୈଳପୁତ୍ରୀଙ୍କ ଆରାଧନା ରୁ ଆରମ୍ଭ ହୁଏ ନବରାତ୍ର ପୂଜା। ପୁରାଣ ବର୍ଣ୍ଣନା ଅନୁସାରେ ଶୈଳରାଜ ହିମାଳୟଙ୍କ ପ୍ରାର୍ଥନା ଓ  ତପସ୍ୟାରେ ସନ୍ତୁଷ୍ଟ ହୋଇ ମା ଆଦିଶକ୍ତି ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ। ଏହା ମା ପାର୍ବତୀଙ୍କର ବାଲ୍ୟକାଳର ପରିକଳ୍ପନା। ବାଲ୍ୟାବସ୍ଥାରେ ଶିଶୁ କନ୍ୟାଟି ଅବୋଧ ଓ ନିଷ୍ପାପ ଥିବା ବେଳେ ତା ମଧ୍ୟରେ ପ୍ରକୃତିର ଶକ୍ତି ସଞ୍ଚରିତ ହୁଏ। ଏହାକୁ କୁହାଯାଏ ପରା ଶକ୍ତି।

ପୁରାଣ ବର୍ଣ୍ଣନା ମତେ ପୂର୍ବ ଜନ୍ମରେ ସେ ଦକ୍ଷ ପ୍ରଜାପତିଙ୍କ କନ୍ୟା ଓ ଭଗବାନ ଶିବଙ୍କ ପତ୍ନୀ ସତୀ ଥିଲେ।ଦକ୍ଷ ପ୍ରଜାପତିଙ୍କ ଯଜ୍ଞକୁ ଭଗବାନ ଶିବଙ୍କୁ ଯୋଗଦେବାକୁ ନିମନ୍ତ୍ରଣ କରାଯାଇ ନଥିଲା।ମା ସତୀଙ୍କ ଆଗରେ ତାଙ୍କ ସ୍ବାମୀ ଭଗବାନ ଶିବଙ୍କୁ ଅପମାନିତ କରିବାରୁ ଏହା ତାଙ୍କ ପାଇଁ ଅସହ୍ୟ ବୋଧ ହେଲା ଓ ସେ ତାଙ୍କ ପିତା ଦକ୍ଷ ପ୍ରଜାପତିଙ୍କ ଯଜ୍ଞକୁଣ୍ଡରେ ଝାସ ଦେଇଥିଲେ। ତା’ପର ଜନ୍ମରେ ସେ ହିମାଳୟଙ୍କ ପୁତ୍ରୀ ଭାବେ ଜନ୍ମ ଗ୍ରହଣ କରି ଭଗବାନ ଶିବଙ୍କୁ ତପସ୍ୟା ବଳରେ ପାଇଥିଲେ।

ଶୁକ୍ଳ ପ୍ରତିପଦ ତିଥିରେ ମା’ଙ୍କର କଳସ ସ୍ଥାପନ କରାଯାଇ ପୂଜା ଆରମ୍ଭ କରାଯାଏ। ଦେବୀ କୃପା ଲାଭ କରିବା ପାଇଁ ସାଧକ ନିଜ ମନକୁ  ମୂଳାଧାର ଚକ୍ରରେ ସ୍ଥିତ କରି ଅଧିଷ୍ଠାତ୍ରୀ ଦେବୀ ମା ଶୈଳପୁତ୍ରୀଙ୍କ ଆଶୀର୍ବାଦ ଭିକ୍ଷା କରନ୍ତି। ଏହି ପୂଜା ସମୟରେ ମା’ଙ୍କୁ ପାନପତ୍ର ରେ ଲବଙ୍ଗ ଓ ମିଶ୍ରି ଅର୍ପଣ କଲେ ନକାରାତ୍ମକ ଶକ୍ତିର ବିନାଶ ଘଟି ସକାରାତ୍ମକ ଶକ୍ତିର ଉଦୟ ହୁଏ।

ସୂର୍ଯ୍ୟ ମହାଗ୍ରହଙ୍କ ଶାନ୍ତି ନିମନ୍ତେ ମା ଦୁର୍ଗାଙ୍କର ଏହି ରୂପର ଆରାଧନା କରାଯାଏ। ମା’ଙ୍କ ପାଖରେ ଶୁଦ୍ଧ ଘିଅର ଭୋଗ ଅର୍ପଣ କଲେ ସୂର୍ଯ୍ୟ ମହାଗ୍ରହଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇ ଉତ୍ତମ ସ୍ୱାସ୍ଥ୍ୟ ଓ ସମ୍ମାନ ମିଳିଥାଏ।

ନବରାତ୍ର ର ପ୍ରଥମ ଦିନ କାଠର ପଟାରେ ଲାଲ କିମ୍ବା ଧଳା ବସ୍ତ୍ର ବିଛାଇ ସ୍ଥାପନ କରାଯାଏ।ମା ଶୈଳପୁତ୍ରୀ ଙ୍କ ପ୍ରିୟ ଧଳା ରଙ୍ଗ ହୋଇଥିବାରୁ ଧଳା ରଙ୍ଗର ଫୁଲ,ଧଳା ବସ୍ତ୍ର ଓ ଧଳା ରଙ୍ଗର ବର୍ଫି ଭୋଗ ଲାଗି କରାଯାଏ।

ମା ଶୈଳପୁତ୍ରୀଙ୍କ ଆରାଧନା ଦ୍ଵାରା ଭକ୍ତର ମନବାଞ୍ଛା ପୂର୍ଣ୍ଣ ହୁଏ।

ବାବାଜୀ ଚରଣ ଦାସ,

 ପଞ୍ଚସଖା ନଗର,ଡୁମୁଡୁମା, ଭୁବନେଶ୍ବର।