ବିଭିନ୍ନ ମଣ୍ଡପ ମଧ୍ୟରେ ପ୍ରତିଯୋଗିତା ବେଳେ ଖର୍ଚ ହେଉଛି କୋଟି କୋଟି ଟଙ୍କା

ଲକ୍ଷେ କି କୋଟିଏ ନୁହେଁ, ମା’ ଜଗତଜନନୀଙ୍କ ଆରାଧନା ପାଇଁ ପୂଜା କମିଟି ଗୁଡ଼ିକ ଶହ ଶହ କୋଟି ଖର୍ଚ୍ଚ କରୁଛନ୍ତି। ପୁରାତନ ସହର କଟକ ଓ ରାଜଧାନୀ ଭୁବନେଶ୍ବରର ପୂଜା ମଣ୍ଡପଗୁଡ଼ିକ ଏମିତି ପ୍ରତିଯୋଗିତାରେ ମାତିଛନ୍ତି ଯେ ପ୍ରତିବର୍ଷ ପୂଜା ବଜେଟ ବଢ଼ି ବଢ଼ିଚାଲିଛି। ଦଶହରା ପୂଜା ପାଇଁ ପ୍ରସିଦ୍ଧ କଟକର ପୂଜା କମିଟିଗୁଡ଼ିକ ଖର୍ଚ୍ଚ ବଢ଼ାଇ ବଢ଼ାଇ ଏବେ ପ୍ରାୟ ୧୫୦କୋଟିରେ ପହଞ୍ଚାଇଲେଣି। ସେହିପରି ଭୁବନେଶ୍ବରରେ କମିଟିଗୁଡ଼ିକର ପୂଜା ବଜେଟ ପୂର୍ବ ବର୍ଷ ତୁଳନାରେ ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି। ପୂଜା ତୁଳନାରେ ସାଜସଜ୍ଜା ଓ ମନୋରଞ୍ଜନ ବାବଦ ଖର୍ଚ୍ଚ ବଢ଼ୁଥିବା ପ୍ରକାଶ।ରୌପ୍ୟନଗରୀ କଟକ। ସୁନା ଚାନ୍ଦି ମେଢ଼ ପାଇଁ ପ୍ରସିଦ୍ଧି ଲାଭ କରିଥିବା କଟକ ସହରରେ ଏବର୍ଷ ୩୪ରେ ପହଞ୍ଚିଛି ସୁନା ଚାନ୍ଦି ମେଢ ସଂଖ୍ୟା। ଆଉ ତାହାରି ଭିତରେ ମା’ ଜଗତଜନନୀଙ୍କ ଏକକୁ ଆରେକ ବଳି ମୂର୍ତ୍ତି ଗୁଡ଼ିକରେ ଝଟକୁଛି ମହଣ ମହଣ ସୁନା ଆଉ ଚାନ୍ଦି। କଟକ ସହରର ପ୍ରଥମ ଚାନ୍ଦିମେଢ ୧୯୫୬ ମସିହାରେ ଚୌଧୁରୀ ବଜାରରେ କରାଯାଇଥିଲା। ସେଠାରେ ପ୍ରାୟ ୪ କ୍ୱିଣ୍ଟାଲ୍‌ ଚାନ୍ଦିରେ ପ୍ରଥମ ଚାନ୍ଦିମେଢ଼ କରାଯାଇଥିଲା।

ପରେ ମା’ଙ୍କୁ ଲାଗି କରାଯାଇଥିଲା ସୁନା ଅଳଙ୍କାର। ଏଭଳି ଭାବେ ୪୦ କେଜିର ସୁନା ଅଳଙ୍କାରରେ ଏଥର ଝଟକୁଛି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି। ଆଗକୁ ସୁନାରେ ସମ୍ପୂର୍ଣ୍ଣ ମେଢ଼ ହେବ ବୋଲି କହିଛି କମିଟି। ତେବେ ଏଥର ପୂଜାରେ ଲାଇଟ ଗେଟ ଆକର୍ଷଣର କେନ୍ଦ୍ର ପାଲଟିଥିବାବେଳେ ଏହି ବାବଦକୁ ଅଧିକାଂଶ ପୂଜା କମିଟିଗୁଡ଼ିକ ପ୍ରାୟ ୬ରୁ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ତୋରଣ ଏବଂ ଲାଇଟ୍‌ଗୁଡ଼ିକ ରାଜ୍ୟ ବାହାରୁ ଆସୁଛି। ବିଶେଷ କରି କଲକାତା, ବେଙ୍ଗାଲୁରୁ, ଆନ୍ଧ୍ରପ୍ରଦେଶର କାରିଗରମାନେ ଏହି କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ସେହିଭଳି ଭସାଣରେ ମଧ୍ୟ ରାଜ୍ୟ ବାହାର ବ୍ୟାଣ୍ଡ ଆସୁଛନ୍ତି। ସେଥିପାଇଁ ମଧ୍ୟ ଅଧିକ ଖର୍ଚ୍ଚ କରାଯାଇଛି। ଏହି ସବୁକୁ ମିଶାଇଲେ କଟକ ସହରରେ ପ୍ରାୟ ୧୪୦ କୋଟିରୁ ୧୫୦ କୋଟି ମଧ୍ୟରେ ଖର୍ଚ୍ଚ ହେଉଛି।ରାଜଧାନୀରେ ମେଢ଼ ଅପେକ୍ଷା ତୋରଣ ଉପରେ ପ୍ରତିବର୍ଷ ଭଳି ଏଥର ଫୋକସ୍‌ କରାଯାଇଛି। ପୁରୁଣା ଷ୍ଟେସନ୍ ବଜାର, ନୂଆପଲ୍ଲୀ, ସହିଦନଗର, ବଡ଼ଗଡ଼, ଝାରପଡ଼ା, ଲକ୍ଷ୍ମୀସାଗର ଓ ଗଙ୍ଗନଗର ପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ କରାଯାଇଛି। କେବଳ ସହିଦନଗର ପୂଜା କମିଟି ଏଥର କୋଟିଏ ଟଙ୍କା ଅଟକଳ କରିଥିବା ବେଳେ ତୋରଣରେ ହିଁ ୪୦ରୁ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ସେହିପରି ପୁରୁଣା ଷ୍ଟେସନ ବଜାର ପୂଜା କମିଟିର ବଜେଟ୍ ରହିଛି ୮୦ ଲକ୍ଷ। ଏଭଳି ଭାବେ ଭୁବନେଶ୍ୱରରେ ମୋଟ୍ ୧୮୭ଟି ମେଢ଼ କରାଯାଇଥିବା ବେଳେ ତାହାରି ଭିତରେ ରହିଛି ୬ଟି ସୁନା ଚାନ୍ଦି ମେଢ଼। ପୂର୍ବବର୍ଷ ଅପେକ୍ଷା ଏଥର ରାଜଧାନୀରେ ପୂଜା ବଜେଟ ୨୫ ପ୍ରତିଶତ ବଢ଼ି ପ୍ରାୟ ସାଢ଼େ ୩ ଶହ କୋଟିରେ ପହଞ୍ଚିଛି।